ରବିବାର ଚାମ୍ପିଅନ୍ସ ଟ୍ରଫି ଫାଇନାଲ ଫାଇଟ୍; ଟିମ୍ ଇଣ୍ଡିଆ ସାମ୍ନାରେ ତିନି ବଡ଼ ଟେନସନ୍

Published By : Prameya-News7 Bureau | March 08, 2025 IST

ଦୁବାଇ: ସୁପର ସନଡେ’ ହେବ ସୁପର ଫାଇଟ୍ । ଚାମ୍ପିଅନ୍ ହେବାକୁ ଚାମ୍ପିଅନ୍ସଙ୍କ ଟକ୍କର । ଫାଇନାଲ୍ ଫାଇଟ୍‌ରେ ଦୁଲୁକିବ ଦୁବାଇ । ଟିମ୍ ଇଣ୍ଡିଆ ପାଇଁ ତିନି ଟେନସନ । କେନ୍, ସାଣ୍ଟନର ଓ ରଚିନ ଚିନ୍ତା । ରବିବାର ଖେଳାଯିବ ଆଇସିସି ଚାମ୍ପିଅନ୍ସ ଟ୍ରଫି ନବମ ସଂସ୍କରଣର ଫାଇନାଲ ଫାଇଟ୍ । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ । ୨୫ ବର୍ଷ ପରେ ଟାଇଟଲ ପାଇଁ ଦୁଇ ଦଳ ଖେଳିବେ ନିର୍ଣ୍ଣାୟକ ମୁକାବିଲା । ଫାଇନାଲ୍ ଜିତି ତୃତୀୟ ଥର ପାଇଁ ଟିମ୍ ଇଣ୍ଡିଆ ଚାମ୍ପିଅନ୍ ହେବା ଲକ୍ଷ୍ୟରେ ରହିଥିବା ବେଳେ ବ୍ଲାକ୍ ଆର୍ମି କ୍ବିଓ୍ବି ମଧ୍ୟ ଟ୍ରଫି ହାତେଇବାକୁ ସଂର୍ଘଷ କରିବ । 

ଫାଇନାଲ୍ ଫାଇଟରେ ଟିମ୍ ଇଣ୍ଡିଆର ବଳ ବିରାଟ, ବରୁଣ ଓ ଗିଲ୍ । ମାତ୍ର ବିପକ୍ଷରୁ ଟେନସନ ଦେବେ କେନ୍, ସାଣ୍ଟନର ଓ ରଚିନ । ମ୍ୟାଚ୍ ପୂର୍ବରୁ ତୃଟି ସୁଧାରିବା ଉପରେ ଗୁରୁତ୍ବ ଦେଇଛନ୍ତି ଉଭୟ ଦଳ । ଲିଗ୍ ଓ ନକଆଉଟ୍ ପର୍ଯ୍ୟାୟରେ ସମସ୍ତ ଟିମକୁ ମାତ୍ ଦେଇ ଅପରାଜେୟ ରୋହିତ୍ ସେନା ରହିଛି । ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ଭାରତୀୟ ଦଳର ଜବରଦସ୍ତ କ୍ରେଜ୍ ରହିଛି । ରୋହିତ୍ ଓ ଗିଲ୍‌ ଦ୍ରୁତ ଷ୍ଟାର୍ଟ ଦେଉଥିବା ବେଳେ ମିଡିଲ୍ ଓଭରରେ ଟିମ୍ ପାଇଁ ବ୍ୟାକ୍ ବୋନ୍ ସାଜିଛନ୍ତି କୋହଲି, ଆୟର, ଅକ୍ଷର ଓ ରାହୁଲ । ହାର୍ଡ ହିଟିଂ ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କ ଫିନିସିଂ ଟଚ୍ ଟ୍ରଫି ଜିତିବାରେ ସହାୟକ ହେବ । ସେପଟେ ମହମ୍ମଦ ଶାମିଙ୍କ ସିମ୍ ବୋଲିଂ ସାଙ୍ଗକୁ ଭାରତୀୟ ଦଳର ସ୍ପିନ୍ ଆଟାକ୍ କ୍ବିଓ୍ବି ବ୍ୟାଟରଙ୍କୁ ଚେକ୍ ଦେବ ।

