ଡାଇରିଆ ପ୍ରବଣ ୩ ଜିଲ୍ଲାର ସ୍ଥିତି ଦେଖି ସ୍କୁଲ ଖୋଲିବା ନିଷ୍ପତ୍ତି ନେବେ ଜିଲ୍ଲାପାଳ, ସ୍ଥିତି ଅଣାୟତ୍ତ ଥିଲେ ସ୍କୁଲ ବନ୍ଦ କରିପାରିବେ

Published By : Prameya-News7 Bureau | June 19, 2025 IST

ଭୁବନେଶ୍ବର ୧୯।୬: ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବ୍ୟାପୁଛି ଝାଡ଼ାବାନ୍ତି । ଶୁକ୍ରବାର ସ୍କୁଲ ଖୋଲୁଥିବାରୁ ସରକାରଙ୍କୁ ଚିନ୍ତା ଘାରିଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଡାଇରିଆ ପ୍ରବଣ ୩ ଜିଲ୍ଲାର ସ୍ଥିତି ଦେଖି ସ୍କୁଲ ଖୋଲିବା ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସ୍ଥିତି ଅଣାୟତ୍ତ ଥିଲେ ସ୍କୁଲ ବନ୍ଦ ରଖିପାରିବେ । ଆକ୍ୱାଗାର୍ଡ ନ ଥିବା ସ୍କୁଲ ମାନଙ୍କରେ ପିଲାଙ୍କୁ ଫୁଟାପାଣି ପିଇବା ପାଇଁ ଦେବାକୁ ବିଭାଗୀୟ ନିର୍ଦ୍ଦେଶ ରହିଛି । ତେବେ ପାଚିକା ମାନେ ମଧ୍ୟାହ୍ନ ଭୋଜନରେ ଗରମ ଖାଦ୍ୟ ସହ ପିଲାଙ୍କୁ ଫୁଟାପାଣି ଦେବା ପାଇଁ କୁହାଯାଇଛି । ହଷ୍ଟେଲରେ ବି ଗ୍ରହଣ ହେବ ସମାନ ବ୍ୟବସ୍ଥା । ସ୍କୁଲ ପରିବେଶ ସହ ପାଣି ଟାଙ୍କି ସଫା କରିବା ଉପରେ ଗୁରୁତ୍ବ ଦିଆଯାଇଛି । ସ୍ଵଚ୍ଛତା ଉପରେ ଗୁରୁତ୍ବ ଦେବାକୁ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।


ସେପଟେ ଗ୍ରାଉଣ୍ଡ ଜିରୋକୁ ଯାଇ ହଇଜା ସ୍ଥିତି ପରଖିବା ପରେ ପାଣିରୁ ଡାଇରିଆ ବ୍ୟାପୁଥିବା କାରଣ ପାଇଥିଲା କେନ୍ଦ୍ରୀୟ ଟିମ୍‌ । ବୁଧବାର ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା ବେଳେ ପାନୀୟ ଜଳ ହିଁ ଡାଇରିଆର ପ୍ରମୁଖ କାରଣ ବୋଲି କହିବା ସହ ନିରାକଣ ପାଇଁ ୫ଟି ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଥିଲେ କେନ୍ଦ୍ରୀୟ ଟିମ୍‌ । ଯାଜପୁରରେ ଆଉ ୧୬ କଲେରା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ୩୭ଟି ନମୂନା ପରୀକ୍ଷାରୁ ୧୬ କଲେରା ପଜିଟିଭ ଚିହ୍ନଟ ହୋଇଥିଲେ । ଯାଜପୁର, ଭଦ୍ରକ ଓ କେନ୍ଦୁଝରରେ ଡାଇରିଆ ସ୍ଥିତି ସଙ୍ଗୀନ ଅଛି ତେଣୁ ଏହି ଜିଲ୍ଲା ଗୁଡ଼ିକରେ ଅଧିକ ଫୋକସ୍ କରିବା ପାଇଁ ପରାମର୍ଶ ଦେଇଥିଲେ କେନ୍ଦ୍ରୀୟ ଟିମ୍‌ । କେନ୍ଦ୍ରୀୟ ଟିମ୍‌ ସଂଗ୍ରହ କରିଥିବା ରିପୋର୍ଟ ଆଧାରରେ ସ୍ବାସ୍ଥ୍ୟ ବିଭାଗ ଟିମ୍‌ ସହ ଆଲୋଚନା କରିଥିଲେ  । ଏହି ବୈଠକରେ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ସ୍ବାସ୍ଥ୍ୟ ବିଭାଗ ପରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ନଗର ଉନ୍ନୟନ ବିଭାଗ ସହ ପୃଥକ ପୃଥକ ବୈଠକ କରିଥିଲେ କେନ୍ଦ୍ରୀୟ ଟିମ୍‌ ।ଏଥି ସହ ଡାଇରିଆ ନିରାକଣ ପାଇଁ କେନ୍ଦ୍ରୀୟ ଟିମ୍‌ ୫ଟି ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଥିଲେ । 

