ଭୁବନେଶ୍ୱର: ଅନଲାଇନ୍ ଗେମରେ କ୍ରିକେଟ୍ ବେଟିଂ ମାଧ୍ୟମରେ ୧ କୋଟି ୮ ଲକ୍ଷ ଟଙ୍କା ଠକାମି କରିଥିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ୍ ଦୁଇଜଣଙ୍କୁ ଗିରଫ କରିଛି । ଦୁଇ ଅଭିଯୁକ୍ତ ହେଉଛନ୍ତି ପଶ୍ଚିମବଙ୍ଗର ଏସ୍.କେ. ୱାସିଉଲ୍ ଇସଲାମ୍ ଓରଫ ରୋହନ୍ ଏବଂ ଭୁବନେଶ୍ୱର ଖାରବେଳନଗର ଅଞ୍ଚଳର ଜ୍ୟୋତି ପ୍ରକାଶ ପଲ୍ଲାଇ । ପୋଲିସ ଅଭିଯୁକ୍ତଙ୍କ ଠାରୁ ପାସବୁକ୍, ଚେକ୍, ମୋବାଇଲ୍ ଫୋନ୍, ସିମ୍ କାର୍ଡ, GST ସାର୍ଟିଫିକେଟ୍, ଆଧାର ଏବଂ ପାନ କାର୍ଡ ଜବତ କରିଛି । ଏହା ସହ ଉଭୟ ଅଭିଯୁକ୍ତଙ୍କ ଅନେକ ବ୍ୟାଙ୍କ ଆକାଉଣ୍ଟକୁ ପୋଲିସ ଫ୍ରିଜ୍ କରିଛି ।
ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳର ଜଣେ ବ୍ୟକ୍ତି ଅନଲାଇନ ଗେମରେ କ୍ରିକେଟ ବେଟିଂ ମାଧ୍ୟମରେ ୧ କୋଟି ୮ ଲକ୍ଷ ଟଙ୍କା ଠକାମିର ଶିକାର ହୋଇଥିବା ସାଇବର ଥାନାରେ ଅଭିଯୋଗ ହୋଇଥିଲା । ଅପରାଧୀମାନେ ତାଙ୍କୁ ଅନଲାଇନ କ୍ରିକେଟ୍ ବେଟିଂର ଦୁଇଟି ୱେବସାଇଟ୍ ଲିଙ୍କ୍ ସେୟାର କରିଥିଲେ। ଆଇଡି ବ୍ୟବହାର କରି କ୍ରିକେଟ୍ ବେଟିଂ ମାଧ୍ୟମରେ ଟଙ୍କା ରୋଜଗାର କରିବାକୁ ସାଇବର ଅପରାଧୀ ପ୍ରଲୋଭିତ କରିଥିଲେ ।
ସେହି ଅନୁଯାୟୀ ବ୍ୟକ୍ତି ଜଣକ ପ୍ରଥମେ ଅଳ୍ପ କିଛି ଟଙ୍କା ବିନିଯୋଗ କରିଥିଲେ । ଅନ୍ୟ ପକ୍ଷରେ ଅପରାଧୀମାନେ ମଧ୍ୟ ତାଙ୍କୁ କିଛି କିଛି ଟଙ୍କା ଫେରସ୍ତ କରିଥିଲେ । ଯାହା ଫଳରେ ଟଙ୍କା ଫେରସ୍ତ ପାଇବାକୁ ତାଙ୍କର ବିଶ୍ୱାସ ସୃଷ୍ଟି ହୋଇଥିଲା । ଅଭିଯୋଗକାରୀ ଜଣକ ତାଙ୍କ ପତ୍ନୀ, ବନ୍ଧୁ ଏବଂ କର୍ମଚାରୀଙ୍କ ଆକାଉଣ୍ଟ ମାଧ୍ୟମରେ ବିଭିନ୍ନ ପର୍ଯ୍ୟାୟରେ ୧.୦୮ କୋଟି ଟଙ୍କା ଟ୍ରାନ୍ସଫର କରିଥିଲେ । ଅନ୍ୟପକ୍ଷରେ ସାଇବର ଅପରାଧୀମାନେ ତାଙ୍କୁ ଟଙ୍କା ଫେରସ୍ତ କରିବା ପରିବର୍ତ୍ତେ ଦିନ ପରେ ଦିନ ଗଡ଼ାଇ ଚାଲିଥିଲେ। ତେବେ ଶେଷରେ ବ୍ୟକ୍ତି ଜଣକ ଥାନାର ଦ୍ୱାରସ୍ଥ ହୋଇଥିଲେ । କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ।