ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ସୀତାପୁର କଂଗ୍ରେସ ସାଂସଦ ରାକେଶ ରାଠୋରଙ୍କୁ ଗିରଫ କରାଯାଇଛି। ସୀତାପୁରରେ ଏକ ଦୁଷ୍କର୍ମ ମାମଲାରେ ଜଣେ ମହିଳାଙ୍କ ଅଭିଯୋଗ କ୍ରମେ ପୁଲିସ ତାଙ୍କୁ ଗିରଫ କରିଛି। ରାଠୋର ନିଜ ଘରେ ଘଟଣା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ କରୁଥିଲେ। ହେଲେ ପୁଲିସ ହଠାତ୍ ଆସି ତାଙ୍କୁ ଗିରଫ କରି ନେଇ ଯାଇଛି।
ଏହା ପୂର୍ବରୁ ମାମଲାରେ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ରାକେଶଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। କୋର୍ଟ ଜାମିନ ଖାରଜ କରିବାର ଦିନକ ପରେ ପୁଲିସ ତାଙ୍କୁ ଗିରଫ କରିଛି। ସାଂସଦ ରାକେଶ ରାଠୋଡ଼ ଜଣେ ମହିଳାଙ୍କୁ ବିବାର ପ୍ରତିଶ୍ରୁତି ଦେଇ ୪ ବର୍ଷ ଧରି ତାଙ୍କର ଶୋଷଣ କରିଥିଲେ ବୋଲି ତାଙ୍କ ବିରୋଧରେ ଅଭିଯୋଗ ଆସିଛି।
ଗତକାଲି ଅହ୍ଲାବାଦ ହାଇକୋର୍ଟର ଜଷ୍ଟିସ୍ ରାଜେଶ ସିଂହ ଚୌହାନଙ୍କ ଜଣିକିଆ ଖଣ୍ଡପୀଠ ରାଠୋରଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରିଥିଲେ। ରାଠୋରଙ୍କ ଓକିଲ ତର୍କ ଦେଇ କହିଥିଲେ ଯେ ଅଭିଯୋଗକାରିଣୀ ଶୋଷଣର ୪ ବର୍ଷ ପରେ ମାମଲା କରିଛନ୍ତି। ତେଣୁ ମୋ ମହକିଲଙ୍କୁ ଫସାଇ ଦିଆଯାଇଛି ବୋଲି ସେ ଜାମିନ୍ ଆବେଦନରେ କହିଥିଲେ। ହେଲେ କୋର୍ଟ ମାମଲାର ଗୁରୁତ୍ୱ ବୁଝି ଏହାକୁ ଖାରଜ କରିଦେଇଛନ୍ତି। ଏବଂ ଦୁଇ ସପ୍ତାହ ଭିତରେ ଆତ୍ମସମର୍ପଣ କରିବାକୁ କୋର୍ଟ ସାଂସଦଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଜାନୁଆରୀ ୧୭ ତାରିଖରେ, ମହିଳାଙ୍କ ଅଭିଯୋଗ କ୍ରମେ ଉତ୍ତର ପ୍ରଦେଶ ପୋଲିସ ରାଠୋରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ତିନି ଦିନ ପରେ, କଂଗ୍ରେସ ସାଂସଦଙ୍କ ଓକିଲ ଅରବିନ୍ଦ ମାସଡାଲନ ଏବଂ ଦିନେଶ ତ୍ରିପାଠୀ ସୀତାପୁରରେ ଆଗୁଆ ଜାମିନ ପାଇଁ ଏକ ଆବେଦନ ଦାଖଲ କରିଥିଲେ। ଏହାପରେ ଜାନୁଆରୀ ୨୩ ତାରିଖରେ ସୀତାପୁରର ଏମ୍ପି-ଏମଏଲଏ କୋର୍ଟ ରାଠୋରଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ।