ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ଜାଳିଦେଲେ : ଗ୍ୟାରେଜ୍ କବାଟ ବନ୍ଦ କରି ଲଗାଇଦେଲେ ନିଆଁ

NEWS7
congress-president-rahul-gandhi-to-visit-odisha-today-2

ଢାକା,|୧: ବାଂଲାଦେଶରେ ହିନ୍ଦୁ ବିରୋଧି ହିଂସା ଥମିବାର ନାଁ ନେଉନି । ଗୋଟିଏ ପରେ ଗୋଟିଏ ହିନ୍ଦୁଙ୍କ ମୁଣ୍ଡ ଗଡୁଛି । ବିନା କାରଣରେ ସଂଖ୍ୟାଲଘୁଙ୍କୁ ଆକ୍ରମଣ କରାଯାଉଛି । ଦେଶରେ ନିର୍ବାଚନ ପାଖେଇ ଆସିବା ପରଠୁ ଅତ୍ୟାଚାର ଅଧିକ ବଢିବାରେ ଲାଗିଛି । ଶୁକ୍ରବାର ୨୩ ବର୍ଷୀୟ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା କରାଯାଇଛି । ତାଙ୍କୁ ଜୀଅନ୍ତା ଜାଳି ଦିଆଯାଇଛି ।

ରିପୋର୍ଟ ଅନୁସାରେ, ଦେଶର ନରସିନ୍ଦି ପ୍ରାନ୍ତରେ ଥିବା ଏକ ଗ୍ୟାରେଜରେ ଶୋଇଥିଲେ ଚମ୍ବଲ ଭୌମିକ । ୨୩ ବର୍ଷୀୟ ଭୌମିକ ସବୁଦିନ ଭଳି ସମସ୍ତ କାମ ସାରି ବିଶ୍ରାମ ନେଉଥିଲେ । ଏହି ସମୟରେ କିଛି ଆକ୍ରମଣକାରୀ ସେଠାରେ ପହଁଚିଥିଲେ । ସେମାନେ ଗ୍ୟାରେଜର କବାଟ ବାହାରୁ ବନ୍ଦ କରିଦେଇଥିଲେ । ଏହାପରେ ଚାରିଆଡେ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିଲେ ।

ନିଆଁ ଲାଗିବା ପରେ ବଞ୍ଚିବା ପାଇଁ ପାଟି କରିଥିଲେ ଭୌମିକ । ହେଲେ ବଞ୍ଚିବାର କୌଣସି ରାସ୍ତା ନଥିଲା । ତାଙ୍କ ହୃଦୟ ବିଦାରକ ଚିତ୍କାର ସମସ୍ତେ ଶୁଣିଥିଲେ ବି କେହି ରକ୍ଷା କରିବାକୁ ସାହାସ ପାଇନଥିଲେ । ଧିରେ ଧିରେ ନିଆଁର ଧାସରେ ସେ ଜଳିଯାଇଥିଲେ । ତାଙ୍କ କାନ୍ଧରେ ବୁଢୀ ମାଆ ଏବଂ ଦିବ୍ୟାଙ୍ଗ ଭାଇଙ୍କ ବୋଝ ରହିଥିଲା । ହେଲେ ରାକ୍ଷସମାନେ ଏସବୁ ନଭାବି ତାଙ୍କୁ ଅତି ଅମାନବୀୟ ଭାବେ ହତ୍ୟା କରିଛନ୍ତି ।

ତେବେ ଏହା ନୂଆ ନୁହେଁ । ସପ୍ତାହେ ପୂର୍ବରୁ ବାଂଲାଦେଶରେ ଜଣେ ହିନ୍ଦୁ ବ୍ୟବସାୟୀଙ୍କୁ ହତ୍ୟା କରାଯାଇଥିଲା । ଏହାର ଗୋଟିଏ ଦିନ ପୂର୍ବରୁ ଜଣେ ପେଟ୍ରୋଳ ପମ୍ପ୍ କର୍ମଚାରୀଙ୍କୁ ମଧ୍ୟ ଗାଡି ଚଢାଇ ହତ୍ୟା କରାଯାଇଥିଲା ।

ସୂଚନାଯୋଗ୍ୟ, ୨୦୨୪ରେ ବାଂଲାଦେଶରେ ସରକାର ପରିବର୍ତ୍ତନ ଘଟିଥିଲା । ସେଖ ହାସିନାଙ୍କ ବିରୋଧରେ ନିଆଁ ବ୍ୟାପିଥିଲା । ସେ ଭାରତ ଚାଲି ଆସିଥିଲେ । ସେବେଠୁ ବାଂଲାଦେଶ ଅଶାନ୍ତ ହୋଇପ଼ଡିଛି । ଲଗାତାର ଭାବେ ହିନ୍ଦୁଙ୍କ ବିରୋଧରେ ଆକ୍ରମଣ ବଢି ଚାଲିଛି ।