ବିହାର ବିଧାନସଭା ନିର୍ବାଚନ ଲଢ଼ିବେ ଚିରାଗ ପାସୱାନ: ବିରୋଧୀଙ୍କ ସହ ଜେଡିୟୁକୁ ବି କଲେ ସମାଲୋଚନା

Published By : Prameya-News7 Bureau | July 06, 2025 IST

indiatoday

ପାଟନାବିହାର ବିଧାନସଭା ନିର୍ବାଚନ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ। ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ) ମୁଖ୍ୟ ଚିରାଗ ପାସୱାନ ଆଗାମୀ ବିହାର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ରବିବାର ଘୋଷଣା କରିଛନ୍ତି। ସାରଣ ଜିଲ୍ଲାରେ ଏକ ରାଜନୈତିକ ରାଲିରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ବିହାରରେ ଚିରାଗଙ୍କ ଦଳ ବିଜେପି ଓ ନୀତୀଶ କୁମାରଙ୍କ ଦଳ ଜେଡିୟୁ ସହ ମିଶି ନିର୍ବାଚନ ଲଢ଼ିବ। ତେଣୁ ବିହାର ବିଧାନସଭାର ସମସ୍ତ ୨୪୩ଟି ଆସନରେ କଠିନ ପରିଶ୍ରମ କରିବାକୁ ସେ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି। 

ଗତ ୨୦୨୦ ବିଧାନସଭା ନିର୍ବାଚନରେ ଚିରାଗ ପାସୱାନଙ୍କ ଏଲଜେପି ୧୩୭ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା କିନ୍ତୁ ଦଳ କେବଳ ଗୋଟିଏ ଆସନ- ମାଟିହାନିରେ ବିଜୟ ହୋଇଥିଲା। ବର୍ତ୍ତମାନ, ଚିରାଗ ପାସୱାନ ଲୋକସଭା ସାଂସଦ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଅଛନ୍ତି। ସେ ୨୦୨୪ ସାଧାରଣ ନିର୍ବାଚନରେ ବିହାରର ହାଜିପୁର ଲୋକସଭା ଆସନରୁ ସାଂସଦ ଭାବେ ବିଜୀୟ ହୋଇଥିଲେ। ଆରଜେଡିର ଶିବ ଚନ୍ଦ୍ର ରାମଙ୍କୁ ୧,୭୦,୦୦୦ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ।

ଆଗକୁ ଚିରାଗ ବିଧାନସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ତେଣୁ ସାରଣ ଜିଲ୍ଲାରେ ହୋଇଥିବା ଏକ ରାଲିରେ ଯୋଗ ଦେଇ ପାସୱାନ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି), କଂଗ୍ରେସ ଏବଂ ସେମାନଙ୍କର ମେଣ୍ଟକୁ କଡ଼ା ସମାଲୋଚନା କରିଥିଲେ। ସେମାନେ ସର୍ବଦା ସମ୍ବିଧାନର ପବିତ୍ରତା ଉଲ୍ଲଂଘନ କରିବାକୁ ଚେଷ୍ଟା କରିଆସିଛନ୍ତି ବୋଲି ଚିରାଗ କହିଥିଲେ। ଏଥିସହିତ ସେ ବଞ୍ଚିଥିବା ଯାଏ ଅବହେଳିତଙ୍କୁ ଶିକ୍ଷା ଓ ନିଯୁକ୍ତିରେ ଦିଆଯାଉଥିବା ସଂରକ୍ଷଣକୁ  ଓ ସମ୍ବିଧାନକୁ କେହି ଧମକ ଦେଇପାରିବେନି ବୋଲି ପାସୱାନ କହିଛନ୍ତି। ପୁଣିଥରେ ୧୯୭୫ ଏମାର୍ଜେନ୍ସି କଥା ଉଠାଇ କଂଗ୍ରେସକୁ ଟାର୍ଗେଟ୍ କରିବା ସହ କଂଗ୍ରେସ ଓ ଏହାର ସହଯୋଗୀମାନେ ସବୁବେଳେ ସମ୍ବିଧାନକୁ ଟାର୍ଗେଟ୍ କରିଆସୁଛନ୍ତି ପାସୱାନ କହିଛନ୍ତି। 

ସାରଣ ଜିଲ୍ଲାରେ ରାଲି ବେଳେ ନିଜ ସରକାର ସହଯୋଗୀ ଦଳ ନୀତୀଶଙ୍କ ଜେଡିୟୁ ସରକାରକୁ ବି ଚିରାଗ ସମାଲୋଚନା କରିଥିଲେ। ଶିଳ୍ପପତି ଗୋପାଳ ଖେମକାଙ୍କର ଦିନ ଦ୍ୱିପ୍ରହରେ ଗୁଳି କରି ହତ୍ୟା କରିବା ରାଜ୍ୟର ଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଚିରାଗ କହିଥଲେ। ସେ ରାଜ୍ୟର ସୁଶାସନର ସମର୍ଥକ ବୋଲି କହିଥିଲେ କହିଥିଲେ ପାସୱାନ। 

ବିହାର ବିଧାନସଭା ନିର୍ବାଚନ ଚଳିତ ବର୍ଷ ଶେଷରେ ହେବ। ସମ୍ଭବତଃ ଅକ୍ଟୋବର କିମ୍ବା ନଭେମ୍ବରରେ ନିର୍ବାଚନ ହୋଇପାରେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.