ବେଜିଂ ୩।୮: ପକିସ୍ତାନ ବିରୋଧରେ ହୋଇଥିବା ଯୁଦ୍ଧରେ ଭାରତୀୟ ବାୟୁସେନା ବିମାନ ଖସାଯିବା ରିପୋର୍ଟ ଉପରେ ଚୀନ୍ ପ୍ରତିକ୍ରିୟା ଦେଇଛି। ଏଥିରେ ଚୀନ୍ ତାର ପିଏଲ୍-୧୫ ମିଜାଇଲର ତାରିଫ କରିଛି। ରୟଟର୍ସର ଶନିବାର ରିପୋର୍ଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ୬-୭ ମେ ରାତିରେ ହୋଇଥିବା ସଂଘର୍ଷ କାଳରେ ଭାରତର ଏକ ଆଡଭାନ୍ସ ଫାଇଟର ଜେଟ୍ ଖସିପଡିଥିବା ଦାବି କରିଛି। ଏହି ବିମାନଟି ରାଫେଲ ବୋଲି ରଏଟର୍ସ କହିଛି।
ପାକିସ୍ତାନ ଓ ଭାରତର କେତେକ ବାୟୁସେନା ଅଧିକାରୀଙ୍କ ସୂତ୍ରରୁ ରଏଟର୍ସ ଏହି ଦାବି କରିଛି। ରଏଟର୍ସ ରିପୋର୍ଟରେ କୁହାଯାଇଛି ଯେ ପାକିସ୍ତାନର ଚୀନ୍ ଜେ-୧୦ ଯୁଦ୍ଧବିମାନ ଭାରତର ଅତ୍ୟାଧୁନିକ ରାଫେଲ ଫାଇଟର ଜେଟ୍ କୁ ମାରି ଖସାଇ ଦେଇଛି। ହେଲେ ଭାରତ ଏ ପର୍ଯ୍ୟନ୍ତ ଅଧିକାରୀକ ଭାବେ ରାଫେଲ ଖସିଥିବାର ସ୍ୱୀକାର କରି ନାହିଁ। ତେବେ ପାକିସ୍ତାନ ବିରୋଧରେ ହୋଇଥିବା ଏହି ସଂଘର୍ଷରେ କିଛି ନା କିଛି କ୍ଷତି ନିଶ୍ଚିତ ହୋଇଛି ବୋଲି ଭାରତ କହିଛି।
ତେବେ ଏହା ପୂର୍ବରୁ ଫ୍ରାନ୍ସ ଏୟାରଫୋର୍ସ ମୁଖ୍ୟ ଗତ ମାସରେ କହିଥିଲେ ଯେ ଭାରତକୁ ଗୋଟିଏ ରାଫେଲର କ୍ଷତି ହୋଇଛି। ତେବେ ଏହି କ୍ଷତି ପାକିସ୍ତାନୀ ମିଜାଇଲ ଯୋଗୁ ନୁହେଁ ବରଂ ବୈଷୟିକ ତ୍ରୁଟି ଯୋଗୁ ହୋଇଛି। ତେବେ ରୟଟର୍ସ ରିପୋର୍ଟରେ ଦୁଇ ଦେଶଙ୍କ ବାୟୁସେନା ଅଧିକାରୀଙ୍କ ସୂତ୍ରରୁ ଦାବି କରାଯାଇଛି ଯେ ବାସ୍ତବରେ ଭାରତୀୟ ପାଇଲଟ ଚୀନ୍ ପିଏଲ-୧୫ ମିଜାଇଲର ରେଞ୍ଜକୁ କମତର ଭାବିଥିଲେ। ରିପୋର୍ଟରେ କୁହାଯାଇଛି ଯେ ଭାରତୀୟ ପାଇଲଟଙ୍କୁ ଏ କଥାର ଗୁଇନ୍ଦା ସୂଚନା ଥିଲା ଯେ ଚୀନ୍ ପିଏଲ-୧୫ ମିଜାଇଲର ରେଞ୍ଜ ୧୪୫ କିଲୋମିଟର। ତେବେ ପାକିସ୍ତାନ ବ୍ୟବହାର କରିଥିବା ମିଜାଇଲର ରେଞ୍ଜ ୨୦୦କିଲୋମିଟର ଥିଲା।
ଏହା ପୂର୍ବରୁ ନବଭାରତ ଟାଇମ୍ସ ଅପରେସନ ସିନ୍ଦୂର ଆରମ୍ଭ ହେବା ପୂର୍ବରୁ ରିପୋର୍ଟରେ କହିଥିଲା ଯେ ‘ଚୀନ ସେନା ପିଏଲଏ ତା ଷ୍ଟକ୍ ରୁ ପିଏଲ-୧୫ ମିଜାଇଲ ବାହାର କରି ପାକିସ୍ତାନକୁ ଦେଇଛି, ଯାହାର ରେଞ୍ଜ ୨୦୦ରୁ ୩୦୦ କିଲୋମିଟର ହୋଇପାରେ’। ପାକିସ୍ତାନୀ ଅଧିକାରୀମାନେ ରୟଟର୍ସକୁ କହିଛନ୍ତି ଯେ ଭାରତୀୟ ଯୁଦ୍ଧ ବିମାନ ଉପରକୁ ପାଖପାଖି ୨୦୦ କିଲୋମିଟର ଦୂରରୁ ମିଜାଇଲ ମାଡ଼ କରାଯାଇଥିଲା। ତେବେ ଭାରତୀୟ ଅଧିକାରୀମାନେ ଏହି ରେଞ୍ଜ ୨୦୦ କିଲୋମିଟରରୁ କିଛି ଅଧିକ ଥିଲା ବୋଲି କହିଛନ୍ତି।
ରୟଟର୍ସ ଦାବି କରିଛି ଯେ ବିମାନ ଖସିବା ପଛରେ ଏଥିରେ କୌଣସି ବୈଷୟିକ ତ୍ରୁଟି ନୁହେଁ ବରଂ ମିଜାଇଲ ସମ୍ପର୍କରେ ଭୁଲ ଗୁଇନ୍ଦା ସୂଚନା କାରଣରୁ ବିମାନ ଖସିଛି। ଏହା ପରେ ଗ୍ଲୋବାଲ ଟାଇମ୍ସ ଚୀନ୍ ମିଜାଇଲର ଖୁବ୍ ଉଚ୍ଚ ପ୍ରଶଂସା କରିଛି। ଚୀନ୍ ସୈନ୍ୟ ବ୍ୟାପାର ବିଶେଷଜ୍ଞ ଝାଙ୍ଗ ଜୁଏଫେଙ୍ଗ ଗ୍ଲୋବାଲ ଟାଇମ୍ସକୁ କହିଛନ୍ତି ଯେ ପିଏଲ-୧୫ଇ ମିଜାଇଲର ସବୁଠୁ ବଡ଼ ବିଶେଷତା ହେଉଛି ଏହାର ଦୀର୍ଘ ରେଞ୍ଜ। ଏହାର ଅଧିକତମ ମାରକ କ୍ଷମତା ପୂର୍ବ ମିଜାଇଲମାନଙ୍କଠାରୁ ଅନେକ ଅଧିକ। ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ବାୟୁସେନା ଅଧିକାରୀମାନେ କହିଛନ୍ତି ଯେ ଅପରେସନ ସିନ୍ଦୂର କାଳରେ ପାକିସ୍ତାନକୁ ଚୀନ୍ ଲାଇଭ ସାଟେଲାଇଟ୍ ଡାଟା ଲିଂକ ଦେଇଥିଲା।