ମାଣ୍ଡ୍ୟା ୮।୯: କର୍ଣ୍ଣାଟକ ମାଣ୍ଡ୍ୟା ଜିଲ୍ଲା ମଦ୍ଦୁରରେ ରବିବାର ଗଣେଶ ବିସର୍ଜନ କାଳରେ ସୃଷ୍ଟି ହୋଇଥିବା ଉତ୍ତେଜନା ସୋମବାର ମଧ୍ୟ ଜାରି ରହିଛି। ଏଣୁ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ୧୪୪ ଧାରା ଜାରି କରାଯାଇଛି। ବିସର୍ଜନକୁ ଯାଉଥିବା ଗଣେଶ ଶୋଭାଯାତ୍ରା ଉପରକୁ ଅନ୍ୟ ସମ୍ପ୍ରଦାୟର ଲୋକେ ଟେକାପଥର ମାଡ଼ କରିବାରୁ ପରିସ୍ଥିତି ବିଗିଡି ଯାଇଥିଲା। ତେବେ ପୋଲିସ ମାମଲାରେ ହସ୍ତକ୍ଷେପ କରି ପରିସ୍ଥିତିକୁ ଆୟତ କରିଥିଲା।

ପୋଲିସ ସୂତ୍ର ଅନୁସାରେ ହିଂସାର ସୂତ୍ରପାତ ସେତେବେଳେ ହେଲା ଯେତେବେଳେ ଶୋଭାଯାତ୍ରା ରାମରହିମ ନଗର ଦେଇ ଯାଉଥିଲା। ଦୁଇ ସମ୍ପ୍ରଦାୟର ଯୁବକ ପରସ୍ପର ସହ ଲଢିବା ଆରମ୍ଭ କରିଥିଲେ। ତେବେ ପୋଲିସ ହସ୍ତକ୍ଷେପ କରି ପରିସ୍ଥିତିକୁ ଆୟତ୍ତ କରିଥିବା ବେଳେ କଡ଼ା ସୁରକ୍ଷା ମଧ୍ୟରେ ଗଣେଶ ବିସର୍ଜନ କରାଇଛି। ମଦ୍ଦୁର ସମ୍ବେଦନଶୀଳ ଅଞ୍ଚଳରେ କଡ଼ା ପୋଲିସ ପ୍ରହରା ଲଗା ଯାଇଛି। ପୋଲିସ ଅଧିକ୍ଷକ ମଲ୍ଲିକାର୍ଜୁନ ବାଲାଦଣ୍ଡି ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ପରିସ୍ଥିତି ସମୀକ୍ଷା କରିଛନ୍ତି।

ଜନୈକ ପୋଲିସ ଅଧିକାରୀଙ୍କ ଅନୁସାରେ ସ୍ଥାନୀୟ ଅଞ୍ଚଳରେ ନିଷେଧାଜ୍ଞା ଜାରି ହୋଇଥିବା ବେଳେ ଅତିରିକ୍ତ ଫୋର୍ସ ମୁତୟନ ହୋଇଛନ୍ତି। ଅଧିକାରୀମାନେ ସ୍ଥାନୀୟ ବାସିନ୍ଦାଙ୍କୁ ଶାନ୍ତି କାୟମ ରଖିବାକୁ ଓ ଗୁଜବ ଉପରେ ବିଶ୍ୱାସ ନ କରିବାକୁ ନିବେଦନ କରିଛନ୍ତି। ଅଞ୍ଚଳରେ ସ୍ୱଭାବିକ ପରିସ୍ଥିତି ଫେରାଇ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ଉଭୟ ସମ୍ପ୍ରଦାୟଙ୍କୁ ସହଯୋଗ କରିବାକୁ ନିବେଦନ କରିଛି। ମାଣ୍ଡ୍ୟା ପୋଲିସ ଅଧିକ୍ଷକ ବାଲାଦଣ୍ଡି ମାମଲାରେ ନିଜ ଆଡୁ ସଂଜ୍ଞାନ ନେଇ ଏତଲା ରୁଜୁ କରିଥିବା ବେଳେ ଉଭୟ ସମ୍ପ୍ରଦାୟର ୨୧ ଜଣଙ୍କୁ ଅଟକ ରଖିଛନ୍ତି।

ରବିବାରର ଏହି ଘଟଣାରେ କେତେଜଣ ଆହତ ହୋଇଥିଲେ ତାର ସ୍ପଷ୍ଟ ସୂଚନା ମିଳି ନାହିଁ। ତେବେ ସମସ୍ତ ଆହତ ପ୍ରାଥମିକ ଚିକିତ୍ସା ପରେ ହସ୍ପିଟାରୁ ଡିସଚାର୍ଜ ହୋଇଥିବା ପୋଲିସ ଅଧିକ୍ଷକ ବାଲାଦଣ୍ଡି କହିଛନ୍ତି। କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ଆଶଙ୍କାରେ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଜାରି କରାଯିବା ସହ ଅତିରିକ୍ତ ଫୋର୍ସ ମୁତୟନ କରାଯାଇଛି।