କଟକରେ କରୋନାର ପ୍ରଥମ କେସ୍, ଥଣ୍ଡାଜ୍ୱରରେ ଥିଲେ ପୀଡିତ

Published By : Prameya-News7 Bureau | May 30, 2025 IST

କଟକ ୩୦/୦୫: ରାଜ୍ୟରେ କାୟା ବିସ୍ତାର କରିବାରେ ଲାଗିଛି କରୋନା । ଭୁବନେଶ୍ୱର ପରେ କଟକରେ ପ୍ରଥମ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୫ ବର୍ଷୀୟ ଜଣେ ବ୍ୟକ୍ତି କୋଭିଡ ପଜିଟିଭ ହୋଇଥିବା ଟେଷ୍ଟରୁ ଜଣାପଡିଛି । ସେ ଗତ କିଛି ଦିନ ଧରି ଥଣ୍ଡାଜ୍ୱରରେ ପୀଡ଼ିତ ଥିଲେ । କୋଭିଡ ଟେଷ୍ଟ୍‌ କରାଇବାରୁ ସେ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଦେଶରେ ଏବେ ପୁଣି ମୁଣ୍ଡ ଟେକିଲାଣି କରୋନା ସଂକ୍ରମଣ । ୩ ବର୍ଷର ବ୍ୟବଧାନ ପରେ ଓଡ଼ିଶାକୁ କରୋନା ଫେରିଛି । ଗତ ମେ ୮ ତାରିଖରେ ଭୁବନେଶ୍ବରରେ ଜଣେ ବୟସ୍କ ପୁରୁଷ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିଲେ । ତାଙ୍କୁ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।  

ସେପଟେ ମୁମ୍ବାଇ, ପୁଣେ, ଚେନ୍ନାଇ,ଅହମ୍ମଦାବାଦରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଉଛି । ଏବେ ସୁଦ୍ଧା ଦେଶରେ କରୋନାରେ ୩ଶହରୁ ଅଧିକ ନୂଆ ମାମଲା ଚିହ୍ନଟ ହୋଇଛି । ଜେଏନ୍‌ ଡଟ୍‌ ୱାନ୍‌ ହେଉଛି ଓମିକ୍ରନର ଉପପ୍ରଜାତି । ଯାହାର ଲକ୍ଷଣ କରୋନାର ଅନ୍ୟ ପ୍ରଜାତି ପରି ରହିଛି ତେବେ ଆଗକୁ ଏହାର ସଂଖ୍ୟା ଦ୍ରୁତ ଗତିରେ ବଢ଼ିବା ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ଆଶଙ୍କା ପ୍ରକାଶ କରିଛନ୍ତି । ମେ ୨୦ ତାରିଖରେ ମୁମ୍ବାଇରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ କୋଭିଡ୍‌-୧୯ରେ ହୋଇଛି ।  

କେବଳ ଭାରତ ନୁହେଁ ହଂକଂ, ଥାଇଲାଣ୍ଡ ଓ ସିଙ୍ଗାପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି  । ସୂଚନା ଅନୁସାରେ ସିଙ୍ଗାପୁରରେ କରୋନାର ପ୍ରଜାତି ଜେଏନ୍‌ ଡଟ୍‌ ୱାନ୍‌ର ଦୁଇଟି ପ୍ରଜାତି ଏଲ୍‌ ଏଫ୍‌ -୭ ଓ ଏନ୍‌ବି -୧.୮ରେ ଆକ୍ରାନ୍ତ ହେଉଛନ୍ତି ଲୋକେ । ଏହା ଅଧିକ ସଂକ୍ରାମକ ଓ ଆକ୍ରାନ୍ତଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ କମ କରୁଛି । ନୂଆ କରୋନା ଭୂତାଣୁ ଏଲ୍‌ ଏଫ୍‌ -୭ ଓମିକ୍ରନ୍‌ର ଏକ ଉପପ୍ରଜାତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.