ପକ୍ଷୀଙ୍କୁ ଦାନା ପକାଇବା ପଡିଲା ମହଙ୍ଗା, ଭାରତୀୟମୂଳ ମହିଳାଙ୍କୁ ଜରିମନା ନିର୍ଦ୍ଦେଶ ଦେଲେ ସିଙ୍ଗାପୁର କୋର୍ଟ

NEWS7
byke-colided-with-tree-one-died

ସିଙ୍ଗାପୁର ୪।୨: ଜଙ୍ଗଲୀ ପକ୍ଷୀଙ୍କୁ ବିନା ଅନୁମତିରେ ଦାନା ଦେବା ଅପରାଧରେ ସିଙ୍ଗାପୁରକୋର୍ଟ ଜଣେ ୭୧ ବର୍ଷ ବୟଷ୍କା ଭାରତୀୟ ମୂଳର ମହିଳାଙ୍କୁ ବୁଧବାର ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥି ପାଇଁ ମହିଳାଙ୍କ ଉପରେ କୋର୍ଟ ୩,୨୦୦ ସିଙ୍ଗାପୁର ଡଲାର (ପାଖାପାଖି ୨,୫୧୮ ଆମେରିକୀୟ ଡଲାର) ଜରିମନା କରିଛନ୍ତି। ଏହି ଘଟଣା ସହରର ସବୁଠୁ ପୁରୁଣା ହାଉସିଂ ଇଷ୍ଟେଟ ଟୋଆ ପେଓହରେ ହୋଇଛି। ମହିଳା ଗତ ୬ ମାସରେ ୯ ଥର ପକ୍ଷୀଙ୍କୁ ଦାନା ଅଥବା ରୁଟି ଟୁକୁରା ପକେଇଛନ୍ତି।

ସନମୁକନାଥନ ଶାମଲା ନାମ୍ନୀ ଏହି ମହିଳା ସିଙ୍ଗାପୁରର ନାଗରିକ ଓ ଟୋଆ ପେଓହର ବ୍ଲକ୍ ୬୨-ବିରେ ରହନ୍ତି। ସେ ୱାଇଲ୍ଡ ଲାଇଫ ଆକ୍ଟର ୪ଟି ଅଭିଯୋଗରେ ନିଜର ଦୋଷ ସ୍ୱୀକାର କରିଛନ୍ତି। ନ୍ୟାସନାଲ ପାର୍କସ ବୋର୍ଡ ଓକିଲ କୋର୍ଟଙ୍କୁ କହିଛନ୍ତି ଯେ ଶାମଲା ଜାଣିଶୁଣି ଆଇନ ଭାଙ୍ଗିଛନ୍ତି। କାରଣ ଆଗରୁ ମଧ୍ୟ ସମାନ ଅଭିଯୋଗରେ ସେ ଦଣ୍ଡିତ ହୋଇଛନ୍ତି। ରିପୋର୍ଟ ଅନୁସାରେ ଶାମଲାଙ୍କୁ ମେ ୨୦୨୫ରେ ତାଙ୍କ ଆପାର୍ଟମେଣ୍ଟ ନିକଟରେ ଜଙ୍ଗଲୀ ପକ୍ଷୀଙ୍କୁ ଖାଦ୍ୟ ଦେବା ଓ ଚଢେଇ ଧରିବା ପାଇଁ ନ୍ୟାସନାଲ ପାର୍କସ ବୋର୍ଡ କାର୍ଯ୍ୟରେ ବାଧା ଦେବା ଲାଗି ୧,୨୦୦ ସିଙ୍ଗାପୁର ଡଲାର ଜରିମନା ହୋଇଥିଲା।

ସେତେବେଳେ ସେ ଏପରି ଆଉଥରେ କରିବେନି ବୋଲି କୋର୍ଟଙ୍କୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ହେଲେ ମାତ୍ର କିଛି ମାସ ଯାