ନୂଆଦିଲ୍ଲୀ: ଚାଷୀଙ୍କୁ ସରକାରଙ୍କ ବଡ଼ ଭେଟି। ବୁଧବାର କ୍ୟାବିନେଟ ବୈଠକରେ ଖରିଫ୍ ଫସଲ ଏମଏସପି ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏନେଇ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀଙ୍କ ସୂଚନା ଅନୁସାରେ ସରକାର ଧାନ, କପା, ସୋୟାବିନ୍ ଏବଂ ମଟର ସମେତ ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବା MSP ବୃଦ୍ଧି କରିଛନ୍ତି।
କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଧାନର ନୂତନ ସର୍ବନିମ୍ନ ସହାୟକ ମୂଲ୍ୟ ୨୩୬୯ ଟଙ୍କା ସ୍ଥିର କରାଯାଇଛି। ଯାହା ପୂର୍ବ ସର୍ବନିମ୍ନ ସହାୟକ ମୂଲ୍ୟ ଅପେକ୍ଷା ୬୯ ଟଙ୍କା ଅଧିକ। ସେହିଭଳି କପାର ନୂଆ ସର୍ବନିମ୍ନ ସହାୟକ ମୂଲ୍ୟ ୭,୭୧୦ ଟଙ୍କା ସ୍ଥିର କରାଯାଇଛି। କପାର ଆଉ ଏକ ପ୍ରକାରର ମଧ୍ୟ ଏମଏସପି ବୃଦ୍ଧି ହୋଇ ୮,୧୧୦ ଟଙ୍କା କରାଯାଇଛି। ଯାହା ପୂର୍ବ ଅପେକ୍ଷା ୫୮୯ ଟଙ୍କା ଅଧିକ। ତେବେ ଏମଏସପି ବୃଦ୍ଧି କାରଣରୁ ସରକାରଙ୍କ ଉପରେ ୨ ଲକ୍ଷ ୭ ହଜାର କୋଟି ଟଙ୍କାର ବୋଝ ପଡ଼ିବ। ଯାହା ପୂର୍ବ ଫସଲ ଋତୁ ତୁଳନାରେ ୭ ହଜାର କୋଟି ଟଙ୍କା ଅଧିକ।
ସେହିଭଳି କେନ୍ଦ୍ର ସରକାର କ୍ୟାବିନେଟ ବୈଠକରେ ୨୦୨୫-୨୬ ପାଇଁ କିଷାନ କ୍ରେଡିଟ୍ କାର୍ଡ ସୁଧ ସବସିଡି ଯୋଜନା ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ସୁଧ ସବସିଡି ଯୋଜନା (MISS) ଜାରି ରଖିବାକୁ ଅନୁମୋଦନ ମିଳିଛି। ଏଥିପାଇଁ ଆବଶ୍ୟକୀୟ ପାଣ୍ଠି ମଧ୍ୟ ସ୍ଥିର ହୋଇଛି। ଏହି ଯୋଜନା କିଷାନ କ୍ରେଡିଟ୍ କାର୍ଡ (KCC) ମାଧ୍ୟମରେ ଚାଷୀମାନଙ୍କୁ କମ ସୁଧ ହାରରେ ଋଣ ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ।