ନୂଆଦିଲ୍ଲୀ: ଚୀନ ସହ ବନ୍ଧୁତା ଏବେ ମାଳଦ୍ଵୀପକୁ ଭାରି ପଡ଼ିବାରେ ଲାଗିଛି। ଏହି ଆଶଙ୍କା ଘନୀଭୂତ ହେଲାଣି ଯେ, ମହମ୍ମଦ ମୁଇଜ୍ଜୁଙ୍କ ଦେଶର ଅବସ୍ଥା ପାକିସ୍ତାନ ଓ ଶ୍ରୀଲଙ୍କା ପରି ହୋଇପାରେ। ଚୀନ ମାଳଦ୍ଵୀପକୁ ପର୍ଯ୍ୟାପ୍ତ ମାତ୍ରାରେ ଋଣ ଦେଇଛି, ଯାହା ଫଳରେ ଏହି ଦ୍ଵୀପ ଦେଶ ସଂପ୍ରତି ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ମାଳଦ୍ଵୀପ ଉପରେ ଧିରେ ଧିରେ ଋଣର ବୋଝଭାର ବଢିବାରେ ଲାଗିଛି, ଯାହା ଦେଶର ଆର୍ଥିକ ସାର୍ବଭୌମତ୍ଵ ପ୍ରତି ବିପଦ ଦେଖା ଦେଇଛି।
ମାଳଦ୍ଵୀପର ବୈଦେଶିକ ମୁଦ୍ରା ଭଣ୍ଡାର ବିପଦଜ୍ଜନକ ସ୍ତରରକୁ ଖସି ଆସିଛି। ଦେଶ କେମିତି ଋଣ ପରିଶୋଧ କରିବ ସେହି ଚିନ୍ତାରେ ପଡ଼ି ଯାଇଛି ସେଠାକାର ମୋଇଜ୍ଜୁ ସରକାର। ଏକ ରିପୋର୍ଟ ଅନୁଯାୟୀ, ଚୀନର ଋଣ ଦେବାର ପ୍ରଥା ଓ କାରବାର ନୀତି ଦ୍ଵୀପ ଦେଶର ଆର୍ଥିକ ବ୍ୟବସ୍ଥାକୁ ଗୁରୁତର ଭାବେ ପ୍ରଭାବିତ କରିଛି। ଏଥିରୁ ସ୍ପଷ୍ଟ ଯେ, ସହାୟତାର ହାତ ବଢାଉଥିବା ଜିନପିଙ୍ଗ ମାଳଦ୍ଵୀପକୁ କେମିତି ଋଣ ଜାଲରେ ଫସାଇ ଦ୍ଵୀପ ଦେଶର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛନ୍ତି।
Also read: ରମଜାନ ମାସରେ ରକ୍ତ ପରି ଲାଲ୍ ହେଲା ଇରାନ ମାଟି? ସାମ୍ନାକୁ ଆସିଲା କାରଣ...
ନ୍ୟୁଜ୍ ଏଜେନ୍ସି ଏଏନଆଇ ଅନୁସାରେ, ୨୦୧୮ରେ ମାଳଦ୍ଵୀପର ମୋଟ୍ ଋଣ ପରିମାଣ ୩ ବିଲିୟନ ଡଲାରରୁ ବୃଦ୍ଧି ପାଇ ୨୦୨୪ ପର୍ଯ୍ୟନ୍ତ ୮.୨ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚି ଯାଇଛି। ୨୦୨୯ ସୁଦ୍ଧା ଏହାରି ପରିମାଣ ୧୧ ବିଲିୟନ ଡଲାରକୁ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି। ବର୍ତ୍ତମାନ ଋଣରୁ ମାଳଦ୍ଵୀପ ୩.୪ ବିଲିୟନ ଡଲାର ବାହାରୁ ଆଣିଛି। ଏଥିରୁ ସିଂହଭାଗ ଋଣ ଚୀନ ଦେଇଛି। ମାଳଦ୍ଵୀପକୁ ୨୦୨୫ରେ ଋଣ ପରିଶୋଧ ପାଇଁ ୬୦୦ ମିଲିୟନ ଆମେରିକୀୟ ଡଲାର ଓ ୨୦୨୬ରେ ୧ ବିଲିୟନ ଆମେରିକୀୟ ଡଲାରର ଆବଶ୍ୟକତା ରହିଛି।
ମାଳଦ୍ଵୀପ ମୌଦ୍ରିକ ପ୍ରାଧୀକରଣ ଦ୍ଵାରା ରଖା ଯାଇଥିବା ବିଦେଶି ମୁଦ୍ରା ଭଣ୍ଡାର ୨୦୨୪ ସୁଦ୍ଧା ୬୫ ମିଲିୟନ ଆମେରିକୀୟ ଡଲାରରୁ କମ୍ ଥିଲା। ଏହା ପୂର୍ବରୁ ୨୦୨୪ ଜୁଲାଇରେ ବିଦେଶୀ ମୁଦ୍ରା ଭଣ୍ଡାର ୨୧.୯୭ ମିଲିୟନ ଡଲାରର ବିପଦଜ୍ଜନକ ସ୍ତରରେ ରହିଥିଲା। ଅଗଷ୍ଟ ମାସରେ ପୁଣି ଭଣ୍ଡାର ନେଗେଟିଭ ସ୍ତରକୁ ଖସି ଆସିଥିଲା। ପ୍ରଭାବରେ ମାଳଦ୍ଵୀପରେ ଆର୍ଥିକ ସଙ୍କଟ ଦେଖା ଦେଇଥିଲା। ଫଳରେ ଅନ୍ତର୍ଜାତୀୟ ବିତ୍ତୀୟ ସଂସ୍ଥା ଦେଶର କ୍ରେଡିଟ୍ ରେଟିଂ ହ୍ରାସ କରିଥିଲେ। ଫିଚ୍ ଓ ମୁଡିଜ ପରି ସଂସ୍ଥା ଏହି ଦ୍ଵୀପ ଦେଶକୁ ନେଗେଟିଭ ପଏଣ୍ଟ ଦେଇଥିଲେ।