ଟ୍ରମ୍ପ-ମସ୍କ ବିବାଦ ତୀବ୍ର: ସରକାରୀ ଚୁକ୍ତିନାମାକୁ ନେଇ ରାଷ୍ଟ୍ରପତିଙ୍କ ଧମକ, ଟେସଲା ସିଇଓଙ୍କ ମହାଭିଯୋଗ

Published By : Prameya-News7 Bureau | June 06, 2025 IST

ନୂଆଦିଲ୍ଲୀ ୦୬/୦୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ଟେସ୍‌ଲା ମାଲିକ ଏଲନ୍‌ ମସ୍କଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ଏପରିକି ଦୁହେଁ ଖୋଲାଖୋଲି ସାର୍ବଜନିକ ଭାବେ ପରସ୍ପର ବିରୋଧରେ ବୟାନବାଜି କରିବା ଆରମ୍ଭ କରିଦେଇଛନ୍ତି । ନିକଟରେ ମସ୍କ ଟ୍ରମ୍ପ୍‌ଙ୍କ ଟିକସ ଏବଂ ଖର୍ଚ୍ଚ ସମ୍ବନ୍ଧିତ ବିଲ୍‌କୁ ସମାଲୋଚନା କରିବାକୁ ନେଇ ଟ୍ରମ୍ପ୍‌ ସାମ୍ବାଦିକଙ୍କୁ କହିଛନ୍ତି, ‘ମସ୍କଙ୍କୁ ପୂର୍ବରୁ ଟିକସ ଏବଂ ଖର୍ଚ୍ଚ ବିଲ୍‌ ବାବଦରେ ସବୁକିଛି ଜଣାଥିଲା । 

କିନ୍ତୁ ସେତେବେଳେ ତାଙ୍କୁ କିଛି ଅସୁବିଧା ହୋଇ ନ ଥିଲା । ହେଲେ ଇଲେକ୍ଟ୍ରିକ୍‌ ଯାନ (ଇଭି) କ୍ରୟ ମାଣ୍ଡେଟ୍‌ ହ୍ରାସ କରିବାକୁ ପଡ଼ିବ ବୋଲି ଜାଣିବା ପରେ ଅଚାନକ ମସ୍କଙ୍କୁ ଏହି ବିଲ୍‌କୁ ନେଇ ଅସୁବିଧା ହୋଇଥିଲା । ସବୁକିଛି ଜାଣି ଏବେ ବିଲ୍‌କୁ ବିରୋଧ କରି ମସ୍କ ବେଶ୍‌ ନିରାଶ କରିଛନ୍ତି । ମୁଁ ମସ୍କଙ୍କୁ ବହୁତ ସାହାଯ୍ୟ କରିଛି । ମୁଁ ସବୁବେଳେ ମସ୍କଙ୍କୁ ପସନ୍ଦ କରୁଥିଲି । ସେ ପୂର୍ବରୁ ମୋ ବିଷୟରେ ବହୁତ ଭଲ କଥା କହିଛନ୍ତି । କିନ୍ତୁ ଏବେ ମସ୍କଙ୍କ ସହ ମୋର ସମ୍ପର୍କ ପୂର୍ବଭଳି ରହିବ କି ତାହା ଜଣାନାହିଁ । 

ବୈଦ୍ୟୁଦିକ ଯାନ ପାଇଁ ମସ୍କଙ୍କୁ ବହୁତ ସମସ୍ୟାର ସାମ୍‌ନା କରିବାକୁ ପଡ଼ୁଛି ଏବଂ ମସ୍କ ଚାହୁଁଛନ୍ତି ସବ୍‌ସିଡି ମାଧ୍ୟମରେ ଆମେ କୋଟି କୋଟି ଡଲାର ଦେଉ ।’  ଟ୍ରମ୍ପ୍‌ଙ୍କ ଏହି ଅଭିଯୋଗ ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ଏଲନ ମସ୍କ । ସେ ଏକ୍ସରେ ପୋଷ୍ଟ କରିଛନ୍ତି ଯେ, ‘ମୁଁ ନ ଥିଲେ ଟ୍ରମ୍ପ୍‌ ନିର୍ବାଚନରେ ହାରିଥା’ନ୍ତେ । ଡେମୋକ୍ରାଟ୍‌ସ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ସକୁ କବ୍‌ଜା କରିନେଇଥା’ନ୍ତେ ଏବଂ ସିନେଟରେ ରିପବ୍ଲିକାନ୍‌ ୫୧-୪୯ ବ୍ୟବଧାନରେ ଜିତିଥା’ନ୍ତେ । ଏଥିପ୍ରତି ଟ୍ରମ୍ପ୍‌ କୃତଜ୍ଞ ରହିବା କଥା ।’ ଆଉ ଏକ ଟୁଇଟ୍‌ରେ ମସ୍କ ଲେଖିଛନ୍ତି, ସରକାର ଇଭି ଏବଂ ସୌରଶକ୍ତିରେ ସବ୍‌ସିଡି ତ କମ୍‌ କରିଦେଲେ କିନ୍ତୁ ତେଲ, ଗ୍ୟାସ୍‌ କମ୍ପାନୀଗୁଡ଼ିକୁ ମିଳୁଥିବା ଛାଡ଼ ପୂର୍ବଭଳି ରଖିଲେ । 

ଏହା ଆଦୌ ଉଚିତ ନୁହେଁ । ବିଲ୍‌ରେ ବହୁତ ଫାଲ୍‌ତୁ ଖର୍ଚ୍ଚ ଯୋଡ଼ାଗଲା ଯାହାକୁ ହଟାଯିବା କଥା । ପ୍ରକାଶଥାଉ କି, ସରକାର ଖର୍ଚ୍ଚ କାଟ୍‌ କରିବା ଲାଗି ଟ୍ରମ୍ପ୍‌ଙ୍କ ନୂଆ ବିଭାଗ ଡିଓଜିଇର ନେତୃତ୍ୱ ନେଇଥିବା ମସ୍କ ଗତ ମାସରେ ଏହି ସରକାରୀ ଭୂମିକାରୁ ଓହରିଯାଇଥିଲେ । ମସ୍କ ଟ୍ରମ୍ପ୍‌ଙ୍କ ‘ୱାନ୍‌ ବିଗ୍‌ ବିୟୁଟିଫୁଲ ବିଲ୍‌’ର ସମାଲୋଚନା କରିବା ସହ ଏହା ଏକ ହାନିକାରକ ବିଲ୍‌ ବୋଲି ଦର୍ଶାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.