‘ବାକ୍ ସ୍ୱାଧୀନତାର ଗୁରୁତ୍ୱ ବୁଝନ୍ତୁ’, ସୁପ୍ରିମକୋର୍ଟଙ୍କ ପରାମର୍ଶ- ନାଗରିକ ନିଜ ଉପରେ ନିୟନ୍ତ୍ରଣ ରଖନ୍ତୁ

Published By : Prameya-News7 Bureau | July 14, 2025 IST

News7

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବାକ୍ ସ୍ୱାଧୀନତାକୁ ନେଇ ସୋମବାର ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି । ନାଗରିକମାନେ ନିଜ କହିବାର ଓ ବାକ୍ ସ୍ୱାଧୀନତାର ମୂଲ୍ୟ ବୁଝିବା ଦରକାର ଓ ଏହାସହ ସ୍ୱ-ନିୟନ୍ତ୍ରଣ ଓ ସଂଯମତା ପାଳନ କରିବା ଦରକାର ବୋଲି କୋର୍ଟ କହିଛନ୍ତି । ନ୍ୟାୟାଳୟ କହିଛନ୍ତି ଯେ ସୋସିଆଲ୍ ମିଡିଆରେ ବଢୁଥିବା ବିଭାଜନକାରୀ ପ୍ରବୃତ୍ତି ଉପରେ ରୋକ୍ ଲଗାଯିବା ଦରକାର । ସର୍ବୋଚ୍ଚ ଅଦାଲତ ଏହା ବି ସ୍ପଷ୍ଟ କରିଛନ୍ତି ଯେ ସେ ସେନସରଶିପ୍ କଥା କହୁନାହାନ୍ତି, ବରଂ ଲୋକେ ନିଜେ ଦାୟିତ୍ୱବାନ ହୁଅନ୍ତୁ ଓ ନିଜ କଥାରେ ସଂଯମତା ବଜାୟ ରଖନ୍ତୁ ।

ସୁପ୍ରିମକୋର୍ଟ କହିଛନ୍ତି, ରାଜ୍ୟ (ସରକାର) ଏହି ପରି ମାମଲାରେ ହସ୍ତକ୍ଷେପ କରନ୍ତୁ ବୋଲି କେହି ମଧ୍ୟ ଚାହୁଁନାହାନ୍ତି । ଏଥିପାଇଁ ଲୋକ ନିଜେ ଦାୟିତ୍ୱ ନିଅନ୍ତୁ ଓ ସୋସିଆଲ୍ ମିଡିଆ କିମ୍ୱା ଅନ୍ୟ କୌଣସି ପ୍ଲାଟଫର୍ମରେ ଏପରି କିଛି କରନ୍ତୁ ନାହିଁ, ଯାହା ଦ୍ୱାରା ସମାଜରେ ଉତ୍ତେଜନା ବଢିବ ।

ଶୀର୍ଷ ଅଦାଲତ ନାଗରିକଙ୍କ ମଧ୍ୟରେ ଭାଇଚାରା ଭାବନା ବଜାୟ ରଖିବା ଉପରେ ଜୋର ଦେଇଛନ୍ତି । ଏହାସହ କହିଥିଲେ, ଆଜିର ସମୟରେ ଯେତେବେଳେ ବିଚ୍ଛିନତାବାଦୀ ବିଚାରଧାରା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି, ସେତେବେଳେ ନାଗରିକମାନେ ଭାବି ବିଚାରି କହିବା ଦରକାର । ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଥିଲେ, ବାକ୍ ସ୍ୱାଧୀନତା ବିରୋଧରେ ଆମେ ନାହୁଁ, କିନ୍ତୁ ଏହା ଉପରେ ସମ୍ୱିଧାନରେ ପୂର୍ବରୁ ହିଁ ଯୁକ୍ତିପୂର୍ଣ୍ଣ ସୀମା ରହିଛି ଏବଂ ଲୋକେ ଏହି ସୀମାର ପାଳନ କରିବା ଦରକାର ।

ସୁପ୍ରିମକୋର୍ଟ ଏହି ଟିପ୍ପଣୀ ଏପରି ମାମଲାର ଶୁଣାଣି ବେଳେ କରିଛନ୍ତି, ଯେଉଁଥିରେ ସୋସିଆଲ୍ ମିଡିଆ ଉପରେ ଆପତ୍ତିଜନତ ଓ ଉତ୍ତେଜନାକାରୀ ପୋଷ୍ଟକୁ ନେଇ ଚିନ୍ତା ବ୍ୟକ୍ତ କରାଯାଇଥିଲା । ଅନଲାଇନ୍ ବାକ୍ ସ୍ୱାଧୀନତା ଓ ସମାଜର ସୌହାର୍ଦ ମଧ୍ୟରେ ସନ୍ତୁଳନ ବଜାୟ ରଖିବା ପାଇଁ ଆଚାର ସଂହିତା ପ୍ରସ୍ତୁତ କରାଯିବା ଉପରେ କୋର୍ଟ ବିଚାର କରୁଛନ୍ତି । 

ହିନ୍ଦୁ ଦେବୀଙ୍କ ଉପରେ ଆପତ୍ତିଜନକ ପୋଷ୍ଟ କରିବା ଅଭିଯୋଗରେ ରୁଜୁ ଏଫଆଇଆରରୁ ଆଶ୍ୱସ୍ତି ପାଇଁ ବଜାହତ ଖାନ ଦ୍ୱାରା ଦାଖଲ ଯାଚିକା ଉପରେ କୋର୍ଟ ଶୁଣାଣି କରିଥିଲେ । ଜଷ୍ଟିସ୍ ବିଭି ନାଗରତ୍ନା ଓ ଜଷ୍ଟିସ୍ କେ.ଭି. ବିଶ୍ୱାନଥନଙ୍କ ଖଣ୍ଡପୀଠ ଏହାର ଶୁଣାଣି କରୁଥିଲେ । ଏହା ପୂର୍ବରୁ ଜୁନ୍ ୨୩ରେ ବଜାହତ ଖାନଙ୍କୁ ଆଶ୍ୱସ୍ତି ଦେଇ ଅନ୍ତୀରଣ ସୁରକ୍ଷା ଦେଇଥିଲେ । ସୁପ୍ରିମକୋର୍ଟ ବଜାହତ ଖାନଙ୍କୁ ଗିରଫଦାରୀରୁ ଅନ୍ତୀରଣ ସୁରକ୍ଷାକୁ ପରବର୍ତ୍ତୀ ଶୁଣାଣି ଯାଏ ବଢାଇଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.