ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୫ ଟାଇଟଲ୍ ଜିତିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)ର ଦ୍ରୁତ ବୋଲର ୟଶ ଦୟାଲଙ୍କ ମୁସ୍କିଲ ବଢିବାକୁ ଯାଉଛି। ତାଙ୍କ ବିରୋଧରେ ଥାନାରେ ଜଣେ ଯୁବତୀଙ୍କୁ ଯୌନ ଶୋଷଣ କରିବା ଅଭିଯୋଗରେ ମାମଲା ରୁଜୁ ହୋଇଛି। ଗାଜିଆବାଦ ଅଞ୍ଚଳରେ ରହୁଥିବା ଜଣେ ଯୁବତୀ ତାଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି କାରଣରୁ ତାଙ୍କୁ ଜେଲ୍ର ହାଓ୍ଵା ଖାଇବାକୁ ପଡ଼ିପାରେ। ଏଥିରେ ତାଙ୍କର କ୍ୟାରିୟର ବିପଦରେ ପଡ଼ିପାରେ।
ବିବାହର ପ୍ରତିଶ୍ରୁତି ଦେଇ ଆର୍ଥିକ, ମାନସିକ ଓ ଶାରୀରିକ ଶୋଷଣ କରିଥିବା ୟଶ ଦୟାଲଙ୍କ ବିରୋଧରେ ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ମୁତାବକ ୟଶ ଦୟାଲ ଦୀର୍ଘ ସମୟ ପର୍ଯ୍ୟନ୍ତ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସଂପର୍କ ରଖି ଆସିଥିଲେ। ଏମିତି ୫ ବର୍ଷ ଧରି ୟଶ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସିଥିଲେ।
Also read: ଇତିହାସ ରଚିଲେ ଓ୍ଵିୟାନ ମୁଲଡୋର, ଟେଷ୍ଟ ମ୍ୟାଚ୍ରେ ମାରିଲେ ତ୍ରିଶତକ
ଯୁବତୀ ଜଣକ ଅଭିଯୋଗ କରିଛନ୍ତି ଯେ, ୟଶ ଦୟାଲ ତାଙ୍କ ବ୍ୟତୀତ ଆହୁରି ଅନେକ ଯୁବତୀଙ୍କ ସହ ସଂପର୍କରେ ଥିଲେ। ଏହି ସମୟରେ ପୀଡ଼ିତା ପୋଲିସକୁ ହ୍ଵାଟ୍ସଆପ୍ ଚାଟ୍ର ସ୍କ୍ରିନସର୍ଟ, ଭିଡିଓ କଲ୍ ଓ ଫଟୋର ପ୍ରମାଣ ଦେଇଥିଲେ। ପୋଲିସ ମାମଲାରେ କେସ୍ ରୁଜୁ କରିଛି। ଅନ୍ୟପଟେ ୟଶ ଦୟାଲଙ୍କ ବାପା କହିଛନ୍ତି, ସେ ଏହି ଯୁବତୀଙ୍କୁ ଜାଣି ନାହାନ୍ତି କି ଚିହ୍ନି ନାହାନ୍ତି। ଏହି ଝିଅ କଣ ପାଇଁ ଅଭିଯୋଗ ଲଗାଉଛି ତାହା ମୋ ବୁଝିବା ବାହାରେ ଅଛି।
ପୀଡିତା ମହିଳା ଜୁନ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ହେଲ୍ପଲାଇନ୍ରେ ଅଭିଯୋଗ କରିଥିଲେ। ସେଅଭିଯୋଗ କରିଛନ୍ତି, ଯେତେବେଳେ ସେ ୟଶ ଦୟାଲଙ୍କୁ ବିବାହ ପ୍ରତିଶ୍ରୁତି ଉପରେ ପଚରା ଉଚରା କରିବା ଆରମ୍ଭ କଲେ, ସେତେବେଳେ ଏହି ଦ୍ରୁତ ବୋଲର ତାଙ୍କୁ ମାଡ଼ ମାରିଥିଲେ। ମହିଳା ଜୁନ ୧୪ ତାରିଖରେ ମହିଳା ହେଲ୍ପଲାଇନ୍ ନମ୍ବର ୧୮୧କୁ ଫୋନ କରିଥିଲେ, କିନ୍ତୁ ସେଠାରେ କୌଣସି ଶୁଣାଣି ହୋଇନଥିଲା। ଏହା ପରେ, ସେ ଜୁନ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ହେଲ୍ପଲାଇନ୍ରେ ଅଭିଯୋଗ କରିବାକୁ ବାଧ୍ୟ ହୋଇଥିଲେ।