ନାମପେନ୍ ୨୪।୭: ଥାଇଲାଣ୍ଡ ଓ କାମ୍ବୋଡିଆ ମଧ୍ୟରେ ସାମରିକ ଉତ୍ତେଜନା ଏବେ ଯୁଦ୍ଧରେ ପରିଣତ ହୋଇଛି। ଏହି ଯୁଦ୍ଧରେ ଏ ପର୍ଯ୍ୟନ୍ତ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କମ୍ବୋଡିଆର ରକେଟ ଆକ୍ରମଣ ଜବାବରେ ଥାଇଲାଣ୍ଡ ନାମପେନ ସହର ଉପରେ ଏଫ-୧୬ ବିମାନ ଆକ୍ରମଣ କରିଛି। ‘ଦି ନାମପେନ ପୋଷ୍ଟ’ ଖବର ମୁତାବକ ଥାଇଲ୍ୟାଣ୍ଡ ଗୁରୁବାର କାମ୍ବୋଡିଆ ଉପରକୁ ୬ଟି ଏଫ-୧୬ ବିମାନରେ ଆକ୍ରମଣ କରିଛି। ଏଥିରୁ ଗୋଟିଏ ବିମାନକୁ ଖସାଇ ଦିଆଯାଇଛି।
ଗୁରୁବାର ସକାଳୁ ଆରମ୍ଭ ହୋଇଥିବା ଯୁଦ୍ଧ କାମ୍ବୋଡିଆର ତା ମୁଏନଥମ ମନ୍ଦିର, ତା କ୍ରାବେଇ ମନ୍ଦିର, ମୋମ ବେଇ ଅଞ୍ଚଳ ଓ ପ୍ରେୟ ଭିହେୟର ମନ୍ଦିର ଆଖପାଖରେ ଜାରି ରହିଛି। କାମ୍ବୋଡିଆ ନେତୃତ୍ୱଙ୍କ କହିବା କଥା ହେଉଛି ଥାଇ ସେନା ପକ୍ଷରୁ ସକାଳେ ଆକ୍ରମଣ କରାଯାଇଥିଲା। କାମ୍ବୋଡିଆ ପ୍ରଧାନମନ୍ତ୍ରୀ ହୁନ ମାନେଟ୍ କହିଛନ୍ତି ଯେ ଥାଇ ସୈନ୍ୟ ପ୍ରଥମେ ଓଦାର ମିଞ୍ଚେ ପ୍ରାନ୍ତରେ ଥିବା କାମ୍ବୋଡିଆ ସେନା ପୋଷ୍ଟକୁ ଟାର୍ଗେଟ୍ କରିଥିଲେ, ପରେ ମୋମ ବେଇ କ୍ଷେତ୍ର ପର୍ଯ୍ୟନ୍ତ ଆକ୍ରମଣ ସମ୍ପ୍ରସାରଣ କରିଛି।
ହୁନ ମେନେଟ କହିଛନ୍ତି ଯେ କାମ୍ବୋଡିଆ ସର୍ବଦା ଶାନ୍ତିପୂର୍ଣ୍ଣ ଉପାୟରେ ସମସ୍ୟା ସମାଧାନ ଉପରେ ପ୍ରାଥମିକତା ଦେଇଥାଏ। ହେଲେ ଏଥର ଆମେ ବଳ ପୂର୍ବକ ଜବାବ ଦେବାକୁ ବାଧ୍ୟ ହୋଇଛୁ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କମ୍ବୋଡିଆ ସରକାର, ସେନା ଓ ପ୍ରଶାସନ ଦୃଢତାର ସହିତ ଜାତୀୟ ସାର୍ବଭୌମତ୍ୱ ଓ କ୍ଷେତ୍ରୀୟ ଅଖଣ୍ଡତାର ସୁରକ୍ଷା ପାଇଁ ଅଣ୍ଟାଭିଡି ଲଢୁଛନ୍ତି। ସେହିପରି ସିନେଟ ଅଧ୍ୟକ୍ଷ ହୁନ ସେନ ଆକ୍ରମଣକୁ ପୁଷ୍ଟି କରି କହିଛନ୍ତି ଯେ ଥାଇ ସେନା ଜୁଲାଇ ୨୩ ତାରିଖ ଦିନ ମୁଏନ ଥମ ମନ୍ଦିରକୁ ବନ୍ଦ କରିବା ପାଇଁ ଆଦେଶ ଦେଇଥିଲା। ଏହାର ଦିନକ ପରେ ଆକ୍ରମଣ ଆରମ୍ଭ କରିଦେଇଛି। ଏଣୁ କମ୍ବୋଡିଆ ସେନା ଆଗରେ ଏବେ ପ୍ରତିକାର ଓ ଜବାବୀ କାର୍ଯ୍ୟନୁଷ୍ଠାନ ବ୍ୟତୀତ ଅନ୍ୟ କୌଣସି ଉପାୟ ନାହିଁ।
ଥାଇଲାଣ୍ଡର ଏପରି ଆକ୍ରମଣକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆତଙ୍କିତ ନ ହେବାକୁ, ଆବଶ୍ୟକତାଠୁ ଅଧିକ ରାସନ ଘରେ ମହଜୁଦ ନ କରିବାକୁ ଓ ଦେଶରେ ମୂଲ୍ୟବୃଦ୍ଧି ଭଳି ପରିସ୍ଥିତି ସୃଷ୍ଟି ନ କରିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ କେବଳ ଓଦାର ମିଞ୍ଚେ ଓ ପ୍ରେୟ ଭେହେୟର ସୀମା କ୍ଷେତ୍ରକୁ ଛାଡି ଦେଲେ ବାକି ସବୁ ଅଞ୍ଚଳରେ ଜନଜୀବନ ସ୍ୱଭାବିକ ରହିଛି।
କାମ୍ବୋଡିଆ ସାମ୍ବାଦିକ ସୋଇ ସୋଫିପଙ୍କ ଅନୁସାରେ ଥାଇଲ୍ୟାଣ୍ଡ ଯୁଦ୍ଧରେ ୬ଟି ଏଫ-୧୬ ଲଢୁଆ ବିମାନ ମୁତୟନ କରିଛି। ଏହି ବିମାନରୁ ବୋମାବର୍ଷା କରୁଥିବା ବେଳେ କମ୍ବୋଡିଆ ସେନା ଏଥିରୁ ଗୋଟିଏ ଏଫ-୧୬କୁ ଗୁଳି କରି ଖସାଇ ଦେବାର ଦାବି କରୁଛି। ସୀମାରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବା ବେଳେ ଉଭୟ ଦେଶରେ ଜନତାଙ୍କୁ ସରକାରଙ୍କ ଉପରେ ଆସ୍ଥା ରଖିବାକୁ ଶାନ୍ତି କାୟମ ରଖିବାକୁ ନିବେଦନ କରାଯାଇଛି। ତେବେ ରୟାଲ ଥାଇ ଏୟାରଫୋର୍ସ (ଆରଟିଏଏଫ) କମ୍ବୋଡିଆର ଦାବିକୁ ଅସ୍ୱୀକାର କରିଛି। କାମ୍ବୋଡିଆ ବ୍ରିଜ ଉପରକୁ ବୋମାମାଡ଼ କରିବାକୁ ଯାଇଥିବା ଏଫ-୧୬ ବିମାନ ସବୁ ସୁରକ୍ଷିତ ଫେରିଆସିଥିବା ଆରଟିଏଏଫ କହିଛି।