ପଢିବାକୁ ଯାଇଥିଲେ ଆମେରିକା, ବୟସ୍କଙ୍କୁ ଠକି ରୋଜଗାର କରୁଥିଲେ ଟଙ୍କା : ଭାରତୀୟ ଛାତ୍ରଙ୍କୁ ୧୮ ବର୍ଷ ଜେଲ୍

NEWS7
congress-leader-revanth-reddy-takes-oath-as-the-chief-minister

ନ୍ୟୁୟର୍କ, ୨୩/୦୨: ଆମେରିକାରେ ଭାରତୀୟ ନାଗରିକଙ୍କୁ ଜେଲ୍ । ଠକେଇ ମାମଲାରେ ସଜ୍ଜା ଶୁଣାଇଲେ କୋର୍ଟ । ଜଣେ ୨୩ ବର୍ଷୀୟ ଭାରତୀୟ ନାଗରିକ ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ୧୮ ବର୍ଷର ଜେଲ୍ ଦଣ୍ଡ ହୋଇଛି । ଦଣ୍ଡ ପାଇଥିବା ବ୍ୟକ୍ତି ହେଲେ ୨୩ ବର୍ଷୀୟ ଅଥର୍ବ ଶୈଳେସ ସାଥାଓ୍ୱାଣେ ।

ରିପୋର୍ଟ ଅନୁସାରେ, ଅଥର୍ବ ଆମେରିକାରେ ଷ୍ଟଡି ଭିସାରେ ପଢିବାକୁ ଆସିଥିଲେ । ଏଠାରେ ସେ ଅନେକ ଦିନ ଧରି ରହୁଛନ୍ତି । ଭିସା ଅବଧି ପରେ ବି ସେ ଆମେରିକା ଛାଡିନଥିଲେ । ଦିନକୁ ଦିନ ସେ କିଛି ଖଳ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ । ଏକ ଗ୍ୟାଙ୍ଗ ସହ ମିଶି ବୟସ୍କ ଲୋକଙ୍କୁ ଠକେଇ କରିଥିଲେ । ଅବସର ପରେ ବୟସ୍କଙ୍କ ଅର୍ଥକୁ ସେ ଏବଂ ତାଙ୍କ ଗ୍ୟାଙ୍ଗ୍ କାଇଦା କରି ହାତେଇ ନେଉଥିଲା । ବୟସ୍କ ଲୋକଙ୍କ ପାଖରେ ଥିବା ସୁନା ଗହଣାକୁ ସେ ଟଙ୍କାରେ ପରିବର୍ତ୍ତନ କରିବା ବାହାନା କରୁଥିଲେ । ଥରେ ସୁନା ଗହଣା ନେଲା ପରେ ସେମାନଙ୍କୁ ଧରାଛୁଆଁ ଦେଉନଥିଲେ । ତାଙ୍କ ଗ୍ୟାଙ୍ଗର କିଛି ସଦସ୍ୟ ଭାରତରୁ ମଧ୍ୟ ଅପରେଟ୍ କରୁଥିଲେ ।

ମୁଖ୍ୟତଃ ଫ୍ଲୋରିଡାରେ ଅଥର୍ବ ନିଜର କଳା କାରନାମା ଚଳାଇଥିଲେ । ଏହା ବ୍ୟତୀତ ଫେନସାଲଭାନିଆ ଏବଂ ଭର୍ଜିନିଆରେ ସେ କିଛି ବୟସ୍କଙ୍କୁ ଟାର୍ଗେଟ୍ କରିଥିଲେ । ସେ ପ୍ରାୟ ୬,୬୧୫,୪୮୪ ଡଲାର ଠକେଇ କରିଛନ୍ତି । ଥାନାରେ ଏନେଇ ଅଭିଯୋଗ ହେଲା ପରେ ଏଫବିଆଇ ଏହାର ଖୋଳତାଡ କରିଥିଲା । ଯେଉଁଥିରେ ଅଥର୍ବଙ୍କ ନାଁ ଆସିଥିଲା । ଶେଷରେ ସେ ଗିରଫ ହୋଇଛନ୍ତି ।

ଗିରଫ ହେଲା ପରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହାସହ ୧୮ ବର୍ଷର ଜେଲ୍ ଦଣ୍ଡ ଶୁଣାଇଛନ୍ତି । ତେବେ ଏଘଟଣା ପରେ ଆମେରିକାରେ ଭାରତୀୟଙ୍କ କଳା କାରନାମାର ଆଉ ଏକ ଅଧ୍ୟାୟ ଯୋଡି ହୋଇ ଯାଇଛି । ଏମିତି ବି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସବୁ ପ୍ରବାସୀଙ୍କ ବିରୋଧରେ ପଦକ୍ଷେପ ନେଉଛନ୍ତି । ଏହି ଘଟଣା ସେଠାରେ ରହୁଥିବା ଅନ୍ୟ ଭାରତୀୟଙ୍କ ଉପରେ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି ।