ନୂଆଦିଲ୍ଲୀ ୧୨।୦୮: ବୈଜ୍ଞାନିକଙ୍କ ଚେତାବନୀ ବଢାଇଲାଣି ଚିନ୍ତା । ସମୁଦ୍ରରେ ମିଶିଯିବ ଉପକୂଳ । ଆଉ ମାତ୍ର କିଛି ବର୍ଷର ଅପେକ୍ଷା । ନଷ୍ଟ ହୋଇଯିବ ଚିଲି ବେଳାଭୂମି । ଦକ୍ଷିଣ ଆମେରିକୀୟ ଦେଶ ଚିଲି । ପ୍ରଶାନ୍ତ ମହାସାଗର ସହିତ ଅନେକ ହଜାର କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି ।
ବୈଜ୍ଞାନିକଙ୍କ ଅନୁଯାୟୀ, ଚିଲିର କେନ୍ଦ୍ରୀୟ ଏବଂ ଦକ୍ଷିଣ ଉପକୂଳ କ୍ଷୟ ହେବାକୁ ଲାଗୁଛି । ଯଦି ଏହି କ୍ଷୟର ଗତି ଜାରି ରହେ, ତେବେ ଏକ ଦଶନ୍ଧି ମଧ୍ୟରେ ଅତି କମରେ ୧୦ଟି ବେଳାଭୂମି ହୋଇଯିବ ଅଦୃଶ୍ୟ । ସମୁଦ୍ରର ତୀବ୍ର ଲହରୀ, ଝଡ଼ ଏବଂ ଅନ୍ୟାନ୍ୟ କାରଣରୁ ଉପକୂଳରେ ଥିବା ବାଲି, ମାଟି ଏବଂ ପଥର ଧୋଇ ହୋଇଯାଏ ।
ଆରାଉକାନିଆର ଦକ୍ଷିଣ ଅଞ୍ଚଳ ପୁଏର୍ଟୋ ସାଭେଦ୍ରାରେ, ତୁଫାନ ଲହରୀ ରାସ୍ତା ଏବଂ ପଥରରେ ଗର୍ତ୍ତ ସୃଷ୍ଟି କରିଛି । ଲୁଣିଆ ପାଣି ମଧ୍ୟ ଜଙ୍ଗଲକୁ କ୍ଷତି ପହଞ୍ଚାଉଛି। ଚିଲି ଉପକୂଳରେ ବୃଦ୍ଧି ପାଉଛି ସାମୁଦ୍ରିକ ଝଡ଼ର ତୀବ୍ରତା ଏବଂ ଆବୃତ୍ତି । କିଛି ଲହରୀର ଉଚ୍ଚତା ୧୧ ମିଟର ପର୍ଯ୍ୟନ୍ତ ମଧ୍ୟ କରାଯାଇଛି ରେକର୍ଡ । ଯାହା ଦ୍ରୁତ ଗତିରେ ଉପକୂଳକୁ କ୍ଷୟ କରୁଛି।
ଏଲ୍ ନିନୋ ଏବଂ ଲା ନିନା ଭଳି ଜଳବାୟୁ ପରିବର୍ତ୍ତନ ଯୋଗୁଁ ସାମୁଦ୍ରିକ ଝଡ଼ ଅଧିକ ଶକ୍ତିଶାଳୀ ହେଉଛି । ଏହି ଝଡ଼ ସମୁଦ୍ରକୁ ବାଲି ବୋହି ନେଇଯାଉଛି । ଯାହା ଫଳରେ ବେଳାଭୂମି ସଙ୍କୁଚିତ ହେଉଛି ଏବଂ ସମୁଦ୍ର ସ୍ତର ବୃଦ୍ଧି ପାଉଛି। ବୈଜ୍ଞାନିକଙ୍କ ଅନୁଯାୟୀ ଗତ କିଛି ଦଶନ୍ଧି ଧରି ସମୁଦ୍ର ଲହରୀର ଦିଗ ପଶ୍ଚିମ-ଦକ୍ଷିଣ-ପଶ୍ଚିମରୁ ଦକ୍ଷିଣ-ପଶ୍ଚିମକୁ ପରିବର୍ତ୍ତନ ହେଉଛି ।
ଏହି ପରିବର୍ତ୍ତନ ପ୍ରଶାନ୍ତ ମହାସାଗରୀୟ ଆଣ୍ଟିସାଇକ୍ଲୋନ୍ ଦକ୍ଷିଣ ଆଡକୁ ସ୍ଥାନାନ୍ତରିତ ହେବା ଯୋଗୁଁ ଉପକୂଳରେ କ୍ଷୟ ବୃଦ୍ଧି ପାଉଛି । ସମୁଦ୍ର ଲହରୀରୁ ବଞ୍ଚିବା ପାଇଁ ସମୁଦ୍ରରେ ପ୍ରାଚୀର ନିର୍ମାଣ କରାଯାଉଛି । ଏହି ସ୍ଥାନକୁ ଲୋକଙ୍କୁ ଆସିବାରୁ ରୋକିବା ପାଇଁ 'କାମ ଚାଲୁଛି' ଏବଂ 'ଆଗରେ ବିପଦ ଅଛି' ଭଳି ଲଗାଯାଇଛି ସାଇନ୍ ବୋର୍ଡ । ଚିଲିର ଅଲଗାରୋବୋ ମଧ୍ୟ ଏହାର ବେଳାଭୂମି କ୍ଷୟର ସମ୍ମୁଖୀନ ହେଉଛି ।
ସମୁଦ୍ରକୂଳରେ ହେଉଥିବା ଅନିୟନ୍ତ୍ରିତ ନିର୍ମାଣ ଯେପରି ହୋଟେଲ, ରେଷ୍ଟୁରାଣ୍ଟ ଏବଂ ରାସ୍ତା ପ୍ରାକୃତିକ ବାଲି ଯୋଗାଣକୁ ବାଧା ଦେଉଛି । ୟୁନିଭର୍ସିଡାଡ୍ କାଟୋଲିକାର ଉପକୂଳ ଅବଜରଭେଟୋରୀ ୬୭ଟି ବେଳାଭୂମିକୁ ନେଇ ଏକ ଅଧ୍ୟୟନ କରିଥିଲା।ଯେଉଁଥିରେ ସାଟେଲାଇଟ୍ ଚିତ୍ର, ଟୋପୋଗ୍ରାଫିକ୍ ସର୍ଭେ ଏବଂ DSAS ସଫ୍ଟୱେର୍ର କରାଯାଇଥିଲା ବ୍ୟବହାର ।
ଆଉ ଏଥିରେ ଜଣାପଡିଛି ଯେ ୮୬% ଉପକୂଳ ସଙ୍କୁଚିତ ହେଉଛି। ୨୦୧୦ ମସିହାର ଭୂମିକମ୍ପ ଏବଂ ୨୦୧୫-୨୦୨୨ ମସିହାର ଝଡ଼, ସମୁଦ୍ର ଉପକୂଳକୁ ସର୍ବାଧିକ କ୍ଷତି ପହଞ୍ଚାଇଛି । ୪୫ଟି ବେଳାଭୂମି ଉପରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ୮୦% ଉପକୂଳରେ ପ୍ରତିବର୍ଷ ୦.୨ ମିଟରରୁ ଅଧିକ କ୍ଷୟ ହାର ରହିଛି। ତେଣୁ ଖୁବ୍ଶୀଘ୍ର ସତର୍କ ହେବାକୁ କହିଛନ୍ତି ବିଶେଷଜ୍ଞ ।