ହୃଦଘାତକୁ ଭାବି ନେଲେ ଏସିଡିଟି ହୋଇଛି , ୧୩ ବର୍ଷିୟ ଛାତ୍ରଙ୍କ ଚାଲିଗଲା ଜୀବନ

Published By : Prameya-News7 Bureau | May 27, 2025 IST

ଭୋପାଳ : ଗୁଜରାଟର ନବସାରୀ ଜିଲ୍ଲାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାରେ ତପୋବନ ଆଶ୍ରମଶାଳାକୁ ପଢିବାକୁ ଯାଇ ଥିବା ମଧ୍ୟ ପ୍ରଦେଶର ୯ମ ଶ୍ରେଣୀରେ ପଢି ଥିବା ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଛି। ୧୩ ବର୍ଷିୟ ମେଘ ଶାହ ନାମକ ଏକ ଛାତ୍ରଙ୍କୁ ଅଧ ରାତିରେ  ହୃଦଘାତ ହୋଇଥିଲା, କିନ୍ତୁ ହଷ୍ଟେଲ ଲୋକେ ଏସିଡିଟି ଭାବି ତାଙ୍କୁ ଫାଷ୍ଟ ଏଡ୍‌ ଦେଇ ଥିଲେ। ସାରାରାତି ଛାତି ଯନ୍ତ୍ରଣାରେ ଛଟପଟ ହୋଇ ସକାଳେ ହସ୍ପିଟାଲରେ ଆଖି ବୁଜି ଦେଇ ଥିଲେ ଛାତ୍ର ଜଣଙ୍କ । ଏହି ଘଟଣା ପରେ ଆଶ୍ରମ ପ୍ରବନ୍ଧନ ଅବହେଳା ପାଇଁ ସଂପୃକ୍ତ ହଷ୍ଟେଲ ସହାୟକ ହର୍ଷଦ ରାଠୱାଙ୍କୁ ନିଲମ୍ୱିତ କରି ଦେଇଛନ୍ତି।

ମାମଲାକୁ ବିସ୍ତୃତରେ ଜାଣିବା ପରେ ଜଣାପଡ଼ି ଥିଲା ଯେ, ମଧ୍ୟ ପ୍ରଦେଶରେ ରହୁଥିବା ୧୩ ବର୍ଷିୟ ମେଘ ଶାହ ଗୁଜରାଟର ନବସାରୀ ଜିଲ୍ଲାରେ ତପୋବନ ଆଶ୍ରମଶାଳାରେ ପଢୁ ଥିଲେ। ୨୪ ମେ’ ରାତି ୧ଟା ସମୟରେ ତାଙ୍କର ଛାତିରେ ଯନ୍ତ୍ରଣା ଅନୁଭବ ହୋଇ ଥିଲା। ସେ ଏହି ପୀଡ଼ା ବିଷୟରେ ହଷ୍ଟେଲ ସହାୟକଙ୍କୁ କହିଥିଲେ। ହଷ୍ଟେଲ ସହାୟକ ଭାବିଲେ ଯେ, ମେଘଙ୍କୁ ଏସିଡିଟି ସମସ୍ୟା ହୋଇଛି। ସେ ଏହା ଭାବି ଏହି ୧୩ ବର୍ଷିୟ ପିଲାର ଚିକିତ୍ସା କରିବାକୁ ଲାଗିଲେ। ସଂସ୍ଥାର ପ୍ରବନ୍ଧକ ଗଙ୍ଗାଧର ପାଣ୍ଡେ କହିଛନ୍ତି ଯେ, ଏହି ପୂରା ଘଟଣାରେ ଅବହେଳା ପ୍ରଦର୍ଶନ କରିଥିବା ସହାୟକ ହର୍ଷଦ ରାଠୱାଙ୍କୁ ନିଲମ୍ୱିତ କରିଦିଆ ଯାଇଛି। ଯେବେ ଛାତ୍ର ଜଣଙ୍କ ଯନ୍ତ୍ରଣା ଅଭିଯୋଗ କଲେ , ତ ହର୍ଷଦ ରାଠୱା ତାଙ୍କୁ ମଲମ ଲଗାଇ ଥିଲେ ଏବଂ ଏସିଡିଟିର ଔଷଧ ଦେଇ ଥିଲେ।

ମେଘଙ୍କ ଯନ୍ତ୍ରଣା ସହିବା ବାହାରେ ହୋଇଗଲା। ସାରାରାତି ହଷ୍ଟେଲରେ ଛଟପଟ ହେବା ପରେ ତାଙ୍କୁ ସକାଳେ ହସ୍ପିଟାଲ ନିଆଗଲା, କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ହଷ୍ଟେଲ ସହାୟକ ହର୍ଷଦ ରାଠୱା ପୂରା ରାତି ଛାତ୍ରଙ୍କୁ ନିଜ କୋଳକୁ ନେଇ ସମ୍ଭାଳିବାକୁ ଚେଷ୍ଟା କରି ଥିଲେ। ପିଲାଟି ଯନ୍ତ୍ରଣାରେ କାନ୍ଦୁ ଥିଲା। ସଠିକ୍‌ ସମୟରେ ଚିକିତ୍ସା ନମିଳିବାରୁ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା। ଏହାର ସିସିଟିଭି ଫୁଟେଜ୍‌ ମଧ୍ୟ ସାମ୍ନାକୁ ଆସିଛି। ଛାତ୍ର ମେଘ ଶାହ ବଡବାନିର ଖେତିଆରେ ରହୁଥିଲେ। ପରିବାର ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସକୁ ଅନୁରୋଧ କରିଛନ୍ତି, ହେଲେ ନବସାରୀ ଗ୍ରାମାଞ୍ଚଳ ପୁଲିସ ପ୍ରାରମ୍ଭିକ ମେଡିକାଲ ଯାଞ୍ଚ ଆଧାରରେ ଆକସ୍ମିକ ମୃତ୍ୟୁ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରି ଦେଇଛି।

ତପୋବନ ଆଶ୍ରମଶାଳା ନବସାରୀରେ ରାଷ୍ଟ୍ରୀୟ ରାଜପଥ ସଂଖ୍ୟା ୪୮ରେ ଅବସ୍ଥିତ। ପାଖାପାଖି ୩୫ ବର୍ଷରୁ ସ୍କୁଲ ଓ ହଷ୍ଟେଲ ଚାଲିଛି। ଏଥିରେ ପାଖାପାଖି ୩୨୨ଜଣ ଛାତ୍ରଛାତ୍ରୀ ପଢନ୍ତି। ବର୍ତ୍ତମାନ ଛୁଟି ସତ୍ତ୍ୱେ ଛାତ୍ରଙ୍କୁ ଏକଷ୍ଟ୍ରା କ୍ଲାସ ପାଇଁ ଡକାଯାଇ ଥିଲା। ମେଘ ଶାହ ଏହି ଅତିରିକ୍ତ ଶ୍ରେଣୀରେ ଭାଗ ନେବାକୁ ୪-୫ ଦିନ ପୂର୍ବରୁ ମଧ୍ୟପ୍ରଦେଶର ଖେତିଆରୁ ନବସାରୀ ଆସିଥିଲେ। ଯେବେ ସେ ଘରୁ ଆସିଲେ, ସେତେବେଳେ ସେ ସଂପୂର୍ଣ୍ଣ ରୂପେ ସୁସ୍ଥ ଥିଲେ , ଏହି କଥାକୁ ସ୍କୁଲ୍‌ ମଧ୍ୟ ସ୍ୱୀକାର କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.