ଭୁବନେଶ୍ୱର ୨୬।୭: ଦୁଇ ଦିନିଆ ଗରିମା ଜାତୀୟ କର୍ମଶାଳା ଉଦ୍ଘାଟିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭୁବନେଶ୍ୱର ଲୋକସେବା ଭବନର କନ୍ଭେନ୍ସନ ସେଣ୍ଟରରେ ଆୟୋଜିତ କର୍ମଶାଳାରେ ମୁଖ୍ୟମନ୍ତ୍ରୀ କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ପରିମଳ କାର୍ଯ୍ୟରେ ନିୟୋଜିତ ଥିବା ପ୍ରମୁଖ ପରିମଳ କର୍ମଚାରୀ ଯଥା ସ୍ୱରେଜ ଓ ସେଫ୍ଟିକ୍ ଟାଙ୍କି ସଫେଇ କର୍ମଚାରୀଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଜୀବନ ବୀମା ଘୋଷଣା କରାଯାଇଛି । ଏହାସହ କର୍ମ କ୍ଷେତ୍ରରେ ଜୀବନହାନୀ ପାଇଁ ୩୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ, ପ୍ରମୁଖ ପରିମଳ କର୍ମୀଙ୍କୁ ମୋବାଇଲ ଫୋନ ପ୍ରଦାନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ପ୍ରଦାନ କରାଯିବ । ପରିମଳ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ପାଇଁ ଅଗଷ୍ଟ ୧୫ରୁ ୩୦ ତାରିଖ ପର୍ଯ୍ୟନ୍ତ ୧୫ ଦିନିଆ ରାଜ୍ୟବ୍ୟାପୀ IEC ଆକ୍ଟିଭିଟି କରାଯିବ । ଏହା ସହିତ ପ୍ରତିବର୍ଷ ଓଡିଶାରେ ଏ ସମ୍ପର୍କିତ ଜାତୀୟ କର୍ମଶାଳା ଆୟୋଜନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ଜଗନ୍ନାଥ ସଂସ୍କୃତିରେ ସ୍ୱଚ୍ଛତା ବିଷୟରେ ମଧ୍ୟ ଦର୍ଶାଯାଇଛି । ରଥଯାତ୍ରା ସମୟରେ ଛେରାପହଁରା ଏହାର ଏକ ପ୍ରମୁଖ ଉଦାହରଣ। ଏଥିରେ ସଫେଇ କାର୍ଯ୍ୟର ମର୍ଯ୍ୟାଦା ଉପରେ ଗୁରୁତ୍ୱ ଆରୋପ କରାଯାଇଛି। ସେ କହିଥିଲେ ଓଡିଶାର ଗରିମା ଯୋଜନା ପରିମଳ କର୍ମଚାରୀଙ୍କ ସୁରକ୍ଷା, ମର୍ଯ୍ୟଦା ଓ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରୁଛି। ଗରିମା ଯୋଜନା ଜାତୀୟ ପରିମଳ ଲକ୍ଷ୍ୟକୁ ପୂରଣ କରିବା ସହିତ ଅନେକ ରାଜ୍ୟ ପାଇଁ ପ୍ରେରଣାଦାୟୀ ହୋଇଛି।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଏହି ଯୋଜନାରେ ପରିମଳ କର୍ମୀଙ୍କୁ ଚିହ୍ନଟକରଣ ଓ ପରିଚୟ ପ୍ରଦାନ, ସୁରକ୍ଷା ଉପକରଣ ପ୍ରଦାନ, ଦକ୍ଷତା ବିକାଶ, ଆପତକାଳୀନ ପରିମଳ ସେବା ୟୁନିଟ ସ୍ଥାପନ, ସାମାଜିକ ସୁରକ୍ଷା ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯାଉଛି। ରାଜ୍ୟର ୧୧୫ଟି ସହରର ୧୦ ହଜାର ରୁ ଅଧିକ ପରିମଳ କର୍ମଚାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ କୁଶଳୀ ଓ ଅତିକୁଶଳୀ କର୍ମଚାରୀ ଭାବେ ସ୍ୱୀକୃତି ପ୍ରଦାନ କରାଯାଇଛି।
ଏହି ଅବସରରେ କର୍ମଶାଳା ପରିସରରେ ଆୟୋଜିତ ପରିମଳ କାର୍ଯ୍ୟ ସମ୍ପର୍କିତ ଆଧୁନିକ ଉପକରଣ ଏବଂ ସୁରକ୍ଷା ଉପକରଣର ପ୍ରଦର୍ଶନୀ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରି ବୁଲି ଦେଖିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପ୍ରମୁଖ ପରିମଳ କର୍ମୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟର ସଚିବ ଅମିତ ଯାଦବ, ଅର୍ବାନ ମ୍ୟାନଜମେଣ୍ଟ ସେଣ୍ଟର ପ୍ରତିଷ୍ଠାତା ନିର୍ଦ୍ଦେଶକ ମନ୍ୱିତା ବରାଡି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀ ଏବଂ ଅତିରିକ୍ତ ସଚିବ ଦୁର୍ଗେଶ ନନ୍ଦିନୀ ସାହୁ ଉପସ୍ଥିତ ଥିଲେ ।