ନୂଆଦିଲ୍ଲୀ ୨୯।୬: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଲାଗି ପ୍ରଥମ ଥର କ୍ଲାଉଡ ସିଡିଂ ବା କୃତ୍ରିମ ବର୍ଷା କରାଯିବ। ଦିଲ୍ଲୀ ପରିବେଶ ମନ୍ତ୍ରୀ ମନଜିନ୍ଦର ସିଂହ ସିରସା ଏ ନେଇ ସୂଚନା ଦେଇଛନ୍ତି। ଏହି ପ୍ରକ୍ରିୟା ୪ରୁ ୧୧ ଜୁଲାଇ ମଧ୍ୟରେ ପାଗ ଅନୁକୂଳତା ଆଧାରରେ କରାଯିବ। ସିରସାଙ୍କ ଅନୁସାରେ ଏହି ଯୋଜନା ପାଇଁ ଆଇଆଇଟି କାନପୁର ଓ ଆଇଏମଡି ପୁଣେ ମିଳିତ ବୈଷୟିକ ସହଯୋଗ କରିବେ।
ସିରସା କହିଛନ୍ତି ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ପାଗ ଅନୁକୂଳ ନାହିଁ। ତେବେ ୪ରୁ ୧୧ ଜୁଲାଇ ମଧ୍ୟରେ ୫ଟି ଉଡାଣ ଦ୍ୱାରା କ୍ଲାଉଡସିଡିଂ ପ୍ରସ୍ତାବିତ ହୋଇଛି। ପ୍ରତ୍ୟେକ ଥର ୯୦ ମିନିଟ୍ ପର୍ଯ୍ୟନ୍ତ କ୍ଲାଉଡ ସିଡିଂ କରାଯିବା ଓ ଏଥିରେ ମୋଟ ୧୦୦ ବର୍ଗ କିଲୋମିଟର କ୍ଷେତ୍ରକୁ କଭର କରାଯିବ। ଏହି ଯୋଜନାକୁ ସଫଳ କରିବା ପାଇଁ ବେ ସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ)ଙ୍କୁ ପ୍ରସ୍ତାବ ଦିଆଯାଇଛି। ଯେଉଁଥିରେ ପ୍ରତିକୂଳ ପାଗରେ ବିକଳ୍ପ ତିଥି ପାଇଁ ନିବେଦନ କରାଯାଇଛି।
ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ନେତୃତ୍ୱରେ ପରିବେଶ ବିଭାଗ ଦ୍ୱାରା ଏହି ପ୍ରୟୋଗ କରାଯିବ। ଦିଲ୍ଲୀ ବାସିନ୍ଦାଙ୍କୁ ନିଶ୍ୱାସରେ ପ୍ରଦୂଷଣ ମୁକ୍ତ ସ୍ୱଚ୍ଛ ବାୟୁ ଯୋଗାଇ ଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଏହି ପ୍ରକଳ୍ପରେ ଯେଉଁ କ୍ଲାଉଡ ସିଡିଂ ଫ୍ରର୍ମୂଲା ପ୍ରୟୋଗ ହେବ ତାହା ଆଇଆଇଟି କାନପୁର ଦ୍ୱାରା ବିକଶିତ କରାଯାଇଛି। ଏଥିରେ ସିଲଭର ଆୟୋଡାଇଜଡ ନାନୋ କଣିକା, ଆୟୋଡିନ ଯୁକ୍ତ ଲୁଣ ଓ ସନ୍ଧୈବ ଲବଣ ଆଦି ଉପଯୋଗ କରି ବାଦଲରେ ପାଣି ସୃଷ୍ଟି କରି ବର୍ଷା କରାଇବାରେ ସହାୟକ ହେବ।
ପ୍ରସ୍ତାବ ଅନୁସାରେ ଉତ୍ତର-ପଶ୍ଚିମ ଓ ବାହ୍ୟ ଦିଲ୍ଲୀର କମ୍ ଭିଡଭାଡ ଅଞ୍ଚଳରେ ବାୟୁକ୍ଷେତ୍ରରେ ୯୦ ମିନିଟରେ ୫ଟି ଉଡାଣ ସଞ୍ଚାଳନ କରାଯିବ। ଏହି ଉଡାଣ ସମୟରେ ସ୍ୱତନ୍ତ୍ର ଫ୍ଲେୟାର ସିଷ୍ଟମ ଦ୍ୱାରା ରସାୟନର ମିଶ୍ରଣ ଛଡାଯିବ। ଏହି ପ୍ରକଳ୍ପକୁ ଅଧିକାରୀକ ରୂପେ ଟେକ୍ନୋଲଜି ଡେମନଷ୍ଟ୍ରେସନ ଆଣ୍ଡ ଇଭାଲ୍ୟୁଏସନ ଅଫ କ୍ଲାଉଡ ସିଡିଂ ଆଜ ଆନ ଅଲ୍ଟରନେଟିଭ ଫର ଦିଲ୍ଲୀ ଏନସିଆର ପଲ୍ୟୁସନ ଭାବେ ନାମିତ କରାଯାଇଛି। ଏହି ପୁରା ଟ୍ରାୟଲ ନିମନ୍ତେ ଅନୁନ୍ୟ ୩.୨୧ କୋଟି ଟଙ୍କା ବ୍ୟୟ ହେବ। ତେବେ ଏହି ପ୍ରୟୋଗର ସଫଳତା ପାଗର ଅନୁକୂଳତା ଉପରେ ନିର୍ଭର କରେ।