ରାଜ୍ୟ ସରକାରଙ୍କ ବର୍ଷକର ହିସାବ, ଉପଲବ୍ଧି ବଖାଣିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Published By : Prameya-News7 Bureau | June 10, 2025 IST

ଭୁବନେଶ୍ୱର ୧୦।୦୬ : ଦିନକ ପରେ ରାଜ୍ୟ ବିଜେପି ସରକାରକୁ ପୁରିବ ବର୍ଷେ । ଏହାପୂର୍ବରୁ ବର୍ଷକର ରିପୋର୍ଟ କାର୍ଡ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନୂଆ ଉପଲବ୍ଧି ନେଇ ପ୍ରେସମିଟ୍‌ ଜରିଆରେ ସୂଚନା ଦେଉଛନ୍ତି ମୁଖ୍ୟମନ୍ତ୍ରୀ । ଏହି ପ୍ରେସମିଟ୍‌ରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ ଉପସ୍ଥିତ ରହିଛନ୍ତି ।  

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଜୁନ ୯, ୨୦୨୪  ଭାରତ ପାଇଁ ଏକ ଗୌରବ ମୟ ଦିନ । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ତୃତୀୟ ପାଳିର ପ୍ରଥମ ବର୍ଷ ପୂରଣ କରିଛନ୍ତି । ୨୬ ମେ ୨୦୧୪ ସ୍ୱର୍ଣ୍ଣକ୍ଷାରରେ ଲିପିବଦ୍ଧ ହୋଇ ରହିବ । ଦେଶରେ ଏକ ସ୍ଥିର ଶାସନ ଲାଗି ଲୋକଙ୍କୁ ଫାଇଦା ମିଳିଥିଲା । ମୋଦି ସରକାରରେ ସବୁଠାରୁ ବଡ଼ ଉପଲବ୍ଧି ଧାରା ୩୭୦, ତିନି ତଲାକ ବିଲ, ନାରୀ ଶକ୍ତି ବନ୍ଦନ ବିଲ, କୋଭିଡ ର ସଠିକ ମୁକାବିଲା, ଭଳି ଅନେକ ଉପଲବ୍ଧି ରହିଛି । ବିଶ୍ୱ ବ୍ୟାଙ୍କର ସଦ୍ୟତମ ରିପୋର୍ଟ ଅନୁଯାୟୀ ୨୭ କୋଟି ଲୋକ ଅତ୍ୟନ୍ତ ଦାରିଦ୍ର୍ୟର ତାଡନାରୁ ମୁକ୍ତ ହୋଇଛନ୍ତି ମୋଦି ସରକାରଙ୍କ ସମୟରେ । କେନ୍ଦ୍ରରେ ପ୍ରତିଷ୍ଠିତ ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବର୍ଷ ପୂରଣ ହୋଇଛି ଆଉ ଏହା ଭିତରେ ଲୋକଙ୍କ ଜୀବନ ଶୀଳ ପରିବର୍ତ୍ତନ ହୋଇଛି । ପକ୍କା ଘର ଯୋଗାଇ ଦେବା, ଆୟୁଷ୍ମାନ ଯୋଜନା, ନୂଆ ଶିକ୍ଷା ନୀତି ୨୦୨୦କୁ ଲାଗୁ କରିବା, ଜନ ଧନ ଯୋଜନା ଲାଗୁ କରିବା, ବେଟି ବିଚାଓ ବେଟି ପଢ଼ାଅ ଭଳି ଅନେକ ଯୋଜନା ଆଜି ଭାରତ ବର୍ଷର ବୈପ୍ଲବିକ ପରିବର୍ତ୍ତନ ଆସିଛି । ଅପରେସନ ସିନ୍ଦୁର ଜରିଆରେ ଆତଙ୍କବାଦ ବିରୁଦ୍ଧରେ ଯେଉଁ କଡା ପଦକ୍ଷେପ ଭାରତ ସରକାର ନେଇଛନ୍ତି ତାହା ଆମକୁ ସାରା ବିଶ୍ୱରେ ଆଗରେ ରଖିଛି । ମୋଦି ହେ ତୋ ମୁମକିନ କୁହାଯାଇଛି । ଆଜି ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ସରକାରଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି ।

