ରାହୁଲ ଗାନ୍ଧୀଙ୍କ ସହ କରିଥିଲେ ପଦଯାତ୍ରା, ସୁଟ୍‌କେସ୍ ଭିତରୁ ମିଳିଲା କଂଗ୍ରେସ ନେତ୍ରୀଙ୍କ ମୃତଦେହ

Published By : Prameya-News7 Bureau | March 01, 2025 IST

ନୂଆଦିଲ୍ଲୀ: ହରିୟାଣାର ରୋହତକ ଜିଲ୍ଲାର ସାମ୍ପଲା ସହରରେ ଜଣେ ଯୁବୀତଙ୍କ ମୃତଦେହ ମିଳିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି । ବସ୍ ଷ୍ଟାଣ୍ଡ ନିକଟରେ ଗୋଟିଏ ବଡ଼ ସୁଟକେସ୍‌ ପଡ଼ିଥିଲା । ସ୍ଥାନୀୟ ଲୋକ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ । ପୋଲିସ ଏବଂ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ (FSL) ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସ ସୁଟ୍‌କେସ୍ ଖୋଲି ଦେଖିବା ବେଳେ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ସୁଟ୍‌କେସ୍ ଭିତରେ ଜଣେ ଯୁବତୀଙ୍କ ମୃତଦେହ ଦେଖିବାକୁ ପାଇଥିଲେ । 

ରୋହତକ ସାମ୍ପଲା ବସ୍ ଷ୍ଟାଣ୍ଡର ପୋଲ୍ ନିକଟ ଦେଇ ଯାଇଥିବା ରାସ୍ତା ନିକଟରେ ଏକ ନୀଳ ରଙ୍ଗର ବଡ଼ ସୁଟକେସ୍ ରଖାଯାଇଥିଲା । ସ୍ଥାନୀୟ ଲୋକେ ସାମ୍ପଲା ଥାନା ପୋଲିସକୁ ଏହି ସୂଚନା ଦେଇଥିଲେ । ଯୁବତୀଙ୍କୁ ଗଳା ଚପି ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି । ପୋଲିସ ପ୍ରଥମେ ଅଜ୍ଞାତ ମୃତ ଦେହ ଭାବେ ତଦନ୍ତ କରିଥିଲା । କିନ୍ତୁ ପରେ ଯୁବତୀଙ୍କ ପରିଚୟ କଂଗ୍ରେସ ନେତ୍ରୀ ହିମାନୀ ନରୱାଲ ବୋଲି ଜଣାପଡ଼ିଥିଲା । ପୋଲିସ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପିଜିଆଇ ପଠାଯାଇଛି ।

ହିମାନୀ ନରୱାଲ ସାଂସଦ ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଥିଲେ । ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡ୍ଡା, କଂଗ୍ରେସ ସାଂସଦ ଦୀପେନ୍ଦ୍ର ସିଂହ ହୁଡ୍ଡା ଓ ରୋହତକ ବିଧାୟକ ବିବି ବାତ୍ରାଙ୍କ ସହ ହିମାନୀଙ୍କ ଅନେକ ଫଟୋ ସୋସିଆଲ୍ ମିଡିଆରେ ରହିଛି । ହିମାନୀଙ୍କ ମୃତ ଦେହ ମିଳିବା ପରେ ବିରୋଧୀ କଂଗ୍ରେସ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ।

ବିଧାୟକ ବିବି ବାତ୍ରା ହିମାନୀ ନରୱାଲଙ୍କୁ ହତ୍ୟା କରାଯାଇଥିବା ଆଶଂକା କରିଛନ୍ତି । ମାମଲାର ତଦନ୍ତ ଏସଆଇଟି ଦ୍ୱାରା କରିବା ପାଇଁ ସେ ଦାବି କରିଛନ୍ତି । ସେ କହିଛନ୍ତି ଯେ ହିମାନୀ ନରୱାଲ କଂଗ୍ରେସର ସକ୍ରିୟ କାର୍ଯ୍ୟକର୍ତ୍ତା ଥିଲେ ଏବଂ ପାର୍ଟିର ପ୍ରତିଟି କାର୍ଯ୍ୟକ୍ରମରେ ଭାଗ ନେଉଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.