ବିଶ୍ୱର ପ୍ରଥମ ହ୍ୟୁମାନୋଏଡ୍ ରୋବୋଟ୍ ହାଫ୍ ମାରାଥନ୍, ମଣିଷ ସହ ରୋବୋଟ୍‌ଙ୍କୁ ଦୌଡ଼ାଇଲା ଚୀନ

Published By : Prameya-News7 Bureau | April 19, 2025 IST

AFP photo

ନୂଆଦିଲ୍ଲୀ: ଚୀନରେ ଦୁନିଆର ପ୍ରଥମ ହ୍ୟୁମାନୋଏଡ୍ ରୋବୋଟ୍ ମାରାଥନ୍ ଆୟୋଜିତ ହୋଇଛି । ଶନିବାର ଏହି ପ୍ରତିଯୋଗିତାରେ ୨୧ ରୋବୋଟ୍ ମଣିଷ ପ୍ରତିଯୋଗୀଙ୍କ ସହ ଦୌଡ଼ିଥିଲେ । ରାସ୍ତାରେ ମଣିଷଙ୍କ ସହ ରୋବୋଟଙ୍କ ଦୌଡ଼ିବା ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା । ଚୀନର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସିର ପ୍ରଗତିକୁ ଦର୍ଶାଇବା ହେଉଛି ଏହି ପ୍ରତିଯୋଗିତାର ଉଦ୍ଦେଶ୍ୟ । ଏହି ଆୟୋଜନ ଏପରି ସମୟରେ ହୋଇଛି ଯେତେବେଳେ ଆମେରିକା ଓ ଚୀନ ମଧ୍ୟରେ ପ୍ରଯୁକ୍ତିକୁ ନେଇ ପ୍ରତିଯୋଗୀତା ଲଢେଇରେ ପହଞ୍ଚିଛି ।

ଚୀନର ସରକାରୀ ନ୍ୟୁଜ୍ ଏଜେନ୍ସି ଜିନହୁଆ ଏକ ଭିଡିଓ ଜାରି କରି ଏହାକୁ ଦୁନିଆର ପ୍ରଥମ ଦୌଡ଼ ପ୍ରତିଯୋଗିତା କହିଛି, ଯେଉଁଥିରେ ଅନେକ ରୋବୋଟ୍ ସାମିଲ ଥିଲେ । ପ୍ରତିଯୋଗିତାରେ କଳା ରଙ୍ଗର ଟୋପି ଓ ଧଳା ଗ୍ଲୋବ୍ସ ପିନ୍ଧିଥିବା ରୋବୋଟ୍ ସବୁଠୁ ଅଧିକ ଆକର୍ଷଣର କେନ୍ଦ୍ର ଥିଲା । ତେବେ ସୋସିଆଲ୍ ମିଡିଆରେ ଅନ୍ୟ କିଛି ଭିଡିଓରେ କିଛି ରୋବୋଟ୍ ଦୌଡ଼ ଆରମ୍ଭ ହେବା ସହ ପଡ଼ିଯାଇଥିଲେ ।

ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଏବଂ ଫାର୍ମଗୁଡ଼ିକର ୨୧ ଜଣ ମାନବୀୟ ରୋବୋଟ୍, ସେମାନଙ୍କର ବୈଷୟିକ ଅପରେଟରମାନଙ୍କ ସହିତ ଦୌଡ଼ୁଥିବା ଦେଖିବା ଲୋକଙ୍କ ପାଇଁ ଏକ ଆଶ୍ଚର୍ଯ୍ୟଠାରୁ କମ୍ ନଥିଲା । ଏହି ରୋବୋଟଗୁଡ଼ିକ ବିଭିନ୍ନ ଆକାର ଏବଂ ଡିଜାଇନରେ ଥିଲେ । ମଣିଷମାନଙ୍କ ସହିତ ଏହି ରୋବୋଟଗୁଡ଼ିକୁ ଦୌଡ଼ୁଥିବା ଦେଖି, ଲୋକମାନେ ସେମାନଙ୍କୁ ଉତ୍ସାହର ସହିତ ସ୍ୱାଗତ କରିଥିଲେ । ରୋବୋଟଗୁଡ଼ିକ ଏକ ଭିନ୍ନ ଟ୍ରାକରେ ଦୌଡ଼ିଥିଲେ । ବ୍ୟାଟେରୀ କମ୍ ହେବା ପରେ ଏହାକୁ ବଦଳା ଯାଇଥିଲା । ଠିକ୍ ଫର୍ମୁଲା ୱାନ୍ ଦୌଡ଼ ପରି । 

ଦୌଡ଼ ଶେଷରେ ସହନଶୀଳତା, ଦୌଡ଼ିବାର ସବୁଠୁ ଭଲ ଶୈଳୀ ଏବଂ ସବୁଠାରୁ ଅଭିନବ ଫର୍ମ ଭଳି ଅନେକ ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଥିଲା । ୨୦ଟି ଦଳ ମଧ୍ୟରୁ, ଟିଆଁଙ୍ଗୋଙ୍ଗ ଦଳର ଟିଆଁଙ୍ଗୋଙ୍ଗ ଅଲ୍ଟ୍ରା ରୋବୋଟ୍ ଦୌଡ଼କୁ ୨ ଘଣ୍ଟା ୪୦ ମିନିଟରେ ଶେଷ କରି ବିଜୟୀ ହୋଇଥିଲା । ମାନବ ଦୌଡ଼ରେ ଇଥିଓପିଆର ଏଲିଆସ୍ ଡେଷ୍ଟା କେବଳ ଏକ ଘଣ୍ଟା ଦୁଇ ମିନିଟରେ ଦୌଡ଼ ଜିତିଥିଲେ । ବେଜିଂ ହ୍ୟୁମାନୋଏଡ୍ ରୋବୋଟ୍ ଇନୋଭେସନ୍ ସେଣ୍ଟରର ସିଇଓ ଜିଓନ୍ ୟୁଜୁନ୍ କହିଛନ୍ତି ଯେ ଏହି ଦୌଡ଼ ରୋବୋଟ୍‌ର ମୂଳ ଆଲଗୋରିଦମର ଏକ ପରୀକ୍ଷା ଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.