କଟକ ୦୩ /୦୮: ସ୍ପେଶାଲ ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚ ଜାଲରେ ପଡିଛି ବଡ ମାଛ । ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ ଗିରଫ କରିସାରିଛି କ୍ରାଇମବ୍ରାଞ୍ଚ । ପୂର୍ବରୁ ମାମଲାରେ ୭ଜଣ ଗିରଫ ହୋଇ ସାରିଛନ୍ତି । ଏବେ ବୋର୍ଡ ଉପସଭାପତିଙ୍କ ଗିରଫଦାରିକୁ ନେଇ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଦେଇଛନ୍ତି ବଡ ସୂଚନା । କହିଛନ୍ତି ମୁଖ୍ୟ ଅଭିଯୁକ୍ତ ଜିତନ ମହାରଣାଙ୍କ ସହ ବୋର୍ଡ ସଭାପତିଙ୍କ ସଂପର୍କ ରହିଛି । ଅଫିସ ସମୟ ବାଦ୍ ଜିତନ ନିହାର ସହ ଶହେ ଥର କଥା ହେବାର ପ୍ରମାଣ ମିଳିଛି ।ପରୀକ୍ଷା ପରିଚାଳନାରେ ଜିତନଙ୍କର କୌଣସି ଭୂମିକା ନଥିଲା । ପରୀକ୍ଷା ପରିଚାଳନାରେ ସଂପୃକ୍ତ ନଥିବା ବ୍ୟକ୍ତିଙ୍କ ସହ ଏତେ ଥର କଥା ହେଲେ କାହିଁକି । ଜିତନଙ୍କ ଭୂମିକା ସନ୍ଦେହଜନକ ଥିବା ମଧ୍ୟ ଉପସଭାପତି ସ୍ବୀକାର କରିଛନ୍ତି । ପ୍ରଶ୍ନପତ୍ର ଲିକ୍ ମାମଲାରେ ଉଭୟଙ୍କର ଭୂମିକା ସମାନ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ।
କ୍ରାଇମବ୍ରାଞ୍ଚ ଡିଜି ଆହୁରି କହିଛନ୍ତି ନିହାର ବାବୁଙ୍କ ପାଖରେ OTET ପ୍ରଶ୍ନପତ୍ର ସଂପର୍କିତ ପାସୱାର୍ଡ ଥିଲା । ପାସୱାର୍ଡ ବ୍ୟବହାର କରି ବୋର୍ଡ ଉପସଭାପତି ଡିଲିଟ୍ କରିବା କଥା କରିନଥିଲେ । ଜିତନ ମହାରଣାଙ୍କୁ ଲାପ୍ଟପ୍ ବ୍ୟବହାର ପାଇଁ ଅନୁମତି ଦେଇଥିଲେ । ଏସଂପର୍କରେ ଆର୍ଥିକ କାରବାର କଣ ହୋଇଛି କି ନାହିଁ ତାହାର ତଦନ୍ତ ଚାଲିଥିବା ସ୍ପଷ୍ଟ କରିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ।