NISAR ମିଶନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ, ବୁଧବାର ସଂଧ୍ୟାରେ ହେବ ବହୁ ପ୍ରତୀକ୍ଷିତ ଉତ୍‌କ୍ଷେପଣ

Published By : Prameya-News7 Bureau | July 29, 2025 IST

ନୂଆଦିଲ୍ଲୀ: ନାସା ଏବଂ ଇସ୍ରୋ ଦ୍ୱାରା ମିଳିତ ଭାବରେ ବିକଶିତ NISAR (NASA-ISRO Synthetic Aperture Radar )ର ବହୁ ପ୍ରତୀକ୍ଷିତ ଉତ୍‌କ୍ଷେପଣ ଜୁଲାଇ ୩୦ରେ ହେବ । ସନ୍ଧ୍ୟା ୫:୪୦ ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ମହାକାଶ କେନ୍ଦ୍ରରୁ ଏହାର ଉତ୍‌କ୍ଷେପଣ କରାଯିବ । ନିସାର ମିଶନ ପାଇଁ ୨୭.୩୦ ଘଣ୍ଟାର ଓଲଟା ଗଣତି ମଙ୍ଗଳବାର ଦିନ ୨:୧୦ରୁ ଆରମ୍ଭ ହୋଇଛି । ଏହା ଶ୍ରୀହରିକୋଟା ସ୍ଥିତ ମହାକାଶ କେନ୍ଦ୍ରରୁ ୧୦୨ତମ ପ୍ରକ୍ଷେପଣ ହେବ ।

ନିସାର ଏକ ପର୍ଯ୍ୟବେକ୍ଷଣ (ଅବଜରବେସନ୍) ଉପଗ୍ରହ । ଏହି ଉପଗ୍ରହକୁ GSLV-F16ରେ ଉତ୍‌କ୍ଷେପଣ କରାଯିବ ଏବଂ ୭୩୪ କିଲୋମିଟର ସୂର୍ଯ୍ୟ ସମକାଳୀନ କକ୍ଷପଥରେ ସ୍ଥାପନ କରାଯିବ । ଏହା ଏପରି ଏକ କକ୍ଷପଥ ଯେଉଁଥିରେ ଉପଗ୍ରହଟି ପ୍ରତିଦିନ ସମାନ ସମୟରେ ଗୋଟିଏ ସ୍ଥାନରେ ପହଞ୍ଚିଥାଏ ।

ନିସାର ଉପଗ୍ରହ ପ୍ରତି ୧୨ ଦିନରେ ପୁରା ବିଶ୍ୱକୁ ସ୍କାନ କରିବ । ନାସା- ଇସ୍ରୋ ସିନ୍ଥେଟିକ୍ ଆର୍ପେଚର ରାଡାର ପାଇଁ ବ୍ୟବହୃତ ହେଉଥିବା NISAR ଏବେ ପୃଥିବୀର ଅଦ୍ଭୂତ ଦୃଶ୍ୟ ପ୍ରଦାନ କରିବ । ନାସାର ଏଲ୍-ବ୍ୟାଣ୍ଡ ଏବଂ ଇସ୍ରୋର ଏସ୍-ବ୍ୟାଣ୍ଡ ସହ ୨,୩୯୨ କିଲୋଗ୍ରାମ ଓଜନର ଏହା ପ୍ରଥମ ଉପଗ୍ରହ ହେବ, ଯିଏ ଦୁଇଟି ଫ୍ରିକ୍ୱେନ୍ସିରେ ପୃଥିବୀର ନୀରକ୍ଷଣ କରିବ । NASA ଅନୁଯାୟୀ, "ପ୍ରତ୍ୟେକ ସିଷ୍ଟମର ସିଗନାଲ୍ ପୃଥିବୀ ପୃଷ୍ଠରେ ଥିବା ବିଭିନ୍ନ ଆକାରର ବୈଶିଷ୍ଟ୍ୟ ପ୍ରତି ସମ୍ବେଦନଶୀଳ ଏବଂ ପ୍ରତ୍ୟେକର ଆର୍ଦ୍ରତା ଏବଂ ଗତି ଭଳି ବିଭିନ୍ନ ଗୁଣ ମାପିବା ପାଇଁ ଦକ୍ଷ ।"

ଗୋଟିଏ ସାଟେଲାଇଟରେ ଦୁଇଟି ରାଡାର ସିଷ୍ଟମ ସ୍ଥାପନ କରିବା ଏକ ଅନନ୍ୟ ଇଞ୍ଜିନିୟରିଂ ସଫଳତା । କାରଣ ଦୁଇଟି ସିଷ୍ଟମକୁ ବିଭିନ୍ନ ହାର୍ଡୱେୟାର ସେଟ୍ ଆବଶ୍ୟକ, ଏବଂ ପରସ୍ପର ସହିତ ହସ୍ତକ୍ଷେପ ନକରି ପରିପୂରକ ପଦ୍ଧତିରେ କାର୍ଯ୍ୟ କରିବାକୁ ପଡିବ । ତେଣୁ ଏହା ପୃଥିବୀ ପୃଷ୍ଠରେ ଘଟୁଥିବା ବିଭିନ୍ନ ଘଟଣାର ଅଧ୍ୟୟନ କରିପାରିବ । ଉଦାହରଣ ପାଇଁ ସମୁଦ୍ର ବରଫର ଗତି, ଝଡ଼ର ପଥ, ଉଦ୍ଭିଦ ଏବଂ ଜଙ୍ଗଲରେ ପରିବର୍ତ୍ତନ, ଏପରିକି ଭୂମିକମ୍ପ ଏବଂ ଆଗ୍ନେୟଗିରି ସମୟରେ ଗତିବିଧି ଉପରେ ନଜର ରଖିବ । ବୈଜ୍ଞାନିକମାନେ ଆଶା କରୁଛନ୍ତି ଯେ ଏହି ଉପଗ୍ରହ ଜଳବାୟୁ ପରିବର୍ତ୍ତନ କିମ୍ବା ପ୍ରାକୃତିକ ବିପଦର ମୁକିବାଲରେ ସହାୟକ ହେବ ।

ପ୍ରାୟ ୧.୫ ବିଲିୟନ ଆମେରିକୀୟ ଡଲାରରେ ତିଆରି ଏହି ସାଟେଲାଇଟ୍ ବିଶ୍ୱର ସବୁଠାରୁ ମହଙ୍ଗା ପର୍ଯ୍ୟବେକ୍ଷଣ ସାଟେଲାଇଟ୍ । ଇସ୍ରୋ ଏହି ସାଟେଲାଇଟ୍ ପାଇଁ ୪୬୯.୪ କୋଟି ଟଙ୍କା ଖର୍ଚ୍ଚ କରିଛି । ଭାରତୀୟ ମହାକାଶ ସଂସ୍ଥା ଏହି ସାଟେଲାଇଟର ଉତକ୍ଷେପଣରେ ଖର୍ଚ୍ଚ ମଧ୍ୟ ବହନ କରିବ । ଏହି ସାଟେଲାଇଟ୍ ଉତକ୍ଷେପଣରେ ଅନେକ ବିଳମ୍ବ ହୋଇସାଇଛି । ଯାନ୍ତ୍ରିକ ସମସ୍ୟା ଯୋଗୁଁ ଗତ ବର୍ଷ ନିର୍ଦ୍ଧାରିତ ଉତକ୍ଷେପଣକୁ ସ୍ଥଗିତ ରଖାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.