ନୂଆଦିଲ୍ଲୀ ୨୭।୬: ବିଶ୍ୱର ଦିଗ୍ଗଜ ଫୁଟବଲର୍ସଙ୍କ ମଧ୍ୟରେ ଅନ୍ୟତମ କ୍ରିଷ୍ଟିୟାନୋ ରୋନାଲ୍ଡୋ ୨୦୨୨ ମସିହାରେ ସାଉଦୀ ପ୍ରୋ ଲିଗରେ ଅଲ-ନାସର କ୍ଲବ ସହିତ ରାଜିନାମା କରିଥିଲେ। ଏହି ରାଜିନାମା ଜୁନ ୨୦୨୫ରେ ସମାପ୍ତ ହେଉଥିଲା। ଏବେ ସେ ଅଲ-ନାସର କ୍ଲବ ସହିତ ଡିଲକୁ ଆଉ ୨ ବର୍ଷ ଆଗକୁ ବଢାଇ ଏକ ବଡ ଡିଲ କରିଛନ୍ତି। ଏଣୁ ୟୁରୋପୀୟ ଫୁଟବଲକୁ ରୋନାଲ୍ଡଙ୍କ ପ୍ରତ୍ୟାବର୍ତ୍ତନର ଅଟକଳ ଉପରେ ଫୁଲଷ୍ଟପ ଲାଗିଯାଇଛି।
କ୍ରିଷ୍ଟିୟାନୋ ରୋନାଲ୍ଡୋ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ସାଉଦୀ ପ୍ରୋ ଲିଗରେ ଅଲ-ନାସର କ୍ଲବ ସହ ତାଙ୍କ ରାଜିନାମା ଆଉ ଦୁଇ ବର୍ଷ ସମ୍ପ୍ରସାରଣ କରିଥିବା ସୂଚିତ କରିଛନ୍ତି। ସେ ଲେଖିଛନ୍ତି ଯେ ‘ଏକ ନୂଆ ଅଧ୍ୟାୟ ଆରମ୍ଭ ହେଲା। ସେହି ନିଶା, ସେହି ସ୍ୱପ୍ନ । ଆସନ୍ତୁ ମିଳିମିଶି ଇତିହାସ ରଚିବା’। ଅନ୍ୟପଟେ ଅଲ-ନାସର କ୍ଲବ କହିଛି ଯେ ରୋନାଲ୍ଡୋଙ୍କ ସହିତ ରାଜିନାମା ୨୦୨୭ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି।
ଏଥିରେ ଫ୍ୟାନସଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱଭାବିକ ଯେ ଅଲ-ନାସର କ୍ଲବ ସହିତ ରାଜିନାମା ଆଗକୁ ବଢିବା ଯୋଗୁ ରୋନାଲ୍ଡୋଙ୍କୁ ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ କେତେ ଦେୟ ଓ କେଉଁ କେଉଁ ସୁବିଧା ସବୁ ମିଳିବ? ତେବେ ଆସନ୍ତୁ ଜାଣିବା ନୂଆ ରାଜିନାମାରୁ ରୋନାଲ୍ଡୋଙ୍କୁ ମିଳିବ କ’ଣ?
ଟାସ୍କ ସ୍ପୋର୍ଟସ୍ ଅନୁସାରେ ଅଲ-ନାସର ସହିତ ରାଜିନାମା ଆଗକୁ ବଢିବା ଯୋଗୁ ରୋନାଲ୍ଡୋଙ୍କୁ ପ୍ରତିବର୍ଷ ୧୭୮ ମିଲିନୟ ପାଉଣ୍ଡ (ପାଖାପାଖି ୨୦୦୦ କୋଟି ଟଙ୍କା) ମିଳିବ। ଏହା ସହିତ ଫୁଟବଲରଙ୍କୁ ଅନ୍ୟ ଭତ୍ତା ସବୁ ମଧ୍ୟ ମିଳିବ। ଏଥିରେ ଯଦି ଅଲ-ନାସର କ୍ଲବ ଟାଇଟଲ ଟ୍ରଫି ଯିତେ ତେବେ ରୋନାଲ୍ଡୋଙ୍କୁ ଅଲଗା ୮ ମିଲିୟନ ପ୍ରଦାନ କରାଯିବ। ଏହା ଛଡା ସାଇନିଂ ଏମାଉଣ୍ଟ ରୂପେ ରୋନାଲ୍ଡୋଙ୍କୁ ୨୪.୫ ମିଲିୟନ ପ୍ରଦାନ କରାଯିବ। ସେହିପରି କ୍ଲବ ତାଙ୍କ ପ୍ରାଇଭେଟ ଜେଟ୍ ଖର୍ଚ୍ଚ ମଧ୍ୟ ବହନ କରିବ।
ଉଲ୍ଲେଖଯୋଗ୍ୟ ଯେ ପର୍ତ୍ତୃଗାଲ ଫୁଟବଲର ରୋନାଲ୍ଡୋଙ୍କ ପ୍ରଦର୍ଶନ ଅଲ-ନାସର କ୍ଲବ ପାଇଁ ଉଲ୍ଲେଖନୀୟ ରହିଛି। ସେ ଏହି କ୍ଲବ ପାଇଁ ଟପ ସ୍କୋରର ମଧ୍ୟ। ସେ କ୍ଲବରେ ଖେଳିବା କାଳରେ ମୋଟ ୨୫ଟି ଗୋଲ ସ୍କୋର କରିଛନ୍ତି। ହେଲେ ଅଲ-ନାସର କ୍ଲବ ଏପର୍ଯ୍ୟନ୍ତ ସାଉଦୀ ପ୍ରୋ ଲିଗ ଟାଇଟଲ ଜିତି ନାହିଁ। ତେବେ ଫ୍ୟାନ୍ସ ଆଶା କରୁଛନ୍ତି ଏଥର ରୋନାଲ୍ଡୋ ନିଶ୍ଚିତ ରୂପେ ଟିମକୁ ଚାମ୍ପିୟନ କରିବେ।