ନୂଆଦିଲ୍ଲୀ: ଦୁନିଆର ଭିନ୍ନ ଭିନ୍ନ ସ୍ଥାନରେ ଚାଲିଥିବା ଯୁଦ୍ଧରେ ଜାତିସଂଘର ଭୂମିକା ଉପରେ ପ୍ରଶ୍ନ ଉଠୁଛି । ଜାତିସଂଘ ଅନେକ ମୋର୍ଚ୍ଚାରେ ବିଫଳ ହେଉଛି ଓ ବିଶେଷଜ୍ଞମାନେ ଏଥିରେ ପରିବର୍ତ୍ତନ ପାଇଁ ଦୀର୍ଘ ଦିନରୁ ଦାବି କରୁଛନ୍ତି । ଏହାରି ଭିତରେ ଆମେରିକା ସହ ସମକକ୍ଷ ହେବାର ଇଚ୍ଛା ରଖୁଥିବା ଚୀନର ଏବେ ଦୁନିଆର ନୂଆ ମୁଖିଆ ହେବାକୁ ଚାହୁଁଛି । ୟୁଏନକୁ ସିଧା ଚ୍ୟାଲେଞ୍ଜ ଦେଇ ଏକ ନୂଆ ମଞ୍ଚ ତିଆରି କରିଛି । ଦୁନିଆର ଅନେକ ବଡ଼ ଦେଶ ସହ ମିଶି ନୂଆ ବୈଶ୍ୱିକ ମଧ୍ୟସ୍ଥତା ଗୋଷ୍ଠୀ ତିଆରି କରିଛି । ଏହି ସଂଗଠନ ନାଁ-ଅନ୍ତରାଷ୍ଟ୍ରୀୟ ମଧ୍ୟସ୍ଥତା ସଂଗଠନ ବା ଇଣ୍ଟରନ୍ୟାସନାଲ୍ ଅର୍ଗାନାଇଜେସନ ଫର୍ ମିଡିଏସନ୍ ରଖାଯାଇଛି ।
ହଂକଂରେ ସ୍ଥାପିତ ଏହି ସଂଗଠନର ଚାର୍ଟରେ ସର୍ବପ୍ରଥମେ ହସ୍ତାକ୍ଷର କରିଥିବା ଦେଶ ମଧ୍ୟରେ ପାକିସ୍ତାନ ରହିଛି । ଚୀନର ପ୍ରସ୍ତାବିତ ସଂଗଠନ ପ୍ରତିଷ୍ଠାତା ଦେଶ ମଧ୍ୟରେ ପାକିସ୍ତାନ ବ୍ୟତୀ, ଆଲଜେରିଆ, ବେଲାରୁଷ, କମ୍ୱୋଡିଆ, ଜିବୁତି, ଇଣ୍ଡୋନେସିଆ, ଲାଓସ, ସର୍ବିଆ ଓ ସୁଡାନ ସାମିଲ ଅଛି । ଚୀନ ଅନୁସାରେ ଏହାର ପ୍ରସ୍ତାବିତ ସଂଗଠନରେ ୩୨ ଦେଶ ହସ୍ତାକ୍ଷର କରିଛନ୍ତି । ଅନ୍ୟ ଦେଶ ଓ ୟୁଏନ୍ ସମେତ ଅନ୍ତରାଷ୍ଟ୍ରୀୟ ସଂଗଠନର ସମର୍ଥନ ତାକୁ ଥିବା ଚୀନ ଦାବି କରିଛି ।
ଜାତିସଂଘ ସିଧାସଳଖ ଚୀନର ସଂଗଠନକୁ ମାନ୍ୟତା ଦେଇ ନାହିଁ, କିନ୍ତୁ ଏହାର ସ୍ଥାପନା ସମୟରେ ହଂକଂରେ ହୋଇଥିବା କାର୍ଯ୍ୟକ୍ରମରେ ୟୁଏନ୍ ପ୍ରତିନିଧି ଉପସ୍ଥିତ ଥିଲେ । ଚୀନ ଦାବି କରିଛି ଯେ ଏହି ସଂସ୍ଥା ସାହାଯ୍ୟରେ ସେ ଅନ୍ତର୍ଜାତୀୟ ବିବାଦ ଓ ସଂଘର୍ଷକୁ ମଧ୍ୟସ୍ଥତା ମାଧ୍ୟମରେ ସମାଧାନ କରିବ । ବେଜିଂ ଏହାକୁ ପ୍ରଥମ ଅଣ-ସରକାରୀ ଆଇନ ସଂଗଠନ କହିବା ସହ ଜାତିସଂଘ ଚାର୍ଟର ନୀତି ସୁରକ୍ଷା ଏହାର ଗୁରୁତ୍ୱପୂର୍ଣ୍ଣ ତନ୍ତ୍ର ବୋଲି କହିଛି ।