ଆଉ ଦୁଇ ଦିନ ପରେ ଆମ ସରକାରଙ୍କୁ ବର୍ଷେ ପୂରଣ ହେବାକୁ ଯାଉଛି । ଆମ ସରକାରକୁ ଚଳଞ୍ଚଚଳ କରି ରଖିବାରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ । ସାଧାରଣ ଜନତା ଏଇ ସରକାରକୁ ଲୋକଙ୍କ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି ଅବିହିତ କରିଛନ୍ତି । ଏହି ବର୍ଷେ ମଧ୍ୟରେ ଆମକୁ ଅନେକ ସହଯୋଗ ମିଳିଛି ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି । ଆମ ସଂକଳ୍ପ ପତ୍ରରେ ଆମେ ଯାହା ପ୍ରତିଶ୍ରୁତି ଦେଇଥିଲୁ ତାକୁ ଆମେ ଏହି ବର୍ଷକ ମଧ୍ୟରେ ସୁନିଶ୍ଚିତ କରିଛୁ । ପ୍ରଥମ ୭ ମାସ ମଧ୍ୟରେ ଓଡ଼ିଶାକୁ ଏକ ସମ୍ଭାବନାର ରାଜ୍ୟ ଭାବେ ଘୋଷଣା କରିଛନ୍ତି । ସଂସଦରେ ମଧ୍ୟ ମୋଦିଜି କହିଛନ୍ତି ବିକଶିତ ଭାରତର ଗ୍ରୋଥ ଇଞ୍ଜିନ ଓଡ଼ିଶ ହେବ ବୋଲି କହିଛନ୍ତି । ଆସନ୍ତା ୨୦ ତାରିଖରେ ପ୍ରଧାନମନ୍ତ୍ରୀ ଓଡିଶା ଆସି ଆମକୁ ମାର୍ଗ ଦର୍ଶନ କରାଇବେ। ଜୁନ ୧୨, ୨୦୨୪ରେ ଆମେ ପ୍ରଥମ କ୍ୟାବିନେଟରେ ଆମ ସରକାର ୪ଟି ବଡ଼ ନିଷ୍ପତ୍ତି ନେଇଥିଲୁ। କ୍ୟାବିନେଟ ପରେ ଯାଇ ପୁରୀରେ ରାତିରେ ରହିବା ସହ ଭୋର ୪ ଟାରୁ  ଶ୍ରୀମନ୍ଦିର ଚାରି ମନ୍ଦିର ଚାରି ଦ୍ୱାର ଖୋଲିବା ରାଜ୍ୟ ରାଜନୀତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଥିଲା । ପ୍ରାୟ ୧୭ ଲକ୍ଷ ଲକ୍ଷପତି ଦିଦି ଆମେ ସୃଷ୍ଟି କରିପାରିଛୁ । ସୁଭଦ୍ରା ଯୋଜନାରେ ବାର୍ଷିକ ୧୦ ହଜାର ଟଙ୍କା ସେମାନଙ୍କୁ ଅଧିକ ସହଯୋଗ କରିଛି । ଆମ ସରକାରଙ୍କ ଏହା ସବୁଠାରୁ ବଡ଼ ଉପଲବ୍ଧି । 

