ରଥ ଖଳା ଅପଡେଟ୍‌ : ପ୍ରଥମ ଭୂଇଁର ଫ୍ରେମ୍‌ର ପଡିଲା ମୂଳଦୁଆ, ଉଠିବ ଛଅ କାଠ

Published By : Prameya-News7 Bureau | June 10, 2025 IST

ପୁରୀ ୧୦।୦୬: ବେଶ୍‌ ତତ୍ପରତାର ସହ ଚାଲିଛି ଠାକୁରଙ୍କ ରଥ ନିର୍ମାଣ । ସୋମବାର ତିନି ରଥରେ ଯୋକା ଲାଗିବା କାର୍ଯ୍ୟ ଶେଷ ହେବା ସହ ଖଳାରେ ରଥର ପ୍ରଥମ ଭୂଇଁର ଫ୍ରେମ୍‌ ପ୍ରସ୍ତୁତ ହୋଇଛି। ପରେ ଏହାକୁ ନମ୍ବରିଂ କରି ଖୋଲାଯିବ। ମଙ୍ଗଳବାର ରଥରେ ଛଅ କାଠ ଉଠାଇ  ନମ୍ବରିଂ ଅନୁସାରେ ରଥରେ ସ୍ଥାପନ ହେବ ପ୍ରଥମ ଭୂଇଁ ।

 ଏପଟେ ରଥରେ ଛଅ କାଠ  ଉଠାଇବାକୁ ବିଶ୍ୱକର୍ମା ଓ ଭୋଇ ସେବକମାନେ  ସମସ୍ତ ପ୍ରସ୍ତୁତି ସାରିଛନ୍ତି । ଏଥିସହ ରଥ  ଗୁଣ୍ଡିଆ ସମ୍ପନ୍ନ ହୋଇଛି । ଅର୍ଥାତ୍‌ ରଥର ବଳକା ଅଂଶ କାଟି ଭୂଇଁ ଉଠିବା ପାଇଁ ରଥକୁ ପ୍ରସ୍ତୁତ କରାଯାଇଛି । ରଥଖଳାରେ ପ୍ରଥମ ଭୂଇଁ ମୂଳଦୁଆ ପଡ଼ିଛି । ପ୍ରଥମେ ଚଉତା କାଠ ପଡ଼ିଥିଲା । ଖାପ ହୋଇ ୨ଗୋଟି କାଠ  ଉପରେ ଆଉ ୨ଟି କାଠ ରହିଲା । ତା’ପରେ ରହିଥିଲା ୨ଟି   ଓରା କାଠ। ଓରା କାଠ ଉପରେ ୪ଟି ଖମ୍ୱି ଖଞ୍ଜାହେଲା ।  ଖମ୍ୱିରେ ଥିବା ସାଲକୁ ଓରାର ବିନ୍ଧରେ ଭୁଞ୍ଜାଗଲା । ପରେ ନମ୍ବରିଂ ହୋଇ ଫ୍ରେମ୍‌ ଖୋଲାଯିବ। ଭୂଇଁରେ ଥିବା କାଠରେ ବିନ୍ଧ ହୋଇ ପାଖୁଡ଼ା ଲାଗିବ । ଗୋଟିଏ ଭୂଇଁରେ ୧୬ଟି ପାଖୁଡ଼ା ଲାଗିବ । ପାଖୁଡ଼ାଗୁଡ଼ିକ ଦେହରେ ପଡ଼ିବ ମାଛପାତିଆ । ରଥରେ ଛ’ଅ କାଠ ଉଠି ଚଉଦ ନାହାକା ବୁଲିଲେ ଭୂଇଁ ସ୍ଥାପନ ହେବ । ଏହିଭଳି ପ୍ରତି ରଥରେ ତିନୋଟି ଭୂଇଁ ଉଠିବ । 

ସେହିପରି ଛଅ କାଠ ଉଠାଇବାକୁ ଭୋଇ ସେବକମାନେ ଚଣାକ ପ୍ରସ୍ତୁତ କରିଛନ୍ତି । ମୁଖ୍ୟ ବିଶ୍ୱକର୍ମାଙ୍କ ନିର୍ଦ୍ଦେଶରେ ଚାଲିଛି ରଥ ନିର୍ମାଣ। ଖଳାରେ ରଥର ଗାରେଡ଼ି ଓ ଅଂଳା କାମ ଶେଷ ହୋଇଛି । ଏସବୁ ପ୍ରଭାର ଦୁଇ ଅଂଶ । ପ୍ରତି ରଥରେ ୮ଟି ଲେଖାଏଁ ଗାରେଡ଼ି ଲାଗିଥାଏ । ନାଟଗୋଡ଼ରେ ଗାରେଡ଼ି ସଂଯୁକ୍ତ ହୁଏ । କଳସ ତିଆରି ପାଇଁ ସିମିଳି କାଠ ଗଣ୍ଡି ବିଶ୍ୱକର୍ମାଙ୍କୁ ଯୋଗାଯାଇଛି । ରଥଖଳାରେ ରୂପକାରମାନେ ନାଟଗୋଡ଼ ଖୋଦେଇ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.