ନିର୍ବାଚନମଣ୍ଡଳି ସୀମା ନିର୍ଦ୍ଧାରଣ: ଷ୍ଟାଲିନଙ୍କୁ ମିଳିଲା କଂଗ୍ରେସର ସମର୍ଥନ, ଜାଣନ୍ତୁ କ’ଣ କହିଲେ କାର୍ତ୍ତି ଚିଦମ୍ବରମ?

Published By : Prameya-News7 Bureau | March 19, 2025 IST

ଚେନ୍ନାଇ ୧୯।୩: ଲୋକସଭା ଆସନ ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ତାମିଲନାଡୁ ରାଜନୈତିକ ଦଳଙ୍କ ବିରୋଧକୁ ଏବେ ରାଜ୍ୟ କଂଗ୍ରେସ ଦଳ ସାଂସଦଙ୍କ ସମର୍ଥନ ମିଳିଛି। କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ କହିଛନ୍ତି ଯେ ଯଦି ଆଗାମୀ ବର୍ଷ ଜନଗଣନା ପରେ ଦ୍ୱିତୀୟବାର ଲୋକସଭାର ୫୪୩ ଆସନକୁ ରାଜ୍ୟଙ୍କ ମଧ୍ୟରେ ବଣ୍ଟାଯାଏ ତେବେ ତାମିଲନାଡୁ ଓ ଦକ୍ଷିଣ ଭାରତ ସହିତ ଅନ୍ୟାୟ ହେବ। ସେ କହିଛନ୍ତି ଯେ ଆପଣ ପରିବାର ନିୟୋଜନ ନିମନ୍ତେ ଅଥବା ସରକାରୀ ଯୋଜନା ପାଇଁ ଆମକୁ ଦଣ୍ଡିତ କରିପାରିବେ ନାହିଁ। 

ସେ ଏହା ମଧ୍ୟ କହିଛନ୍ତି ଯେ ଆପଣ ସେହିରାଜ୍ୟଙ୍କୁ ବି ପୁରସ୍କୃତ କରିପାରିବେନି ଯେଉଁ ରାଜ୍ୟମାନେ ଯୋଜନା ପାଳନ କରି ନାହାନ୍ତି। ଏହା ଦ୍ୱାରା ସଂସଦରେ ଆମର ସ୍ୱର ଦୁର୍ବଳ ହେବ। ଯଦି ଆପଣ ଲୋକସଭା ଆସନ ସଂଖ୍ୟା ବଢାଇ ୮୮୮ କରିଦିଅନ୍ତି ତଥାପି ଆସନ ଆବଣ୍ଟନରେ ତାମିଲନାଡୁ(ପୁଡୁଚେରୀ)କୁ ୪୦ ସ୍ଥାନରେ  ୫୦ ଆସନ ହିଁ ମିଳିବ, ହେଲେ ଉତ୍ତରପ୍ରଦେଶକୁ ୮୦ଟି ସ୍ଥାନରେ ୧୫୦ଟି ଆସନ ମିଳିବ। ଏହା ସମ୍ପୂର୍ଣ୍ଣ ଅନ୍ୟାୟ ହେବ। ଯେ କୌଣସି ଫର୍ମୂଲାରେ ବି ଦକ୍ଷିଣ ଭାରତ ସହିତ ଅନ୍ୟାୟ ହେବ ଯାହା ଆମକୁ ସ୍ୱୀକାର ନୁହେଁ ବୋଲି କହିଛନ୍ତି। 

କାର୍ତ୍ତି ଚିଦାମ୍ବରମ କହିଛନ୍ତି ଯେ ୮୮୮ ସଦସ୍ୟର ସଂସଦ କୌଣସି ଲାଭକୁ ଆସିବନି। କାରଣ ଆଦି ୫୪୩ ସାଂସଦରେ ଆମକୁ କହିବାକୁ ସୁଯୋଗ ମିଳୁ ନାହିଁ, ସଂଖ୍ୟା ବଢିଯିବା ପରେ କଣ ହେବ? ବୋଲି ସେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ ଅମିତ ଶାହ ବୟାନରେ କହିଥିଲେ ଯେ କାହା ସହିତ ବି ଅନ୍ୟାୟ ହେବ ନାହିଁ। ତେବେ ଆମେ ଜାଣିନୁ ସେମାନେ କଣ କରିବାକୁ ଯାଉଛନ୍ତି ଓ ଅନ୍ୟାୟ କିପରି ହେବ ନାହିଁ। ତେବେ ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ନେଇ ଆଲୋଚନା ନିମନ୍ତେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ ମାର୍ଚ୍ଚ ୨୨ ତାରିଖରେ ବୈଠକ ଆହ୍ୱାନ କରିଛନ୍ତି। 

ଏହି ବୈଠକରେ କେରଳ, ତେଲଙ୍ଗନା, ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସହିତ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ.ଶିବକୁମାର, ବିଜୁ ଜନତା ଦଳ ନେତା ନବୀନ ପଟ୍ଟନାୟକ, ଆନ୍ଧ୍ରପ୍ରଦେଶରୁ ୱାଇଏସଆର କଂଗ୍ରେସ ପ୍ରତିନିଧି, କଂଗ୍ରେସର କେରଳ ରାଜ୍ୟମୁଖ୍ୟ, ତୃଣମୂଳ କଂଗ୍ରେସ, ଆଇୟୁଏମଏଲ ଓ ପଞ୍ଜାବ କଂଗ୍ରେସର ପ୍ରତିନିଧି ବୈଠକରେ ଅଂଶଗ୍ରହଣ କରିବେ। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଏହା ପୂର୍ବରୁ ସାରା ଦେଶର ବିଭିନ୍ନ ରାଜନୈତିକ ଦଳ ନେତା ଓ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟାକୁ ବିରୋଧ କରିବା ପାଇଁ ସମର୍ଥନ ମାଗିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.