ନୂଆଦିଲ୍ଲୀ: ଭାରତ ସହ ଥିବା ସୀମା ବିବାଦ ନେଇ ଚୀନ ପକ୍ଷରୁ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଭାରତ ସହିତ ଦୀର୍ଘକାଳୀନ ସୀମା ବିବାଦ "ଜଟିଳ" ଏବଂ ଏହାର ସମାଧାନ ପାଇଁ ସମୟ ଲାଗିବ। ତଥାପି, ସୀମା ନିର୍ଦ୍ଧାରଣ ଏବଂ ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ଉପରେ ଆଲୋଚନା କରିବାକୁ ଆମେ ପ୍ରସ୍ତୁତ ଅଛୁ ବୋଲି ଚୀନ କହିଛି। ସୀମା ବିବାଦ ନେଇ ସୋମବାର ବେଜିଂରେ ରିପୋର୍ଟରମାନଙ୍କୁ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି ଚୀନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ୍।
ଜୁନ୍ ୨୬ ତାରିଖରେ କ୍ୱିଙ୍ଗଡାଓରେ ସାଂଘାଇ ସହଯୋଗ ସଂଗଠନ (SCO) ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ସମ୍ମିଳନୀ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ଡଙ୍ଗ୍ ଜୁନ୍ଙ୍କୁ ଭେଟିଥିଲେ। ଏବଂ ସାକ୍ଷାତ ସମୟରେ ସେ ଚୀନ ପ୍ରତିପକ୍ଷକୁ ଏନେଇ କିଛି ପରାମର୍ଶ ଦେଇଥିଲେ। ଯାହାର ପ୍ରତିକ୍ରିୟା ସ୍ୱରୁପ ଚୀନ ପକ୍ଷରୁ ଏଭଳି ବିବୃତ୍ତି ସାମ୍ନାକୁ ଆସିଛି।
ଦ୍ୱିପାକ୍ଷିକ ଆଲୋଚନା ସମୟରେ, ରାଜନାଥ ପ୍ରସ୍ତାବ ଦେଇଥିଲେ ଯେ ଭାରତ ଏବଂ ଚୀନ୍ ଏକ ସଂରଚିତ ରୋଡମ୍ୟାପ୍ ଅଧୀନରେ "ଜଟିଳ ସମସ୍ୟା" ସମାଧାନ କରିବା ପାଇଁ କାର୍ଯ୍ୟ କରିବେ। ସେ ପ୍ରକୃତ ନିୟନ୍ତ୍ରଣ ରେଖା (LAC) ରେ ଉତ୍ତେଜନା ହ୍ରାସ କରିବା ପାଇଁ ପଦକ୍ଷେପ ନେବା ଓ ସୀମା ନିର୍ଦ୍ଧାରଣ ପାଇଁ ବର୍ତ୍ତମାନର ଯେଉଁ ବ୍ୟବସ୍ଥା ରହିଛି ତାକୁ ଆପଣାଇବାକୁ ଆହ୍ୱାନ କରିଥିଲେ।
ରାଜନାଥ ସିଂହଙ୍କ ମନ୍ତବ୍ୟ ଉପରେ ଚୀନର ମତାମତ ବିଷୟରେ ପଚରା ଯିବାରୁ ସୋମବାର ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ୍ କହିଛନ୍ତି ଯେ ଦୁଇ ଦେଶ ପୂର୍ବରୁ ସ୍ୱତନ୍ତ୍ର ପ୍ରତିନିଧି (SRs) ତନ୍ତ୍ର ସ୍ଥାପନ କରିସାରିଛନ୍ତି। ସୀମା ସମାଧାନ ପାଇଁ "ରାଜନୈତିକ ପାରାମିଟର ଏବଂ ମାର୍ଗଦର୍ଶକ ନୀତି" ଉପରେ ସହମତ ହୋଇଛନ୍ତି।” ସୀମା ସମସ୍ୟା ଜଟିଳ, ଏବଂ ଏହାର ସମାଧାନ ପାଇଁ ସମୟ ଲାଗେ। ବୋଲି ମାଓ କହିଛନ୍ତି। ୨୩ ପର୍ଯ୍ୟାୟ SR-ସ୍ତରୀୟ ଆଲୋଚନା ସତ୍ତ୍ୱେ ସମସ୍ୟାର ସମାଧାନରେ ବିଳମ୍ବ ସମ୍ପର୍କରେ ବେଜିଂରେ ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ମାଓ ଏପରି କହିଛନ୍ତି।" ତେବେ ସକାରାତ୍ମକ କଥା ହେଉଛି ଦୁଇ ଦେଶ ସମ୍ପୂର୍ଣ୍ଣ ଯୋଗାଯୋଗ ପାଇଁ ବିଭିନ୍ନ ସ୍ତରରେ ବ୍ୟବସ୍ଥା ସ୍ଥାପନ କରିସାରିଛନ୍ତି। ବୋଲି ମାଓ ରିପୋର୍ଟରମାନଙ୍କୁ କହିଛନ୍ତି।
ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଚୀନର ପ୍ରସ୍ତୁତିକୁ ଦୋହରାଇ ମାଓ କହିଛନ୍ତି “ସୀମା ନିର୍ଦ୍ଧାରଣ ଆଲୋଚନା ଏବଂ ସୀମା ପରିଚାଳନା ସମେତ ବିଭିନ୍ନ ପ୍ରସଙ୍ଗରେ ଭାରତ ସହିତ ଯୋଗାଯୋଗ ବଜାୟ ରଖିବାକୁ ଚୀନ୍ ପ୍ରସ୍ତୁତ ଅଛି। ମିଳିତ ଭାବରେ ସୀମାନ୍ତ ଅଞ୍ଚଳଗୁଡ଼ିକୁ ଶାନ୍ତିପୂର୍ଣ୍ଣ ରଖିବା ଏବଂ ସୀମାପାର ଆଦାନପ୍ରଦାନ ଏବଂ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରସ୍ତୁତି ରହିଛି।”
ସୂଚନା ଥାଉକି ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ମଧ୍ୟରେ ୨୩ତମ ସିନିୟର ସ୍ତରୀୟ ଆଲୋଚନା ଗତ ବର୍ଷ ଡିସେମ୍ବରରେ ଅନୁଷ୍ଠିତ ହୋଇଥିଲା। ୨୦୨୦ ମସିହାରେ ପୂର୍ବ ଲଦାଖରେ ହୋଇଥିବା ସୀମା ସଂଘର୍ଷ ପରେ ପ୍ରଥମ ଥର ଏଭଳି ଆଲଚୋନା ହୋଇଥିଲା। ଏହି ବୈଠକରେ, ଉଭୟ ପକ୍ଷ ଅକ୍ଟୋବର ୨୦୨୪ ରେ ହୋଇଥିବା ସୈନ୍ୟପ୍ରତ୍ୟାହାର ଚୁକ୍ତିନାମା କାର୍ଯ୍ୟକାରୀ କରିବା ପାଇଁ ସହମତି ପ୍ରକାଶ କରିଥିଲେ। ଫଳରେ ସମ୍ପୃକ୍ତ ଅଞ୍ଚଳରେ ପାଟ୍ରୋଲିଂ କାର୍ଯ୍ୟ ସୁରଖୁରରେ ଆରମ୍ଭ ହୋଇଥିଲା।
କ୍ୱିଙ୍ଗଡାଓରେ ରାଜନାଥ ସିଂହ "ଭଲ ପଡ଼ୋଶୀ ଭଳି ପରିସ୍ଥିତି" ସୃଷ୍ଟି କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ୨୦୨୦ ସଂଘର୍ଷ ପରେ ସୃଷ୍ଟି ହୋଇଥିବା ଅବିଶ୍ୱାସ ବାବକୁ ଦୂର କରିବା ପାଇଁ ତୃଣମୂଳ ସ୍ତରରେ କାମ କରିବାକୁ ଆହ୍ୱାନ ଦେଇଥିଲେ। ସେ ଡଙ୍ଗଙ୍କୁ ସମ୍ପ୍ରତି ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ପାକିସ୍ତାନରେ ଆତଙ୍କବାଦୀ ନେଟୱାର୍କକୁ ଟାର୍ଗେଟ କରି ଭାରତର ଅପରେସନ ସିନ୍ଦୂର ବିଷୟରେ ମଧ୍ୟ ସୂଚନା ଦେଇଥିଲେ।
ତେବେ ଦୁଇ ଦେଶ ମଧ୍ୟରେ ସମାଧାନର ସମୟସୀମା କେବେ ବୋଲି ପଚରାଯିବାରୁ ମାଓ କହିଛନ୍ତି "ଆମେ ଆଶା କରୁଛୁ ଯେ ଭାରତ ସମାନ ଦିଗରେ ଚୀନ୍ ସହିତ ମିଶି କାମ କରିବ, ପ୍ରାସଙ୍ଗିକ ପ୍ରସଙ୍ଗରେ ଯୋଗାଯୋଗ ଜାରି ରଖିବ ଏବଂ ମିଳିତ ଭାବରେ ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକୁ ଶାନ୍ତିପୂର୍ଣ୍ଣ ରଖିବ।"