ହନୁମାନଙ୍କ ମୂର୍ତ୍ତିର ପରିକ୍ରମା କଲା କୁକୁର, ଜଣାଇଲା ଗୁହାରୀ : ମୁଣ୍ଡିଆ ମାରିଲେ ଭକ୍ତ, ଦେଖନ୍ତୁ ଭିଡିଓ

NEWS7
chahals-latest-post-also-revealed-the-news-of-divorce

ଲକ୍ଷ୍ନୌ,୨୦|୦୧ :ସେ ପବନ ପୁତ୍ର ହନୁମାନ । ସମସ୍ତ ଜୀବଜଗତର ସେ ସଙ୍କଟମୋଚକ । ପୁରାଣ ଶାସ୍ତ୍ରରେ ଅନେକ ବଡ ବଡ ସଙ୍କଟରୁ ସେ ଅନ୍ୟକୁ ଉଦ୍ଧାର କରିଛନ୍ତି । ରାମାୟଣରେ ଲକ୍ଷ୍ଣଣଙ୍କ ଶକ୍ତିଭେଦ ହେଉ ବା ରାମ-ଲକ୍ଷ୍ଣଣଙ୍କୁ ରାବଣର ତୀରରୁ ରକ୍ଷା କରିବା କଥା । ସବୁଠି ନିଜର ପରାକ୍ରମ ଦେଖାଇଛନ୍ତି ହନୁମାନ । ଏବେବି ଭକ୍ତଙ୍କୁ ସେ ସମସ୍ତ ବିପଦରୁ ରକ୍ଷା କରନ୍ତି । ତେବେ କେବଳ ମଣିଷ ନୁହେଁ ବୁଲା କୁକୁର ବି ଭଗବାନଙ୍କ ଶରଣରେ ନିଜ ଗୁହାରୀ କରିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଏଥିରେ ଦେଖିବାକୁ ମିଳୁଛି ଯେ, ଏକ କୁକୁର ହନୁମାନଙ୍କ ମନ୍ଦିରକୁ ଯାଉଛି । ଏହାପରେ ସେ ହନୁମାନ ମୂର୍ତ୍ତି ଚାରିପାଖରେ ପରିକ୍ରମା କରୁଛି । ମଣିଷ ପରି ସେ ମୂର୍ତ୍ତି ଚାରିପାଖରେ ସମାନ ଗତିରେ ତଳକୁ ମୁଣ୍ଡ କରି ପରିକ୍ରମା କରୁଛି । ଉତ୍ତର ପ୍ରଦେଶର ନାଗିନା ଅଞ୍ଚଳର ନନ୍ଦପୁର ଗାଁରେ ଥିବା ଏକ ହନୁମାନ ମନ୍ଦିରରେ ଏହି ବିରଳ ଦୃଶ୍ୟ ସାମ୍ନାକୁ ଆସିଛି ।

ଗତ ଗୁରୁବାର ଭିଡିଓଟି ସୋସିଆଲ ମିଡିଆରେ ଅପଲୋଡ୍ ହୋଇଥିଲା । ଯାହା ଏବେ ଭାଇରାଲ ହେଉଛି । ତେବେ ଘଟଣା ସାମ୍ନାକୁ ଆସିବା ପରେ ଶହ ଶହ ଭକ୍ତ ମନ୍ଦିରକୁ ଯାଇଥିଲେ । ସେମାନେ କୁକୁରକୁ ପୂଜାର୍ଚ୍ଚନା କରିଥିଲେ । ଏପରିକି କୁକୁରର ପାଦକୁ ଧରି ମୁଣ୍ଡିଆ ମାରିଥିଲେ । ଏହାସହ ପ୍ରାର୍ଥନା ମଧ୍ୟ କରିଥିଲେ ।

ଭିଡିଓରେ ଆହୁରି ମଧ୍ୟ ଦେଖିବାକୁ ମିଳିଛି ଯେ, କୁକୁରଟି ଏକ ଆସନ ଉପରେ ଶୋଇଛି । ତାର ଦର୍ଶନ କରିବାକୁ ହଜାର ହଜାର ଲୋକେ ଧାଡିରେ ଠିଆ ହୋଇଛନ୍ତି । ଏହା ସାଧାରଣ କୁକୁର ନୁହେଁ । ଭଗବାନଙ୍କ ସହ ଏହାର କିଛି ସମ୍ପର୍କ ଥିବା ଭକ୍ତମାନେ କହୁଛନ୍ତି ।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ପ୍ରଥମେ ସୋମବାର କୁକୁରଟି ମନ୍ଦିର ପାଖରେ ଦେଖିବାକୁ ମିଳିଥିଲା । ତାକୁ କିଛି ଖାଇବାକୁ ଦେଇଥିଲେ ମଧ୍ୟ ସେ ଖାଇ ନଥିଲା । ଏପରିକି ପାଣିକୁ ମଧ୍ୟ ଛୁଇଁ ନଥିଲା । କେବଳ ହନୁମାନଙ୍କ ମୂର୍ତ୍ତି ନୁହେଁ ସେ ଅନ୍ୟ ଦିନ ପାଖରେ ଥିବା ମାଆ ଦୁର୍ଗାଙ୍କ ମନ୍ଦିରରେ ମଧ୍ୟ ମୂର୍ତ୍ତିର ଚାରିପାଖରେ ପରିକ୍ରମା କରିଥିଲା ।

ପ୍ରାଣୀ ଚିକିତ୍ସକଙ୍କ କହିବା କଥା ହେଲା, କୁକୁରର କୌଣସି ସମସ୍ୟା ନାହିଁ । ସେ ସୁସ୍ଥ ଅଛି । ତାକୁ କୌଣସି ଆଘାତ ଲାଗିନାହିଁ । ତେବେ ବେଳେବେଳେ କିଛି କୁକୁରଙ୍କ ସ୍ନାୟୁଗତ ସମସ୍ୟା ଥାଏ । ଏହି ସମସ୍ୟା ଥିଲେ ସେମାନେ ଗୋଲ୍ ଗୋଲ ହୋଇ ବୁଲିଥାନ୍ତି । ତେବେ ଏହା ଆଧ୍ୟାତ୍ମିକ ଘଟଣା ନା କୁକୁରର କୌଣସି ବ୍ୟବହାର ତାହାକୁ ନେଇ ଚର୍ଚ୍ଚା ଲାଗି ରହିଛି ।