ଝାରସୁଗୁଡ଼ା ୩୦।୫: ବହୁ ଚର୍ଚ୍ଚିତ ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାର ତଦନ୍ତ ପାଇଁ ପୁଣି ଥରେ ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ଟିମ୍ । ଅତିରିକ୍ତ ଏସ୍ପି ବିଜୟ ମଲ୍ଲିକଙ୍କ ନେତୃତ୍ୱରେ ପହଞ୍ଚିଛି ଟିମ୍ । ଗାନ୍ଧି ଛକ ଫାଣ୍ଡିରେ ୩ ଜଣଙ୍କୁ ପଚରାଉଚରା କଲେ । ଗୋପାଳର ମୋବାଇଲ ସିଡ଼ିଆର ଆଧାରରେ ରାଜପୁର ଗ୍ରାମର ପ୍ରବୀଣ ଦେଓ ଏବଂ ପୂର୍ବତନ ସମିତି ସଭ୍ୟ ଗଣେଶ ବାଗଙ୍କୁ ପଚରାଉଚରା କରିଥିବା ବେଳେ ପୂର୍ବରୁ କ୍ରାଇମବ୍ରାଞ୍ଚକୁ ଗୋପାଳ ଦାସ ଦେଇଥିବା ବୟାନ ଆଧାରରେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀ ମନୋଜ ବରିହାଙ୍କୁ ପଚରାଉଚରା କଲେ ଅତିରିକ୍ତ ଏସ୍ପି ବିଜୟ ମଲ୍ଲିକ । ୨୦୨୩ ଜାନୁଆରୀ ୨୯ ତାରିଖରେ ଗାନ୍ଧି ଛକ ନିକଟରେ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ହତ୍ୟା ଅଭିଯୋଗରେ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇ ଜେଲ୍ରେ ଅଛନ୍ତି ଏଏସ୍ଆଇ ଗୋପାଳ ଦାସ । କ୍ରାଇମବ୍ରାଞ୍ଚ ତଦନ୍ତରେ ତ୍ରୁଟି ରହିଥିବା ନେଇ ତୁମ୍ବିତୋଫାନ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ରାଇମବ୍ରାଞ୍ଚର ନୂଆ ଟିମ୍ କରାଯାଇ ପୁନଃ ତଦନ୍ତ ଆଦେଶ ଦେବା ପରେ କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସ୍ପି ବିଜୟ ମଲ୍ଲିକଙ୍କ ନେତୃତ୍ୱରେ ମାର୍ଚ୍ଚ ୧୮ରୁ ୨୩ ତାରିଖ ପର୍ଯ୍ୟନ୍ତ ଝାରସୁଗୁଡାରେ ରହି ଖୋଳତାଡ଼ କରିବା ପରେ ବ୍ରହ୍ମପୁର ଯାଇ ଗୋପାଳ ଦାସ ପରିବାର ଓ ଅନ୍ୟ କିଛି ବ୍ୟକ୍ତିଙ୍କୁ ପଚରାଉଚରା କରିଥିଲା । ଆଗକୁ ତଦନ୍ତ ପରିସରକୁ ଯିଏ ଆସିବ ତାକୁ ବି ଡକାଯିବ ବୋଲି କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସ୍ପି ବିଜୟ ମଲ୍ଲିକ କହିଛନ୍ତି ।
You Can Read: