ନିନା କୁଟିନାଙ୍କ ରୁଷିଆ ଡିପୋର୍ଟେସନ ଉପରେ କୋର୍ଟଙ୍କ ରୋକ୍, ୨ ଝିଅଙ୍କ ସହ କର୍ଣ୍ଣାଟକ ଗୁମ୍ଫାରୁ ହୋଇଥିଲେ ଉଦ୍ଧାର

Published By : Prameya-News7 Bureau | July 24, 2025 IST

ବେଙ୍ଗାଲୁରୁ୨୪।୭:   କର୍ଣ୍ଣାଟକ ହାଇକୋର୍ଟ ଋଷୀୟ ମହିଳା ନିନା କୁଟିନାଙ୍କ ଡିପୋର୍ଟେସନ ଉପରେ ରୋକ ଲଗାଇ ଦେଇଛନ୍ତି। ତାଙ୍କ ଦୁଇ ଝିଅଙ୍କ ଯୋଗୁ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ନିନା କୁଟିନାଙ୍କୁ ତାଙ୍କ ଦୁଇ ଝିଅଙ୍କ ସହ ଗୋକର୍ଣ୍ଣର ରାମତୀର୍ଥ ପାହାଡର ଏକ ଗୁମ୍ଫାରୁ ପୋଲିସ ଉଦ୍ଧାର କରିଥିଲା। କୁଟିନା ବିଜନେସ୍ ଭିସାରେ ଭାରତ ଆସିଥିବା ବେଳେ ୨୦୧୭ ମସିହାରୁ ତାଙ୍କର ଭିସା ସମାପ୍ତ ହୋଇଯାଇଥିଲା। ତଥାପି ସେ ଭାରତରେ ଅବସ୍ଥାନ କରୁଥିଲେ। 

ନିନା କୁଟିନା ଭାରତ ଆସିଥିବା ବେଳେ ଗୋଆରେ ଇସ୍ରାଏଲୀ ବ୍ୟବସାୟୀଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ଏହି ସାକ୍ଷାତ ପ୍ରେମରେ ପରିଣତ ହୋଇଥିବା ବେଳେ ତାଙ୍କର ଦୁଇ ଝିଅ ଭାରତରେ ଜନ୍ମ ହୋଇଛନ୍ତି। ନିନାଙ୍କ ଓକିଲ ବିନା ପିଲ୍ଲାଇ କୋର୍ଟରେ ମିଳିତ ଜାତିସଂଘଙ୍କ ପିଲାଙ୍କ ଅଧିକାର ସମ୍ପର୍କିତ ସନ୍ଧି (ୟୁଏନସିଆରସି)ର ଉଲ୍ଲେଖ କରି ପିଲାଙ୍କ ଭବିଷ୍ୟତକୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି ତର୍କ ରଖିଥିଲେ। 

ଉଲ୍ଲେଖଯୋଗ୍ୟ ଯେ ‘ଶିଶୁଙ୍କୁ ପ୍ରଭାବିତ କରୁଥିବା ସମସ୍ତ ନିଷ୍ପତ୍ତି ଓ କାର୍ଯ୍ୟରେ ପିଲାଙ୍କ ସର୍ବୋତ୍ତମ ହୀତକୁ ସର୍ବୋଚ୍ଚ ପ୍ରାଥମିକତା’ ଦେବା  ପାଇଁ ୟୁଏନ କନଭେନସନର ଅନୁଚ୍ଛେଦ ୩ରେ ଗୁରୁତ୍ୱ ଦିଆଯାଇଛି। ସେହି ଅନୁସାରେ ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଏସ.ସୁନୀଲ ଦତ୍ତ ଯାଦବ କହିଛନ୍ତି ଯେ ପିଲାଙ୍କୁ ମାଙ୍କଠାରୁ ପୃଥକ କରିବା ଅଥବା ଋଷିଆ ପଠାଇ ଦେବା ପିଲାଙ୍କ ନିମନ୍ତେ କ୍ଷତିକାରକ ହୋଇପାରେ। ଏଣୁ ପିଲାଙ୍କ ଭବିଷ୍ୟତ ପ୍ରଥମ ଓ ବାକି କଥା ପରେ ବୋଲି କୋର୍ଟ କହିଥିବା ବେଳେ ନିନା କୁଟିନା ଓ ତାଙ୍କ ଦୁଇ ଝିଅଙ୍କ ଋଷିଆ ଡିପୋର୍ଟେସନ ଉପରେ ରୋକ ଲଗାଇଛନ୍ତି। 

୪୦ବର୍ଷ ବୟଷ୍କା ଋଷୀୟ ମହିଳା ନିନା କୁଟିନା ପୋଲିସକୁ କହିଥିଲେ ଯେ ସେ ଆଧ୍ୟାତ୍ମିକ ଏକାନ୍ତ ଓ ପ୍ରକୃତି କୋଳରେ ରହିବା ଲାଗି ସେ ଗୋଆରୁ କର୍ଣ୍ଣାଟକ ଆସିଥିଲେ। ଜୁଲାଇ ୯ ତାରିଖ ଦିନ ପୋଲିସ ଗୁମ୍ଫାରୁ ପରିବାରଙ୍କୁ ପାଇବା ପରେ ପରବର୍ତ୍ତି ପଦକ୍ଷେପ ସ୍ୱରୂପ ନିନା ଓ ତାଙ୍କ ଦୁଇ ଝିଅଙ୍କୁ ତୁମକୁରୁର ଏକ ଆଶ୍ରମ ଗୃହକୁ ସ୍ଥାନାନ୍ତର କରିଦେଇଛି। ଏବେ କୋର୍ଟଙ୍କ ଆଦେଶ ପରେ ନିନା ଓ ତାଙ୍କ ଦୁଇ ଝିଅ ତୁମକୁରର ସେଲ୍ଟର ହୋମରେ ରହୁଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.