ଇଂରାଜୀ କହି ପାରୁନଥିବା ADMଙ୍କୁ ନେଇ ପ୍ରଶ୍ନ ଉଠାଇଲେ କୋର୍ଟ, ଦେଲେ ଯାଞ୍ଚ ଆଦେଶ

Published By : Prameya-News7 Bureau | July 26, 2025 IST

ଶିମଲା ୨୭।୭: ଉତ୍ତରାଖଣ୍ଡ ଉଚ୍ଚନ୍ୟାୟାଳୟଙ୍କ ଟିପ୍ପଣୀର ଏବେ ଖୁବ୍ ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚା ଏଥି ପାଇଁ ହେଉଛି କୋର୍ଟରେ ହାଜର ଏଡିଏମ କହିଲେ ତାଙ୍କୁ ଇଂରାଜୀ କହି ଆସୁନାହିଁ, ହେଲେ ସେ ବୁଝି ପାରୁଛନ୍ତି। ଏହା ପରେ କୋର୍ଟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ କୋର୍ଟ ଏଡିଏମ ପଦବୀରେ ବସିଥିବା ଅଧିକାରୀଙ୍କୁ ଇଂରାଜୀ ନ ଆସିବା ଉଚିତ କି? ବୋଲି  ପ୍ରଶ୍ନ କରିଛନ୍ତି। 

ଉଲ୍ଲେଖଯୋଗ୍ୟ ଯେ ପଞ୍ଚାୟତ ଭୋଟର ସୂଚୀ ଏଣ୍ଟ୍ରି ପାଇଁ ପରିବାର ରେଜିଷ୍ଟର ବୈଧତା ସମ୍ପର୍କିତ ଏକ ମାମଲାର ଶୁଣାଣି ଉତ୍ତରାଖଣ୍ଡ ଉଚ୍ଚନ୍ୟାୟାଳୟରେ ଚାଲିଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ତାଙ୍କ ବୟାନ ହିନ୍ଦୀରେ ଦେଇଥିଲେ। ଏଣୁ କୋର୍ଟ ଏହା ଉପରେ ପ୍ରଶ୍ନ ଉଠାଇବାରୁ ସେ ଇଂରାଜୀ ବୁଝି ପାରନ୍ତି ହେଲେ ଇଂରାଜୀରେ କଥାବାର୍ତ୍ତା  କରି ପାରନ୍ତିନି ବୋଲି ସ୍ୱୀକାର କରିଥିଲେ। ଏଣୁ କୋର୍ଟ ଏଡିଏମ ଭଳି ଏକ କାର୍ଯ୍ୟକାରୀ ପଦକୁ ଜଣେ ଏପରି ଅଧିକାରୀ ପ୍ରଭାବୀ ରୂପେ ତୁଲାଇ ପାରିବେ କି ବୋଲି ପ୍ରଶ୍ନ ଉଠାଇଛନ୍ତି। 

ଉତ୍ତରାଖଣ୍ଡ ଉଚ୍ଚନ୍ୟାୟାଳଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ୍ ଜୀ.ନରେନ୍ଦ୍ର ଓ ଜଷ୍ଟିସ୍ ଆଲୋକ ମାହାରାଙ୍କ ପୀଠ ଏହି ପ୍ରଶ୍ନ ସେତେବେଳେ କରିଛନ୍ତି ଯେତେବେଳେ ଏଡିଏମ ବିବେକ ରାୟ କୋର୍ଟରେ ହିନ୍ଦୀରେ ତାଙ୍କ ଜବାବ ରଖିଲେ। ଏଣୁ କୋର୍ଟ ଇଂରାଜୀରେ କହି ପାରିବେନି କି ବୋଲି ପ୍ରଶ୍ନ କରିଥିଲେ, ଏଥିରେ ବିବେକ ରାୟ  କହିଥିଲେ ଯେ ସେ ଇଂରାଜୀ ବୁଝି ପାରନ୍ତି ହେଲେ ଇଂରାଜୀରେ କଥାବାର୍ତ୍ତା  କରି ପାରନ୍ତିନି। 

ଏଣୁ କୋର୍ଟ ରାଜ୍ୟ ନିର୍ବାଚନ କମିଶନ ଓ ମୁଖ୍ୟ ସଚିବଙ୍କୁ ଜଣେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ କ୍ୟାଡରର କୌଣସି ଅଧିକାରୀ, ଯାହାଙ୍କର ଇଂରାଜୀରେ କୌଣସି ଜ୍ଞାନ ନାହିଁ, ଯିଏ ସ୍ୱୟଂ ଇଂରାଜୀରେ ନିଜ କଥା କହିବାକୁ ଅସମର୍ଥ ସେ କୌଣସି କାର୍ଯ୍ୟକାରୀ ପଦପଦବୀକୁ ପ୍ରଭାବୀ ଢଙ୍ଗରେ ଚଳାଇ ପାରୁଥିବେ କି  ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ ବିବେକ ରାୟ ରାଜ୍ୟ ସିଭିଲ ସେବାର ଜଣେ ଅଧିକାରୀ ଓ ଚଳିତବର୍ଷ ପ୍ରାରମ୍ଭରେ ତାଙ୍କୁ ନୈନିତାଲ ଏଡିଏମ ପଦବୀରେ ଅବସ୍ଥାପିତ କରାଯାଇଛି। ତେବେ ଏହା ପୂର୍ବରୁ ସେ କେତେକ ସ୍ଥାନରେ ଏସଡିଏମ ପଦରେ ମଧ୍ୟ ଅବସ୍ଥାପିତ ଥିଲେ। 

ଉଲ୍ଲେଖଯୋଗ୍ୟ ଯେ କୋର୍ଟ ଏହି ଟିପ୍ପଣୀ ନୈନିତାଲ ଜିଲ୍ଲାର ବୁଧଲାକୋଟ ଗ୍ରାମସଭାରେ ପଞ୍ଚାୟତ ନିର୍ବାଚନ ଲାଗି ଭୋଟର ସୂଚୀରେ ବାହାର ଲୋକଙ୍କ ନାମ ସାମିଲ କରାଯିବା ନେଇ ପ୍ରଶ୍ନ ଉଠାଉଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣିରେ ଦେଇଛନ୍ତି। ଏହି ଶୁଣାଣିରେ ଉଚ୍ଚନ୍ୟାୟାଳୟ କେଉଁ ଆଧାରରେ ଏହି ଲୋକମାନଙ୍କ ଚିହ୍ନଟ ସେହି କ୍ଷେତ୍ରର ନିବାସୀ ରୂପେ କରାଯାଇଛି ସେ ନେଇ ପ୍ରଶ୍ନ କରିଥିଲେ। ଏଥିରେ ନିର୍ବାଚନ ଅଧିକାରୀ କହିଥିଲେ ଯେ ପରିବାର ରେଜିଷ୍ଟର ଅନୁସାରେ ନାମ ଚିହ୍ନଟ କରାଯାଇଥିଲା। ଏଥିରେ କୋର୍ଟ କହିଛନ୍ତି ଯେ ପଞ୍ଚାୟତୀରାଜ ଅଧିନିୟମ ଅନୁସାରେ ଜନ୍ମ ଓ ମୃତ୍ୟୁ ପ୍ରମାଣ ପତ୍ରକୁ ପରିବାର ରେଜିଷ୍ଟର ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.