ସାରା ଦେଶରେ ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା, ୨୦୨୬ ଅକ୍ଟୋବର ୧ରୁ ପ୍ରଥମ ପର୍ଯ୍ୟାୟ ଆରମ୍ଭ

Published By : Prameya-News7 Bureau | June 04, 2025 IST

ନୂଆଦିଲ୍ଲୀ: ଦେଶରେ ଜଣଗଣନା ପାଇଁ ବୁଧବାର କେନ୍ଦ୍ର ସରକାର ତାରିଖ ଘୋଷଣା କରିଛନ୍ତି । ଦୁଇଟି ପର୍ଯ୍ୟାୟରେ ଭାରତରେ ଜନଗଣନା କରାଯିବ । ପ୍ରଥମ ପର୍ଯ୍ୟାୟ ୨୦୨୬ ଅକ୍ଟୋବରରୁ ଆରମ୍ଭ ହେବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ୨୦୨୭ ମାର୍ଚ୍ଚ ୧ରୁ ଆରମ୍ଭ ହେବ । ବରଫପାତ ହେଉଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ପ୍ରଥମ ପର୍ଯ୍ୟାୟରେ ଜନଗଣନା କରାଯିବ । ଏହି ସବୁ ରାଜ୍ୟଗୁଡ଼ିକ ମଧ୍ୟରେ ଲଦାଖ, ଜମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ସାମିଲ ଅଛି । ଅନ୍ୟ ସବୁ ରାଜ୍ୟଗୁଡ଼ିକରେ ୨୦୨୭ ମାର୍ଚ୍ଚ ୧ରୁ ଜନଗଣନା ଆରମ୍ଭ ହେବ । ଏଥର ଜନଗଣନା ସହ ଜାତିଗତ ଗନଗଣନା ମଧ୍ୟ କରାଯିବ । ପ୍ରତ୍ୟେକ ଘରେ ପହଞ୍ଚି ଜନଗଣନାରେ ନିୟୋଜିତ କର୍ମଚାରୀ ଲୋକଙ୍କୁ ସେମାନଙ୍କ ଜାତି ପଚାରିବେ । 

ରିପୋର୍ଟ ଅନୁସାରେ ଏଥର ଜନ ଗଣନାରେ ଅଧିକ ପ୍ରଶ୍ନ ରହିପାରେ । ଯେଉଁଥିରେ ଜାତି ଓ ଉପ-ଜାତି ବାବଦରେ ପ୍ରଶ୍ନ କରାଯିବ । ଜାତି ଗଣନା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରସ୍ତୁତି କରିସାରିଛନ୍ତି । କୁହାଯାଉଛି ଯେ ଜାତି ଜନଗଣନାରେ ଡିଜିଟାଲକୁ ଉପଯୋଗ କରାଯିବ । ଡିଜିଟାଲ୍ ବ୍ୟବହାର ଦ୍ୱାରା ସମୟ ବଞ୍ଚିବା ସହ ଅଧିକ ସଠିକତା ରହିବ । ପ୍ରାୟ ତିନି ବର୍ଷ ଭିତରେ ଜଣଗଣନା ପ୍ରକ୍ରିୟାରୁ ସାରିବା ପାଇଁ ସରକାର ଯୋଜନା ରଖିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଏହି ପ୍ରକ୍ରିୟା ଶେଷ ପାଇଁ ସାଧାରଣତଃ ୫ ବର୍ଷ ସମୟ ଲାଗିଥାଏ । ୨୦୨୬ରେ ଜନଗଣନା ପରେ, ଭବିଷ୍ୟତରେ ଜନଗଣନାର ଚକ୍ର ପରିବର୍ତ୍ତନ ହେବ । ୨୦୨୭-୨୦୩୭ ଏବଂ ତା'ପରେ ୨୦୩୭ରୁ ୨୦୪୭ରେ ପର୍ଯ୍ୟନ୍ତ ପରିବର୍ତ୍ତନ ହେବ ।

