ଉଡ଼ିଲା ଚୌକି, ଫାଟିଲା ମୁଣ୍ଡ: ବିବାହ ଭୋଜିରେ ରସଗୋଲା ପାଇଁ ମାରପିଟ୍, ଭାଙ୍ଗିଲା ବିବାହ !

NEWS7
cm-visit-keonjhar-today

ନୂଆଦିଲ୍ଲୀ: ବୌଦ୍ଧଗୟାର ଏକ ଘରୋଇ ହୋଟେଲରେ ଆୟୋଜିତ ବିବାହ ଭୋଜି ରଣକ୍ଷେତ୍ର ପାଲଟିଛି । ତେବେ ଏହା ପଛର କାରଣ ଜାଣି ଆପଣ ଆହୁରି ଆଶ୍ଚର୍ଯ୍ୟ ହେବେ । ଭୋଜିରେ ରସଗୋଲା ସରିଯିବାକୁ ନେଇ ବର ଓ କନିଆ ପକ୍ଷ ମଧ୍ୟରେ ବିବାଦ ହୋଇଥିଲା । ପାଟିତୁଣ୍ଡରୁ ଆରମ୍ଭ ହୋଇଥିବା ଏହି ବିବାଦ ଶେଷରେ ହାତାହାତି ପର୍ଯ୍ୟନ୍ତ ଯାଇଥିଲା । ଏହି ଘଟଣା ନଭେମ୍ୱର ୨୯ର ବୋଲି ଜଣାପଡ଼ିଛି, ଯାହାର ସିସିଟିଭି ଫୁଟେଜ୍ ଏବେ ସାମନାକୁ ଆସିଛି । ଭିଡିଓରେ ଦେଖିବାକୁ ମିଳୁଛି ଯେ ଭୋଜିରେ ଅତିଥିମାନଙ୍କୁ ଖାଦ୍ୟ ଦିଆଯାଉଛି ଓ ସେହି ସମୟରେ ମିଠେଇ ସରି ଯିବାକୁ ନେଇ ଦୁଇ ପକ୍ଷ ମଧ୍ୟରେ ପାଟିତୁଣ୍ଡ ହେଉଛି । କିଛି ମିନିଟ୍ ପରେ ମାରପିଟ୍ ଆରମ୍ଭ ହୋଇଥିଲା ।

ଅଭିଯୋଗ ହୋଇଛି ଯେ ଉଭୟ ପକ୍ଷ ଲାତ, ମୁଥ, ଚେୟାର ହାତରେ ଯାହା ପଡ଼ିଲା, ତାହା ସାହାଯ୍ୟରେ ପରସ୍ପରକୁ ଆକ୍ରମଣ କରିଥିଲେ । ସଂଘର୍ଷରେ ଅନେକ ଲୋକ ଆହତ ହୋଇଥିଲେ । ଫୁଲମାଳ ବିନିମୟ ସମେତ ଅଧିକାଂଶ ରୀତିନୀତି ଶେଷ ହୋଇସାରିଥିଲା । ବିବାହ ଉତ୍ସବ ମଧ୍ୟ ହେବାକୁ ବାକି ଥିଲା । କିନ୍ତୁ ରସଗୋଲାକୁ ନେଇ ଉତ୍ତେଜନା ଏତେ ବୃଦ୍ଧି ପାଇଥିଲା ଯେ ବିବାହ ଭାଙ୍ଗିବାକୁ ପଡ଼ିଲା ।

ବର ପିତା ମହେନ୍ଦ୍ର ପ୍ରସାଦ କହିଛନ୍ତି, ବିବାଦ କେବଳ ରସଗୋଲାକୁ ନେଇ ହୋଇଥିଲା, କିନ୍ତୁ କନିଆ ପକ୍ଷ ସେମାନଙ୍କ ଉପରେ ଯୌତୁକ ଦାବି କରୁଥିବା ମିଛ ଅଭିଯୋଗ ନେଇ ବୌଦ୍ଧଗୟା ଥାନାରେ ଏତଲା ଦେଇଛନ୍ତି । ସେ କହିଛନ୍ତି ଯେ ମୋକଦ୍ଦମା ପରେ ବି ସେ ବିବାହ ପାଇଁ ରାଜି ଥିଲେ, କିନ୍ତୁ କନିଆ ପକ୍ଷ ଆଦୌ ରାଜି ହୋଇନଥିଲେ ।

ଅନ୍ୟପଟେ ପୁଅର ମାଆ ଅଭିଯୋଗ କରିଛନ୍ତି ଯେ ଦୁଇ ପକ୍ଷ ମଧ୍ୟ ବୁଝାମଣା ଶେଷ ପର୍ଯ୍ୟାୟରେ ଥିଲା, କିନ୍ତୁ ସେହି ସମୟରେ ଝିଅ ପକ୍ଷର ଲୋକ ବିବାହ ପାଇଁ ଅଣାଯାଇଥିବା ଅଳଙ୍କାର ନେଇ ଯାଇଥିଲେ ଓ କନିଆକୁ ବି ନିଜ ସହ ହୋଟେଲରୁ ନେଇ ଚାଲିଯାଇଥିଲେ । ସେ କହିଛନ୍ତି ଯେ ହୋଟେଲ ବୁକିଂ ତାଙ୍କ ପକ୍ଷରୁ କରାଯାଇଥିଲା ଓ ଆଜି ବି ବିବାହ ପାଇଁ ସେମାନେ ରାଜି ଅଛନ୍ତି । କିନ୍ତୁ କନିଆ ପକ୍ଷ ଜିଦରେ ଅଡ଼ି ବସିଛନ୍ତି । ପୋଲିସ ଉଭୟ ପକ୍ଷର ବୟାନ ରେକର୍ଡ କରି ତଦନ୍ତ ଆରମ୍ଭ କରିଛି ।