ପରାମର୍ଶ ୧ -  ତୁରନ୍ତ ପାନୀୟ ଜଳ ଉତ୍ସ ଗୁଡ଼ିକୁ ଚିହ୍ନଟ କରି ଯାଞ୍ଚ ଓ ବିଶୋଧନ କରିବା ପାଇଁ ପରାମର୍ଶ । ପରାମର୍ଶ ୨ -    ବିଭିନ୍ନ ପାଣି ଫ୍ୟାକ୍ଟ୍ରି ଗୁଡ଼ିକର ମାନ ଯାଞ୍ଚ କରିବାକୁ ପରାମର୍ଶ ।  

ପରାମର୍ଶ ୧ -  ବିଭିନ୍ନ ପାଣି ଫ୍ୟାକ୍ଟ୍ରି ଗୁଡ଼ିକର ମାନ ଯାଞ୍ଚ ପାଇଁ ପରାମର୍ଶ ।

ପରାମର୍ଶ ୩ -  ଯାଜପୁର, ଭଦ୍ରକ ଓ କେନ୍ଦୁଝରରେ ସ୍ଥିତି ସଙ୍ଗୀନ ଅଛି ତେଣୁ ଏହି ଜିଲ୍ଲା ଗୁଡିକରେ ଅଧିକ ଫୋକସ୍ କରିବା ପାଇଁ ପରାମର୍ଶ

ପରାମର୍ଶ ୪ -  ସ୍ଥିତି ନିୟନ୍ତ୍ରଣ ନ ହେବା ପର୍ଯ୍ୟନ୍ତ ହୋଟେଲ, ଢ଼ାବା, ରେଷ୍ଟୁରାଣ୍ଟ ନ ଖୋଲିବା ପାଇଁ ପରାମର୍ଶ ।

ପରାମର୍ଶ ୫ -  ଭୋଜିଭାତ ସମ୍ପୂର୍ଣ୍ଣ ବନ୍ଦ ସହ ତୀକ୍ଷ୍ଣ ନଜର ରଖିବାକୁ ମଧ୍ୟ ପରାମର୍ଶ ।

ସେପଟେ ମଙ୍ଗଳବାର ରାତିରେ ଯାଜପୁର ରୋଡ୍‌ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଦୁଇ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ପୂର୍ବରୁ ମଧ୍ୟ ଏହି ମେଡିକାଲରେ ଦୁଇ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ଜିଲ୍ଲାରେ ଡାଇରିଆ ଜନିତ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଟିମ୍ ଯାଜପୁର ରୋଡ ସ୍ବାସ୍ଥ୍ୟକେନ୍ଦ୍ରକୁ  ଯାଇ ଆକ୍ରାନ୍ତଙ୍କ ହିଷ୍ଟ୍ରି ସଂଗ୍ରହ କରିବା ସହ ମେଡିକାଲ ଅଫିସର, ଡାକ୍ତର ଓ ନର୍ସଙ୍କ ସହ ଆଲୋଚନା କରିଥିଲେ । ଯାଜପୁର  ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ ମଧ୍ୟ ସେଠାକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ବୁଧବାର ଜିଲ୍ଲାରେ ନୂଆ ଆକ୍ରାନ୍ତ ଭର୍ତ୍ତି ହେବା ସଂଖ୍ୟା ହ୍ରାସ ପାଇଥିବା କହିଥିଲେ ଜିଲ୍ଲାପାଳ । ଜିଲ୍ଲାରେ ମୋଟ୍ ୨୩୩ ଜଣ  ଡାଇରିଆ ରୋଗୀ ଜିଲ୍ଲା ହେଡକ୍ବାର୍ଟର ସମେତ ୧୩ଟି ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।  ଲୋକଙ୍କୁ ୪ଟି ମୁଖ୍ୟ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ । ମୁଖ୍ୟତଃ କୂଅ ପୋଖରୀ ବା ନଦୀ ଜଳ ସିଧାସଳଖ ବ୍ୟବହାର ନକରିବାକୁ କହିଥିଲେ । ସର୍ବଦା ଫୁଟା ପାଣି ବ୍ୟବହାର କରିବା, ବାସି ଖାଦ୍ୟ ସେବନ ବନ୍ଦ କରିବା, ଖାଇବା ପୂର୍ବରୁ ଭଲଭାବେ ହାତ ଧୋଇବା ଓ ସ୍ନାନ ଶୌଚ ପାଇଁ ଟଏଲେଟ୍ ବ୍ୟବହାର କରିବା ଆଦି ପରାମର୍ଶ ଦେଇଥିଲେ ଜିଲ୍ଲାପାଳ । ଅନ୍ୟପଟେ ଜିଲ୍ଲାରେ ୪୦ ଜଣିଆ ଟିମ୍ ସମସ୍ତ ବ୍ଲକ୍ ଓ ଗାଁରେ ଘରେ ଘରେ ସର୍ଭେ କରିବା ସହ ସଚେତନା କରୁଥିବା କହିଥିଲେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।

ରାଜ୍ୟର ୮ଟି ଜିଲ୍ଲାରେ ଶହ ଶହ ଡାଇରିଆ ରୋଗୀ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, କେନ୍ଦୁଝର, ପୁରୀ ଓ ବାଲେଶ୍ବରରେ ଝାଡ଼ାବାନ୍ତି ରୋଗୀଙ୍କ ସଂଖ୍ୟା ବଢ଼ୁଛି  । ତେବେ ସବୁ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି । 

You Can Read:

ଶୁକ୍ରବାର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍ ନିର୍ଦ୍ଦେଶନାମା ଜାରି


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.