ଟାଇଟଲ୍ ଟକ୍କରରେ ଟିମ୍ ଇଣ୍ଡିଆକୁ ଟେନସନ୍ ଦେବେ କେନ୍, ସାଣ୍ଟନର ଓ ରଚିନ । ପାକିସ୍ତାନରୁ ଦୁବାଇ ଓ ଦୁବାଇରୁ ପାକିସ୍ତାନ ଯାତ୍ରା ସତ୍ତ୍ବେ ଚାମ୍ପିଅନ୍ ହେବାକୁ ସବୁ କ୍ଲାନ୍ତକୁ ପଛରେ ପକାଇ ଦେଇଛି ନ୍ୟୁଜିଲାଣ୍ଡ୍ । କେନ୍ ୱିଲିୟମସନ ଓ ରଚୀନ ରବିନ୍ଦ୍ରଙ୍କ ଦମଦାର ବ୍ୟାଟିଂ ରୋହିତ୍ ସେନାର ଚିନ୍ତା ବଢ଼ାଇ ଦେଇଛି । ସେହିପରି ଅଧିନାୟକ ମିଚେଲ୍ ସାଣ୍ଟନରଙ୍କ ଯାଦୁଗରୀ ସ୍ପିନ୍ ଚାମ୍ପିଅନ୍ସ ଟ୍ରଫି ଜିତିବାକୁ ଯଥେଷ୍ଟ ବୋଲି କ୍ରିକେଟ୍ ବିଶେଷଜ୍ଞ ମତ ପୋଷଣ କରିଛନ୍ତି । ଚଳିତ ଆଇସିସି ଟର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆ ଲିଗ୍ ପର୍ଯ୍ୟାୟରେ କ୍ବିଓ୍ବି ଦଳକୁ ପରାସ୍ତ କରିଥିଲେ ମଧ୍ୟ ଫାଇନାଲ୍ ମୁକାବିଲା ହରାଇବା ଏତେ ସହଜ ହେବ ନାହିଁ । 


୨୫ ବର୍ଷ ପରାଜୟର ବଦ୍‌ଲା ନେବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ୨୦୦୦ ମସିହା ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ରେ ଭାରତକୁ ଚେକ୍ ଦେଇଥିଲା ନ୍ୟୁଜିଲାଣ୍ଡ । ସେତେବେଳେ ଏହି ଟୁର୍ଣ୍ଣାମେଣ୍ଟର ନାଁ ଥିଲା ଆଇସିସି ନକ୍‌ ଆଉଟ୍‌ । ଏହାପରେ ଭାରତ ୨୦୦୨ ଓ ୨୦୧୩ରେ ୨ଥର ଚାମ୍ପିଅନ୍‌ ହୋଇଛି । ମାତ୍ର   କ୍ବିଓ୍ବି ବିପକ୍ଷ ପରାଜୟକୁ ଭୁଲି ନାହିଁ । ୨୫ ବର୍ଷ ପରେ ପ୍ରତିଶୋଧ ନେବାର ସମୟ ଆସିଛି । ଅନ୍ତର୍ଜାତିକ ଦିନିକିଆରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୋଟ୍ ୧୧୯ଟି ମ୍ୟାଚ୍ ଖେଳାଯାଇଛି । ଏଥିରେ ଟିମ୍ ଇଣ୍ଡିଆ ୬୧ଟି ମ୍ୟାଚ ଜିତିଥିବା ବେଳେ ନ୍ୟୁଜିଲାଣ୍ଡକୁ ୫୦ ମ୍ୟାଚରେ ବିଜୟ ମିଳିଛି । ତେଣୁ ସନଡେ’ ଫାଇଟରେ ଦୁଇ ଶକ୍ତିଶାଳୀ ଟିମ୍ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.