LIVE TV
LIVE TV

ଆସୁଛନ୍ତି ପୁଟିନ: ବାଣିଜ୍ୟ,କୃଷି,ଗଣମାଧ୍ୟମ ସମ୍ପର୍କିତ ଚୁକ୍ତି ସ୍ୱାକ୍ଷରିତ ହୋଇପାରେ

NEWS7
covid-equipment-in-front-of-sahid-bhawan

ନୂଆଦିଲ୍ଲୀଆସନ୍ତାକାଲି ଭାରତ ଆସୁଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ୪-୫ ତାରିଖ ତାଙ୍କର ଦୁଇଦିନ ଗସ୍ତ ରହିବ। ପୁଟିନଙ୍କୁ ସ୍ୱାଗତ କରିବା ପାଇଁ ଭାରତ ସରକାର ସବୁ ପ୍ରସ୍ତୁତି କରି ସାରିଛନ୍ତି। ତେବେ ପୁଟିନଙ୍କ ଭାରତ ଗସ୍ତ ଉଭୟ ଦେଶ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ। ବ୍ୟବସାୟରେ ଏକାଧିକ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଚୁକ୍ତି ହୋଇପାରେ। ଭାରତ ଏବଂ ରୁଷ ମଧ୍ୟରେ ବାଣିଜ୍ୟ, ସ୍ୱାସ୍ଥ୍ୟ, କୃଷି, ଗଣମାଧ୍ୟମ ଏବଂ ସାଂସ୍କୃତିକ ଆଦାନପ୍ରଦାନକୁ ନେଇ ଚୁକ୍ତି ସ୍ୱାକ୍ଷରିତ ହୋଇପାରେ ବୋଲି ଆଶା କରାଯାଉଛି। ପୁଟିନଙ୍କ ଏହି ଗସ୍ତ ଭାରତ-ରୁଷ ରଣନୈତିକ ସହଭାଗୀର ୨୫ତମ ବର୍ଷ ପୂର୍ତ୍ତିକୁ ପାଳନ କରିବାକୁ କରାଯାଉଛି। ତା' ସହିତ ଦୁଇ ଦେଶ ମଧ୍ୟରେ ୨୩ତମ ଦ୍ୱିପାକ୍ଷିକ ଶିଖର ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହେବ।

୨୦୨୨ ଫେବୃଆରୀରେ ରୁଷ ୟୁକ୍ରେନରେ ଉପରେ ସାମରିକ ଅଭିଯାନ ଆରମ୍ଭ କରିବା ପରେ ପୁଟିନଙ୍କ ଏହା ପ୍ରଥମ ଭାରତ ଗସ୍ତ ହେବ। ସେ ଡିସେମ୍ବର ୪ ତାରିଖ ସନ୍ଧ୍ୟାରେ ପହଞ୍ଚିବେ। ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରୀ ବାସଭବନରେ ଏକ ବ୍ୟକ୍ତିଗତ ରାତ୍ରୀଭୋଜନର ବ୍ୟବସ୍ଥା ହୋଇଛି।

ପରଦିନ ସକାଳେ ଟ୍ରାଇ ସର୍ଭିସ ଗାର୍ଡ ଅଫ୍ ଅନର ଦିଆଯିବା ପରେ ରାଷ୍ଟ୍ରପତି ଭବନରେ ଏକ ଆନୁଷ୍ଠାନିକ ସ୍ୱାଗତ ସହିତ ଷ୍ଟେଟ୍ ଭିଜିଟ୍ ଗସ୍ତ ଆରମ୍ଭ ହେବ। ଏହାପରେ ପୁଟିନ ରାଜଘାଟ ଯାଇ ସେଠାରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ। ଏହାପରେ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆନୁଷ୍ଠାନିକ ଆଲୋଚନା ହେବ। ଉଭଯ ଦେଶର ଶିଖର ସମ୍ମିଳନୀ ଆୟୋଜନ ପରେ ଯାଇ ପ୍ରମୁଖ ଘୋଷଣା ଏବଂ ଏମଓୟୁ ସ୍ୱାକ୍ଷର ହେବା ବୋଲି ଆଶା କରାଯାଉଛି। ତା’ପରେ ଉଭୟ ଭାରତ ଓ ଋଷ ପକ୍ଷରରୁ ମିଳିତ ଗଣମାଧ୍ୟମ ବିବୃତ୍ତି ପ୍ରକାଶ କରାଯାଇପାରେ।

ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ଚୁକ୍ତି ନେଇ ରୁଷିଆ ରାଷ୍ଟ୍ରପତିଙ୍କ ସହାୟକ ଉରି ଉଶାକୋଭ କହିଛନ୍ତି ଯେ ଉଭୟ ନେତା ବାଣିଜ୍ୟ ଏବଂ ଅର୍ଥନୈତିକ ସହଭାଗୀତା ବୃଦ୍ଧି ସମ୍ପର୍କରେ ବିସ୍ତୃତ ଆଲୋଚନା କରିବେ। ୨୦୨୪ରେ ଦ୍ୱିପାକ୍ଷିକ ବାଣିଜ୍ୟ ୧୨% ବୃଦ୍ଧି ପାଇ ୬୩.୬ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଥିଲା। ହେଲେ ଗୋଟେ ସମସ୍ୟା ହେଉଛି ବଢ଼ୁଥିବା ବାଣିଜ୍ୟ ଅସନ୍ତୁଳନ ନେଇ ଭାରତ ଚିନ୍ତିତ ରହୁଛି। ତେଣୁ ଭାରତର ଚିନ୍ତାକୁ ଦୂର କରିବାକୁ ରୁଷ ପ୍ରସ୍ତୁତ ଅଛି। ଏବଂ ବାହ୍ୟ ଚାପରୁ ଦ୍ୱିପାକ୍ଷିକ କାରବାରକୁ ସୁରକ୍ଷା ଦେବା ପାଇଁ ବ୍ୟବସ୍ଥା ତିଆରି କରିବାକୁ ଆଲୋଚନା ହୋଇପାରେ ବୋଲି ଉଶାକୋଭ କହିଛନ୍ତି।

ବଡ଼ କଥା ହେଲା ୨୦୩୦ ପର୍ଯ୍ୟନ୍ତ ଋଷ-ଇଣ୍ଡିଆ ଇକୋନୋମିକ କୋଅପରେସନ ଷ୍ଟ୍ରାଟେଜିକ ଏରିଆର ଡେଭଲପମେଣ୍ଟ ପାଇଁ ପ୍ରୋଗ୍ରାମ ହେବ। ଏଥିସହିତ ବାଣିଜ୍ୟ, ଉର୍ଜା, କୃଷି, ସ୍ୱାସ୍ଥ୍ୟ ଓ ମିଡିଆ କଭରେଜ କ୍ଷେତ୍ର ନେଇ ଏଗ୍ରୀମେଣ୍ଟ ହେବ। ଏହା ପୂର୍ବରୁ ମସ୍କୋରେ ଅଗଷ୍ଟ ମାସରେ ଅନୁଷ୍ଠିତ ହୋଇଥିବା ଆନ୍ତଃସରକାରୀ କମିଶନର ବୈଠକରେ ଶିଳ୍ପ ସହଯୋଗ, ଇନୋଭେସନ ଟେକ୍ନୋଲୋଜୀ, ଖଣି, ପରିବହନ ସଂଯୋଗ, ମହାକାଶ, ସ୍ୱାସ୍ଥ୍ୟସେବା ଏବଂ ଶ୍ରମ ବଳ ବାଣ୍ଟିବା ଭଳି ବୃହତ୍ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରାଯାଇଥିଲା।

ତେବେ ଶୁକ୍ରବାର ଅପରାହ୍ନରେ, ଭାରତ ମଣ୍ଡପମରେ ଭାରତ-ରୁଷ ବ୍ୟବସାୟ ଫୋରମକୁ ମୋଦି ଏବଂ ପୁଟିନ ମିଳିତ ଭାବରେ ସମ୍ବୋଧିତ କରିବେ। ଯେଉଁଠାରେ ନିବେଶ ସୁଯୋଗ, ଉତ୍ପାଦନ ସହଭାଗୀତା ଏବଂ ପ୍ରଯୁକ୍ତିବିଦ୍ୟା ସହଯୋଗ ଉପରେ ଆଲୋକପାତ କରାଯିବ।

ଦୁଇ ଦେଶର ଲୋକଙ୍କ ମଧ୍ୟରେ ଯାତାୟତ ବଢ଼ିଥିବା ମଧ୍ୟ ଉଶାକୋଭ କହିଛନ୍ତି। ବଢ଼ୁଥିବା ଲୋକ-ଲୋକ ସମ୍ପର୍କକୁ ନେଇ ସେ କହିଛନ୍ତି ୨୦୨୪ ମସିହାରେ, ୮୦ ହାଜରୁ ଅଧିକ ଋଷୀୟ ଭାରତ ଯାତ୍ରା କରିଥିଲେ। ଏବଂ ୪୦ ହଜାର ଭାରତୀୟ ମଧ୍ୟ ଏକାଧିକ ଥର ରୁଷ ଗସ୍ତ କରିଥିଲେ। ସେ କହିଥିଲେ ଯେ ପର୍ଯ୍ୟଟନ ଏବଂ ସାଂସ୍କୃତିକ ଆଦାନପ୍ରଦାନର ପ୍ରସାର ପାଇଁ ଉଭୟ ଦେଶ ମଧ୍ୟରେ ଯଥେଷ୍ଟ ସମ୍ଭାବନା ରହିଛି।

ଏସବୁ ସତ୍ତ୍ୱେ ଆଲୋଚନା ସମୟରେ ପ୍ରତିରକ୍ଷା ସହଯୋଗ ପ୍ରମୁଖ ପ୍ରସଙ୍ଗ ହେବ। ଦୁଇ ଦେଶ ବ୍ରହ୍ମୋସର ଆଡ୍ଭାନ୍ସ ଭ୍ୟାରିଏଣ୍ଟର କାମ କେତେ ଦୂର ଗଲା ତାର ସମୀକ୍ଷା କରିବେ। ବ୍ରହ୍ମୋସ-ଏନ୍ଜି ଭଳି ଲାଇଟର ଏୟାର ଲଞ୍ଚ ମୋଡେଲ୍ ବିକାଶ କାର୍ଯ୍ୟ ତଦାରଖ କରାଯିବ।

ହାଇପରସୋନିକ୍ ପ୍ରକଳ୍ପ- ଦୂରଗାମୀ ଆକାଶରୁ ଆକାଶ ମାଡ଼ କରିପାରୁଥିବା କ୍ଷେପଣାସ୍ତ୍ର ଉପରେ ଆଲୋଚନା ସହିତ ଭାରତର ଅତିରିକ୍ତ ଏସ-୪୦୦ କ୍ଷେପଣାସ୍ତ୍ର କିଣିବାକୁ କହିପାରେ।