ନୂଆଦିଲ୍ଲୀ: ପୁରୀ ଅଘଟଣ ନେଇ ଦୁଃଖ ପ୍ରକାଶ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। ଟ୍ୱିଟ୍ କରି କହିଛନ୍ତି- ପୁରୀରେ ରଥଯାତ୍ରା ସମୟରେ ହୋଇଥିବା ଅଘଟଣ ଅତ୍ୟନ୍ତ ଦୁଃଖଦ। ଶୋକସନ୍ତପ୍ତ ପରିବାର ପ୍ରତି ମୋର ଗଭୀର ସମବେଦନା ଏବଂ ଆହତ ଭକ୍ତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମୁଁ ଆଶା କରୁଛି।
ସେ ଆହୁରି କହିଛନ୍ତି ଯେ ମୁଁ ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିବେଦନ କରୁଛି। କଂଗ୍ରେସ କର୍ମୀମାନଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ କରିବାକୁ ଅନୁରୋଧ କରୁଛି। ଏହି ଦୁଃଖଦ ଘଟଣା ଏକ ଗମ୍ଭୀର ଚେତାବନୀ। ଏତେ ବଡ଼ ଘଟଣାରେ ସୁରକ୍ଷା ବ୍ୟବସ୍ଥା ଏବଂ ଭିଡ଼ ପରିଚାଳନା ପ୍ରସ୍ତୁତି ଗମ୍ଭୀରତାର ସହିତ ପ୍ରସ୍ତୁତ ଏବଂ ସମୀକ୍ଷା କରାଯିବା ଉଚିତ। ଜୀବନ ରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଏବଂ ଏହି ଦାୟିତ୍ୱରେ କୌଣସି ଅବହେଳା ଗ୍ରହଣୀୟ ନୁହେଁ।
ରବିବାର ଭୋର ସମୟରେ ମହାପ୍ରଭୁଙ୍କ ତିନି ରଥ ସାମ୍ନାରେ ବଡ଼ ଧରଣର ଅଘଟଣ ଘଟିଥିଲା। ରବିବାର ଭୋର ୪ଟା ୫୦ରେ ଶରଧାବାଲିରେ ଠେଲାପେଲା ହୋଇଥିଲା । ଏହି ଦଳାଚକଟାରେ ୩ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସମସ୍ତ ମୃତକ ଖୋର୍ଦ୍ଧା ଜିଲ୍ଲାର ବୋଲି ଜଣାପଡ଼ିଛି । ସେମାନଙ୍କ ମଧ୍ୟରୁ ୨ ଜଣ ମହିଳା ପ୍ରଭାତୀ ଦାସ ଏବଂ ବାସନ୍ତୀ ସାହୁ ରଥ ସାମ୍ନାରେ ପ୍ରାଣ ହରାଇଛନ୍ତି । ଅନ୍ୟ ଜଣେ ୭୦ ବର୍ଷୀୟ ବୃଦ୍ଧ ପ୍ରେମାକାନ୍ତ ମହାନ୍ତିଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।