ସେହିପରି କୃଷି କ୍ଷେତ୍ରରେ ଆମେ ଅନେକ ପଦକ୍ଷେପ ନେଇଛୁ । ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରି କୃଷି କ୍ଷେତ୍ରରେ ଅଗ୍ରଗତି କରିବାରେ ପୂର୍ବ ସରକାର ବିଫଳ ହୋଇଥିଲେ । ଆମେ ସମୃଦ୍ଧ କୃଷିକୁ ଗୁରୁତ୍ୱ ଦେଇ ୩୪ ହଜାର ୮୦୦ କୋଟି ଟଙ୍କାର ବଜେଟ ବ୍ୟୟ ବରାଦ କରିଛୁ।  ସେହିପରି ୮୦୦ ଟଙ୍କା ଇନପୁଟ ସବସିଡ ଦେଇ କୃଷକମାନଙ୍କ ପରିବାର ଆୟ ବଢ଼ାଇଛୁ । ଆମ ସରକାର ଆସିବା ପରେ ଆମେ ରିଲିଫ କୋର୍ଡରେ ପରିବର୍ତ୍ତନ କରିଛୁ । ବର୍ଷା ପରେ ୨୮୦ କୋଟି ଟଙ୍କାର ସହାୟତା ଦେଇଛୁ । ହିସାବ କହୁଛି ଚଳିତ ବର୍ଷ ଆମ ରାଜ୍ୟର ଚାଷୀ ୩୦ ହଜାର କୋଟି ଟଙ୍କା ଆର୍ଥିକ ଲାଭ ପାଇଛି । ପୂର୍ବ ସରକାର ରେ ଶିକ୍ଷା ବ୍ୟବସ୍ଥାକୁ ଅବହେଳିତ କରି ରଖାଯାଇ ଥିଲା । ପ୍ରାଥମିକ ଶିକ୍ଷାକୁ ସବୁଠାରୁ ଅଧିକ ଗୁରୁତ୍ଵ ଦେଇଛି ଆମ ସରକାର। ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ପ୍ରତି ପଞ୍ଚାୟତରେ ଖୋଲିବାକୁ ଯାଉଛୁ। ଏହାସହ ଜାତୀୟ ଶିକ୍ଷା ନୀତି ଲାଗୁ କରିଛୁ । ଆଦର୍ଶ ବିଦ୍ୟାଳୟରେ ପଛୁଆ ବର୍ଗଠୁ ଆଦିବାସୀ ଦଳିତ ବର୍ଗର ମେଧାବୀ ପିଲାଙ୍କୁ ପାଠ ପଢ଼ାଯିବ । ୧୬ ପ୍ରତିଶତ ବଜେଟ ଶିକ୍ଷା କ୍ଷେତ୍ରକୁ ଆମେ ଦେଇଛୁ ଯାହା କି କେବେ ଦିଆଯାଇନଥିଲା । ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନା ପାଇଁ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ । ପୁଣି ଥରେ ଘରୋଇ ସ୍କୁଲ ଛାଡି ସରକାରୀ ସ୍କୁଲ ମୁହାଁ ପିଲା ହେବେ ଏହା ମୋର ଦୃଢ଼ ପ୍ରତିଶ୍ରୁତି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଆୟୁଷ୍ମାନ ଯୋଜନା ଲାଗୁ କରିଛୁ। ୬୫ ହଜାର କୋଟିର ବ୍ୟୟ ବରାଦ କରିଛୁ । ଲୋକଙ୍କୁ ସୁଶାସନ ଦେବା ସରକାରଙ୍କ ଦାୟିତ୍ବ।  

ଆଜି ଆଇଏସଠୁ ନେଇ କିରାଣୀ ପର୍ଯ୍ୟନ୍ତ ଦୁର୍ନୀତି ଗ୍ରସ୍ତ ଅଧିକାରୀ ସୁରକ୍ଷିତ ନୁହଁନ୍ତି । ଯିଏ ଦୁର୍ନୀତି କରିବ ସେ ଜେଲ ଯିବ । ସାଧାରଣ ଲୋକ ଓ ସରକାର ମଧ୍ୟରେ ଥିବା କୃତିମ ପ୍ରାଚୀରକୁ ଆମେ ଭାଙ୍ଗିଛୁ । ମୁଁ ୩୦ଟି ଜିଲ୍ଲା ଯାଇ ଲୋକଙ୍କ ଦୁଃଖ ଶୁଣିଛି । ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ଆଉ ରାଜଧାନୀରେ ସୀମିତ ନୁହେଁ। ଲୋକଙ୍କ ଆବଶ୍ୟକତା ପୂରଣ ପାଇଁ ୨୪ ବର୍ଷ ନୁହେଁ ୨୪ ମିନିଟ କାଫି । କେବଳ ଇଛା ଶକ୍ତିର ଆବଶ୍ୟକତା ରହିଛି । ତାହା ଆଜି ଆମେ କରି କି ଦେଖାଇଛୁ । ଯୁବ, ମହିଳା, ଗରିବ ଅର୍ଣ୍ଣଦାତା ପାଇଁ ଆମେ ନିରନ୍ତର କାମ କରୁଛୁ । 

ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବା ପାଇଁ ପୂର୍ବ ସରକାର ଅନେକ ନାରା ଦେଇଥିଲେ ମଧ୍ୟ କାମ ଶେଷ କରିନଥିଲା। ଅନେକ ଦକ୍ଷିଣ ଭାରତୀୟ ଠିକାଦାରଙ୍କୁ ଆଣି କାମ ଦେଇ ଅଧା ପନ୍ତରିଆ କରି ଛାଡି ଦେଇଥିଲେ । ୨୦୨୬ ସୁଦ୍ଧା ୯୦ ପ୍ରତିଶତ ଲୋକଙ୍କୁ ପାଇପ ଯୋଗେ ପାଣି ଦେବୁ । ପକ୍କା ଘର ପାଇଁ ଆମ ସରକାର ନୂଆ ସର୍ଭେ କରିଛନ୍ତି । ଏହାଛଡ଼ା ଅନ୍ତଦ୍ୱୟ ଗୃହ ଯୋଜନା ଆରମ୍ଭ କରାଯାଇଛି ।ଯୁବକ ମାନଙ୍କ ପାଇଁ ଆମେ ଚାକିରୀ ଯୋଗାଇ ଦେଇଛୁ । ଖାଲି ଥିବା ୧ ଲକ୍ଷ ୫୦ ହଜାର ସରକାରୀ ପଦବୀ ମଧ୍ୟରୁ ୨୮ ହଜାର ଚାକିରୀ ସ୍ୱଚ୍ଛ ପ୍ରକ୍ରିୟାରେ ଯୋଗାଇ ଦେଇଛୁ । ଏହି ଆର୍ଥିକ ବର୍ଷରେ ଆହୁରି ୪୦ ହଜାର ନିଯୁକ୍ତି ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ଉତ୍କର୍ଷ ଓଡ଼ିଶା ଜରିଆରେ ଆମେ ଓଡ଼ିଶାକୁ ଶିଳ୍ପ ଆଣିଛୁ । ପ୍ରଧାନମନ୍ତ୍ରୀଙ୍କ ଗ୍ୟାରେଣ୍ଟି ଜରିଆରେ ରାଜ୍ୟକୁ ୧୭ ଲକ୍ଷ ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ଆସିବା ସହ ୧୨ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ୧୬ଟି କ୍ଷେତ୍ରରେ ଆସିଛି ବିଭିନ୍ନ ପୁଞ୍ଜି ବିନିଯୋଗ ପ୍ରସ୍ତାବ। କେବଳ ଚୁକ୍ତି ସ୍ବାକ୍ଷର କରି ନାହୁଁ ଦୁଇ ମାସ ମଧ୍ୟରେ ୪ଟି ଗ୍ରାଉଣ୍ଡ ବ୍ରେକିଂ କରିଛୁ। ଖୋର୍ଦ୍ଧା, ଯାଜପୁର, ଗଞ୍ଜାମ ଓ ଢେଙ୍କାନାଳ ଭଳି ସ୍ଥାନରେ ପ୍ରାୟ ୧ ଲକ୍ଷ ୩୮ ହଜାର କୋଟି ର ଗ୍ରାଉଣ୍ଡ ବ୍ରେକିଂ ସହ ଦେଢ଼ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । 

ବିକଶିତ ଓଡିଶା ଓ ବିକଶିତ ଭାରତ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ । ୨୦୩୬ ପାଇଁ ୩୬ଟି କାର୍ଯ୍ୟକ୍ରମ ହାତକୁ ନେଇଛୁ । ଅର୍ଥନୈତିକ ଦୃଷ୍ଟି କୋଣରୁ ଦେଶର ସର୍ବ ଶ୍ରେଷ୍ଠ ୫ ରାଜ୍ୟ ଭିତରେ ଓଡ଼ିଶା ଗଣା ହେବ ତାହା ଆମ ସଂକଳ୍ପ । ରେଳ ଯୋଗାଯୋଗ, ବିମାନ ଚଳାଚଳ ଭଳି ପ୍ରତି କ୍ଷେତ୍ରରେ କେନ୍ଦ୍ରର ସହଯୋଗ ମିଳୁଛି । ଆଗାମୀ ଦିନରେ ସୁଶାସନ ଯୋଗାଇବାରେ ଓଡ଼ିଶା ରୋଲ ମଡେଲ ହେବ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.