ପାଟଣା ୧୫।୦୪: କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀର ପୁରୁଖା ରାଜନେତା ତଥା ପୂର୍ବତନ ପାଟଣା ବିଧାୟକ ହୃଷିକେଶ ନାଏକଙ୍କୁ ଭରସା କରିଛି କଂଗ୍ରେସ । ଚଳିତ ନିର୍ବାଚନରେ ପ୍ରାର୍ଥୀ କରିଛି ଦଳ । ଏନେଇ ତାଙ୍କ ନାମ ଘୋଷଣା ହେବା ପରେ ସମର୍ଥକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।
ଖବର ଅନୁଯାୟୀ, ହୃଷିକେଶ ନାଏକ ଗତ ଜୁନ୍ ୧୫ ତାରିଖରେ ବିଜେଡିରୁ ଇସ୍ତଫା ଦେଇ କଂଗ୍ରେସ ଦଳରେ ଯୋଗ ଦେଇଥିଲେ । ଶ୍ରୀ ନାଏକ ଶିକ୍ଷକତା ଚାକିରି ଛାଡି ୧୯୮୦ରେ ଲୋକ ଦଳ ଟିକଟରୁ ନିର୍ବାଚନ ଲଢ଼ି ବିଜୟ ହୋଇ ପାଟଣା ବିଧାୟକ ହୋଇଥିଲେ। ୧୯୮୫ ଓ ୯୫ରେ ୨ ଥର କଂଗ୍ରେସ ଟିକଟରୁ ନିର୍ବାଚନ ଲଢ଼ି ବିଜୟ ହୋଇ ପାଟଣା ନିର୍ଵାଚନ ମଣ୍ଡଳୀର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ସେ ୨୦୦୪ରେ କଂଗ୍ରେସରୁ ଟିକଟ ନପାଇ ନିରାଶ ହୋଇ ସ୍ୱାଧୀନ ଭାବେ ଲଢ଼ି ୨୮ ହଜାର ଭୋଟ ପାଇ ପରାସ୍ତ ହୋଇଥିଲେ । ୨୦୦୭ ମସିହାରେ ବିଜେଡିରେ ଯୋଗ ଦେଇଥିଲେ । ଏହାପରେ ସେ କ୍ରମାଗତ ୨୦୦୯ ଓ ୨୦୧୪ରେ ବିଜେଡି ଟିକଟରୁ ବିଜୟ ଲାଭ କରି ପାଟଣା ନିର୍ବାଚନ ମଣ୍ଡଳୀର ବିଧାୟକ ହୋଇଥିଲେ । ଆଗାମୀ ନିର୍ବାଚନରେ ସେ କଂଗ୍ରେସ ପକ୍ଷରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି।