ନୂଆଦିଲ୍ଲୀ: ଥରେ ମହଙ୍ଗା ହେଲା ପରେ ଟ୍ୟାକ୍ସ କମାଇଲେ ବି କମ୍ପାନୀମାନେ ଖୁଚୁରା ବ୍ୟବସାୟୀମାନେ ଦାମ କମାଉ ନାହାନ୍ତି। ତେଣୁ ମାର୍କେଟ ସବୁବେଳେ ମହଙ୍ଗା ହୋଇ ରହିଛି। ଯେମିତି ପେଟ୍ରୋଲ ଓ ଡିଜେଲ୍। ତେଣୁ ବର୍ତ୍ତମାନ ହୋଇଥିବା ଜିଏସଟ୍‌ ହ୍ରାସ ଏମ୍‌ଆରପି ହ୍ରାସରେ ପରଣତ ହେବ କି ନା ସେନେଇ ଲୋକଙ୍କୁ ଚିନ୍ତା ଘାରିଛି। ତେବେ ଏହି ପ୍ରଶ୍ନ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛି କଂଗ୍ରେସ। କଂଗ୍ରେସ ସାଧାରଣ ସମ୍ପାଦକ(ଯୋଗାଯୋଗ) ଜୟରାମ ରମେଶ ଏନ୍‌ଏଏ(ନ୍ୟାସନାଲ ଆଣ୍ଟି ଫ୍ରଫିଟିୟରିଂ ଅଥୋରିଟି)କୁ ନେଇ ପ୍ରଶ୍ନ ଉଠାଇଛନ୍ତି। ବର୍ତ୍ତମାନ ଏନଏଏ ଜୀବିତ ହେବ କି ବୋଲି ଜୟରାମ ପ୍ରଶ୍ନ କରିଛନ୍ତି।

ସେ ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଜିଏସଟି ହାର ହ୍ରାସ ଦ୍ୱାରା ଗ୍ରାହକଙ୍କ ମୂଲ୍ୟ ହ୍ରାସ ପାଇଛି କି ନାହିଁ ତାହା ତଦାରଖ କରିବା ପାଇଁ କେନ୍ଦ୍ରୀୟ ସାମଗ୍ରୀ ଏବଂ ସେବା ଟିକସ ଆଇନ, ୨୦୧୭ର ଧାରା ୧୭୧ ଅନୁଯାୟୀ ଜାତୀୟ ଲାଭ ନିରୋଧୀ ପ୍ରାଧିକରଣ (NAA) ପ୍ରତିଷ୍ଠିତ ହୋଇଥିଲା। ୩୦ ସେପ୍ଟେମ୍ବର  ୨୦୨୪ରେ, ମୋଦି ସରକାର ଏକ ଭାର୍ଚୁଆଲ ନୋଟିଫିକେସନ ଜାରି କରି ୧ ଏପ୍ରିଲ ୨୦୨୫ରୁ ଏନଏଏ କୁ ଉଚ୍ଛେଦ କରିଥିଲେ। ହେଲେ ଏବେ  NAA ଣ ଏବେ ଏକ ନୂଆ ଜୀବନ ପାଇବ? ତେବେ ଜିଏସ୍‌ଟି ହ୍ରାସର ଲାଭ କିଛି ନିର୍ଦ୍ଦିଷ୍ଟ ପ୍ରିୟଜନକଙ୍କୁ ଯେ ଲାଭ ନ ଦେବ ତାହା କିପରି ସୁନିଶ୍ଚିତ କରାଯିବ?”

ସୂଚନା ଥାଉକି, ୨୦୧୭ରେ GST ବ୍ୟବସ୍ଥା ଲାଗୁ କରିବା ସମୟରେ ସରକାର ଜାତୀୟ ଲାଭ ନିରୋଧୀ ପ୍ରାଧିକରଣ ବା NAA- ନାଁର ଗଠନ କରିଥିଲେ। GST ହ୍ରାସ ଗ୍ରାହକ ମୂଲ୍ୟରେ ପ୍ରତିଫଳିତ ହୋଇଛି କି ନାହିଁ ତାହା ତଦାରଖ କରିବା ସହିତ ଏହାର ନିର୍ଦ୍ଦେଶରେ ବ୍ୟବସାୟଗୁଡ଼ିକୁ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ (ITC) ଲାଭ ପ୍ରଦାନ କରିବା ନିଶ୍ଚିତ କରିବା ମଧ୍ୟ ଏହାର ଅନ୍ତର୍ଭୁକ୍ତ ଥିଲା। ଦୁଇ ବର୍ଷ ପାଇଁ ଗଠିତ ଲାଭଖୋର ବିରୋଧୀ ସଂସ୍ଥା NAA ଡିସେମ୍ବର ୨୦୧୭ରୁ କାର୍ଯ୍ୟ ଆରମ୍ଭ କରିଥିଲା ​​ଏବଂ ଏହାର କାର୍ଯ୍ୟକାଳ ତିନି ବର୍ଷ ବୃଦ୍ଧି କରାଯାଇଥିଲା। ତେବେ ଲାଭଖୋରି ମାମଲାରେ ତଦନ୍ତ ବିଲମ୍ବ କରିବା ଓ ଲାଭଖୋରିକୁ ହିସାବ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ନଥିବାରୁ NAAକୁ ପ୍ରବଳ ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା।

୧ଡିସେମ୍ବର ୨୦୨୨ ରୁ, NAA ର କାର୍ଯ୍ୟ ଭାରତୀୟ ପ୍ରତିଯୋଗିତା ଆୟୋଗ (CCI) ହାତକୁ ନେଇଥିଲା। ହେଲେ ପରେ ଏହି ସଂସ୍ଥା ମଧ୍ୟ ଲାଭଖୋର ବିରୋଧୀ ମାମଲା ପରିଚାଳନା କରିବାରେ ନିଜର ଅକ୍ଷମତା ପ୍ରକାଶ କରିଥିଲା। CCI କୌଣସି ନୂଆ ଲାଭଖୋର ବିରୋଧୀ ମାମଲା ପାଇ ନଥିଲା। ତେବେ ସରକାର ୩୦ ସେପ୍ଟେମ୍ବର ୨୦୨ରେ ଏକ ବିଜ୍ଞପ୍ତି ଜାରି କରି ୧ ଏପ୍ରିଲ ୨୦୨୫ରୁ ଏନଏଏକୁ ଉଚ୍ଛେଦ କରି ଦେଇଥିଲେ। ବର୍ତ୍ତମାନ NAA ର କାର୍ଯ୍ୟ GST ଆପିଲେଟ୍ ଟ୍ରିବ୍ୟୁନାଲ (GSTAT) ସହିତ ବିଲୟ ହୋଇଯାଇଛି। ଏହାର ଅର୍ଥ ହେଉଛି ବର୍ତ୍ତମାନ ଲାଭଖୋରିକୁ ଜଗିବାକୁ ଦେଶରେ କୌଣସି ନିର୍ଦ୍ଦିଷ୍ଟ ସଂସ୍ଥା ନାହିଁ।  ତେବେ ସେପ୍ଟେମ୍ବର ୫ ତାରିଖରେ ଏନେଇ ହିନ୍ଦୁ ସ୍ତାନ ଟାଇମ୍ସ ସରକାରୀ ସୁତ୍ରରୁ ଖବର ନେଇ ରିପୋର୍ଟ କରହିଛି ଯେ ସରକାରଙ୍କର ଇଜ୍ ଅପ ଡୁଇଂ ବିଜନେଶକୁ ବଢ଼ାଇବାକୁ ଚେଷ୍ଟା କରୁଥିବାରୁ NAA ଭଳି ସଂସ୍ଥା ପୁନଃସ୍ଥାପନ କରିବାକୁ ଚାହୁଁ ନାହାନ୍ତି।

ଯାହାକୁ ନେଇ କଂଗ୍ରେସ ମଧ୍ୟ ପ୍ରଶ୍ନ ଉଠାଇଛି। ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ସରକାରଙ୍କୁ ପଚାରିଛନ୍ତି ଜିଏସ୍‌ଟି ସଂଶୋଧନ ପରେ NAA ପୁଣି ଥରେ ଜୀବିତ ହେବ ତ ? ଲାଭଖୋରି ରୋକି ସାଧାରଣ ଜନତାଙ୍କୁ ଜିଏସ୍‌ଟି ହ୍ରାସର ଫାଇଦା ଦେବାକୁ ସେ ଗୁରୁତ୍ୱ ଦେଇଛନ୍ତି।