ବିଧାନସଭା ଘେରିବ କଂଗ୍ରେସ, ଆନ୍ଦୋଳନ ରୋକିବାକୁ ୮୦ ପ୍ଲାଟୁନ ପୋଲିସ ଫୋର୍ସ

Published By : Prameya-News7 Bureau | March 27, 2025 IST

ଭୁବନେଶ୍ୱର ୨୭।୦୩ : ବିଧାନସଭା ଘେରିବ କଂଗ୍ରେସ। ଏଥିପାଇଁ କମିଶନରେଟ୍ ପୋଲିସର ଚିନ୍ତା ବଢ଼ିଯାଇଛି। କେମିତି ସେମାନଙ୍କୁ ରୋକିବ ତାକୁ ନେଇ ଯୋଜନା ପ୍ରସ୍ତୁତ ହୋଇଛି। ଆନ୍ଦୋଳନକାରୀଙ୍କୁ ରୋକିବାକୁ ପୋଲିସ୍ ୮୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରିଛି। ଏଥିରେ ୧୦ ପ୍ଲାଟୁନ୍ ମହିଳା ଫୋର୍ସ ରହିବେ। ଆଇନ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନେବ ପୋଲିସ। 

ତେବେ AG ଛକ, ଲୋକସେବା ଭବନ ଗେଟ୍, ବିଧାନସଭାର ୪ଟି ଗେଟ୍, ରବୀନ୍ଦ୍ର ମଣ୍ଡପ ଛକ, ଆଇ ଆଣ୍ଡ ପି.ଆର୍. ଛକ, ଲୋୟର ପିଏମଜି, ମାଷ୍ଟର କ୍ୟାଣ୍ଟିନରେ ପୋଲିସ ମୁତୟନ ହେବେ। ଲୁହବୁହା ଗ୍ୟାସ, ପାଣି ମାଡ଼ କରିବା ପାଇଁ ଅଗ୍ନିଶମର ୨ଟି ଗାଡ଼ି ମଧ୍ୟ ପିଏମ୍ ଜି ଛକରେ ରହିଛି। ବିଭିନ୍ନ ଜିଲ୍ଲାରୁ ଶହ ଶହ କଂଗ୍ରେସ କର୍ମୀ ବିଧାନସଭା ଘେରିବାକୁ ଆସିବେ ବୋଲି ଗୁଇନ୍ଦା ବିଭାଗ ପାଖରେ ଖବର ରହିଛି। ସେମାନଙ୍କୁ କେମିତି ଜିଲ୍ଲା ସ୍ତରରେ ଅଟକାଇ ହେବ ତାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା । 

ବିଳମ୍ବିତ ରାତିରେ ଭୁବନେଶ୍ଵର ବିଭିନ୍ନ ପ୍ରବେଶ ପଥରେ ପୁଲିସ୍ ବ୍ଲକିଂ ଚେକିଂ କରି ଆନ୍ଦୋଳନକାରୀଙ୍କୁ ଅଟକ ରଖୁଛି। ତା'ଛଡା କମିଶନରେଟ୍ ପୁଲିସର ପୁରୁଣା ଓ ଦକ୍ଷ ଅଫିସର ଯେଉଁମାନେ ୨୦୧୯ ନିର୍ବାଚନ ସମୟରେ ବାହାରକୁ ଯାଇଥିଲେ, ସେମାନଙ୍କୁ ସବୁ ଭୁବନେଶ୍ଵର ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହି ଅଫିସରମାନେ ପିଏମ୍ ଜିରେ ରହି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବେ। ଆନ୍ଦୋଳନ ସମୟରେ କାଳେ କିଛି ଅଘଟଣ ଘଟିବ, ସେଥିପାଇଁ ପୁଲିସ୍ ସବୁ ପ୍ରକାର ପ୍ରସ୍ତୁତି କରିଛି। ପୂର୍ବଠାରୁ ଅଧିକ ସିସି କ୍ୟାମେରା ଲଗାଇଛି । କିଛି ଗଳି ରାସ୍ତାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। କମ୍ ସଂଖ୍ୟକ ଆନ୍ଦୋଳନକାରୀ ଆସିବା ଦିଗରେ ଅଧିକ ଫୋକସ୍ ଦିଆଯାଇଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଡିଜିପି ଓ୍ୱାଇ.ବି ଖୁରାନିଆ ସ୍ଥିତି ସମୀକ୍ଷା କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.