ତିନି ପ୍ରମୁଖ ଘରୋଇ ବ୍ୟାଙ୍କ ପ୍ରତିନିଧିଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା, ଜନକଲ୍ୟାଣ ଯୋଜନାରେ ଅଧିକ ୠଣ ଦେବାକୁ ପରାମର୍ଶ

Published By : Prameya-News7 Bureau | July 01, 2025 IST

ଭୁବନେଶ୍ୱର: ଲୋକସେବା ଭବନରେ ମଙ୍ଗଳବାର ଆସିଆଇସିଆଇ, ଆକ୍ସିସ୍ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ପ୍ରତିନିଧିଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ବିଭିନ୍ନ ଜନକଲ୍ୟାଣ ଯୋଜନାରେ ଗରିବ ଲୋକମାନଙ୍କୁ ଅଧିକ ୠଣ ଦେବାପାଇଁ ସେ ପରାମର୍ଶ ଦେଇଛନ୍ତି । 

ସୂଚନାଯୋଗ୍ୟ ଯେ, ଓଡିଶାରେ ବିଭିନ୍ନ ଜନକଲ୍ୟାଣ ଯୋଜନା ଯଥା କୃଷି ୠଣ, ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି ଯୋଜନା (PMEGP), ପିଏମ୍ ସ୍ୱନିଧି ଯୋଜନା, ଷ୍ଟାଣ୍ଡଅପ୍ ଇଣ୍ଡିଆ ଯୋଜନା, ଗୃହୠଣ, ଶିକ୍ଷାୠଣ ଓ ରପ୍ତାନୀ ୠଣ ଆଦି ବିଭିନ୍ନ ଯୋଜନାରେ ଏହି ବ୍ୟଙ୍କ ଗୁଡିକର ପ୍ରଦର୍ଶନ ଅତ୍ୟନ୍ତ କମ ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜୁନ୍ ୨୧ ତାରିଖରେ ଏହି ବ୍ୟାଙ୍କ ଗୁଡିକୁ ନିଜର Empanelled Listରୁ ହଟାଇ ଦେଇଛନ୍ତି।

ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଅନେକ ଗରୀବ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଲୋକମାନଙ୍କୁ ୠଣ ଜରିଆରେ ଆର୍ଥିକ କାର୍ଯ୍ୟକ୍ରମରେ ସାମିଲ କରିବା ସହିତ ସେମାନଙ୍କ ରୋଜଗାର ବୃଦ୍ଧି କରିବା ହେଉଛି ସରକାରଙ୍କ ଲକ୍ଷ୍ୟ। କିନ୍ତୁ, ଏହି ସବୁ ଯୋଜନା ଗୁଡିକରେ ଏହି ତିନୋଟି ବ୍ୟାଙ୍କର ପ୍ରଦର୍ଶନ ଓଡିଶାରେ ଆଦୌ ସନ୍ତୋଷ ଜନକ ନୁହେଁ । ସରକାରଙ୍କ ଗରିବ କଲ୍ୟାଣ ଯୋଜନାରେ ବ୍ୟାଙ୍କ ଗୁଡିକ ହେଉଛନ୍ତି ଏକ ବଡ ମାଧ୍ୟମ । ତେଣୁ, ଏହି ସବୁ ବ୍ୟାଙ୍କ ଗୁଡିକ ବିଭିନ୍ନ ଯୋଜନାରେ ଯେଉଁଥିରେ ଗରିବ ଲୋକମାନେ ଉପକୃତ ହେଉଛନ୍ତି, ସେଥିରେ ଅଧିକ ଲୋକଙ୍କୁ ୠଣ ଦେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ବ୍ୟାଙ୍କମାନଙ୍କ ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକୁ ଗ୍ରହଣ କରି ଏହି ସବୁ ଯୋଜନାରେ ଲୋକଙ୍କୁ ୠଣଦେବା ପାଇଁ ଆଗ୍ରହୀ ଅଛନ୍ତି ଏବଂ ଖୁବ୍ ଶୀଘ୍ର ଏହି ପ୍ରଦର୍ଶନରେ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଭରସା ଦେଇଥିଲେ।

 

                

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.