ସ୍ୱାଧୀନ ଭାରତରେ ପ୍ରଥମ ଥର ପାଇଁ ଜାତି ଜନଗଣନା କରାଯିବ । ଜନଗଣନା ସହିତ ଜାତି ଜନଗଣନା ମଧ୍ୟ କରାଯିବ । ଗତ ମାସରେ ମୋଦୀ ସରକାର ଜାତି ଜନଗଣନାକୁ ଅନୁମୋଦନ କରିଥିଲେ । ୧୯୩୧ ପରେ ଭାରତରେ କୌଣସି ଜାତି ଜନଗଣନା କରାଯାଇନାହିଁ । ଦେଶରେ ପ୍ରତି ୧୦ ବର୍ଷରେ ଜନଗଣନା କରାଯିବାର ନିୟମ ରହିଛି । ନିୟମ ଅନୁଯାୟୀ, ୨୦୨୧ରେ ଜନଗଣନା ହେବାର ଥିଲା, କିନ୍ତୁ କୋଭିଡ୍ ଯୋଗୁଁ ଏହା ହୋଇପାରିଲା ନାହିଁ । ଜାତୀୟ ଜନସଂଖ୍ୟା ପଞ୍ଜିକା (NPR)କୁ ଅପଡେଟ୍ କରିବା କାମ ମଧ୍ୟ ବାକି ରହିଛି ।

ତଥ୍ୟ ଅନୁଯାୟୀ, ୨୦୧୧ ମସିହାରେ ଭାରତର ମୋଟ ଜନସଂଖ୍ୟା ୧୨୧ କୋଟି ଥିଲା । ସେତେବେଳେ ଲିଙ୍ଗ ଅନୁପାତ ପ୍ରତି ୧୦୦୦ ପୁରୁଷଙ୍କ ପାଇଁ ୯୪୦ ମହିଳା ଥିଲେ ଏବଂ ସାକ୍ଷରତା ହାର ୭୪.୦୪ ପ୍ରତିଶତ ଥିଲା।

୧୮୮୧ ମସିହାରେ ଦେଶରେ ଜନଗଣନା ଆରମ୍ଭ ହୋଇଥିଲା । ପ୍ରଥମ ଜନଗଣନାରେ ଜାତି ଜନଗଣନା ତଥ୍ୟ ପ୍ରକାଶିତ ହୋଇଥିଲା । ୧୯୩୧ ପର୍ଯ୍ୟନ୍ତ ପ୍ରତ୍ୟେକ ଜନଗଣନାରେ ଜାତିଭିତ୍ତିକ ତଥ୍ୟ ମଧ୍ୟ ପ୍ରକାଶିତ ହେଉଥିଲା । ୧୯୪୧ ଜନଗଣନାରେ ଜାତିଭିତ୍ତିକ ତଥ୍ୟ ସଂଗ୍ରହ କରାଯାଇଥିଲା, କିନ୍ତୁ ତାହା ପ୍ରକାଶିତ ହୋଇନଥିଲା । ସ୍ୱାଧୀନତା ପରଠାରୁ ପ୍ରତ୍ୟେକ ଜନଗଣନାରେ, ସରକାର କେବଳ ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ଜାତିଭିତ୍ତିକ ତଥ୍ୟ ପ୍ରକାଶ କରିଛନ୍ତି । ୧୯୩୧ ପରେ ଅନ୍ୟ ଜାତିର ଜାତିଭିତ୍ତିକ ତଥ୍ୟ ପ୍ରକାଶିତ ହୋଇନାହିଁ ।

ଜନଗଣନା କାହିଁକି ଗୁରୁତ୍ୱପୂର୍ଣ୍ଣ?

ସରକାରଙ୍କ ପାଇଁ ନୀତି ପ୍ରଣୟନ ଏବଂ କାର୍ଯ୍ୟକାରୀ କରିବା ସହିତ ଦେଶର ସମ୍ବଳର ସମାନ ବଣ୍ଟନ ସୁନିଶ୍ଚିତ କରିବା ପାଇଁ ଜନଗଣନା ତଥ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା କେବଳ ଜନସଂଖ୍ୟା ନୁହେଁ ବରଂ ଜନସଂଖ୍ୟା, ଅର୍ଥନୈତିକ ସ୍ଥିତି ପରି ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗକୁ ମଧ୍ୟ ପ୍ରକାଶ କରେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.