LIVE TV

ECIଙ୍କୁ ପ୍ରୀତିରଞ୍ଜନ ଘଡେଇଙ୍କ ଚିଠି, ସର୍ଚ୍ଚ ୱାରେଣ୍ଟ ନଥାଇ ଘରେ ପ୍ରବେଶ କରିଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି

NEWS7
calcutta-high-court-stays-centres-leave-india-notice-to-polish-student

ଭୁବନେଶ୍ବର ୫।୧୧: ଭାରତୀୟ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଲେ ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ । ତାଙ୍କ ଘରକୁ ପ୍ରବେଶ କରିଥିବା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ସେ ଚିଠି ଲେଖିଥିବା ଜଣାପଡିଛି । କୌଣସି ସର୍ଚ୍ଚ ୱାରେଣ୍ଟ ନଥାଇ ବିନା ଅନୁମତିରେ ଯାଞ୍ଚ ପାଇଁ ବେଆଇନ ଭାବେ ବିଜେଡି ନେତା ପ୍ରୀତିରଞ୍ଜନ ଘଡେଇଙ୍କ ଘରକୁ ଅଧିକାରୀମାନେ ପ୍ରବେଶ କରିଥିଲେ ବୋଲି ପ୍ରୀତିରଞ୍ଜନ ଚିଠିରେ ଉଲ୍ଲେଖ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ବିଜେଡି ନେତା ତଥା କୋରେଇର ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡ଼େଇଙ୍କ ଘରେ ରେଡ୍ ହୋଇଥିଲା । ନୂଆପଡ଼ା ଖରିଆର୍ ରୋଡ୍‌ରେ ଥିବା ତାଙ୍କ ଅସ୍ଥାୟୀ ଘରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚଢଉ ହୋଇଥିଲା । ଉପନିର୍ବାଚନ ସମୟରେ ବେଆଇନ ଟଙ୍କା ରଖିଥିବା ଅଭିଯୋଗରେ ଏହି ଚଢଉ ହୋଇଥିବା ଜଣାପଡ଼ିଥିଲା । ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡି ପ୍ରଚାର ଦାୟିତ୍ୱରେ ଅଛନ୍ତି ପ୍ରୀତିରଞ୍ଜନ ଘଡ଼େଇ । ତେବେ ଏହି ଚଢଉ ସମୟରେ ପ୍ରୀତିରଞ୍ଜନଙ୍କ ଘରର କେୟାରଟେକର ଓ ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ଦେଖିବାକୁ ମିଳିଥିଲା । ବିନା କୌଣସି ସର୍ଚ୍ଚ ୱାରେଣ୍ଟରେ ମାଜିଷ୍ଟ୍ରେଟ୍ ରେଡ୍ ପାଇଁ ଆସିଥିବା କେୟାରଟେକର ଅଭିଯୋଗ କରିଥିଲେ ।

ସେପଟେ ଏହି ଘଟଣାକୁ ବେଆଇନ ବୋଲି ବିଜେଡି କହିଥିଲା । ଭୟଭୀତ ହୋଇ ସରକାର ଏଜେନ୍ସୀ ଲଗାଇ ଏପରି କରୁଥିବା ବିଜେଡି ଜିଲ୍ଲା ସଭାପତି ଅବନୀ ଯୋଶୀ କହିଥିଲେ । ଏହାସହ ଏପରି କଲେ ବିଜୁ ଜନତା ଦଳ ଚୁପ୍ ହୋଇ ରହିବ ନାହିଁ ବୋଲି ମଧ୍ୟ ସେ ସ୍ପଷ୍ଟ କରିଥିଲେ ।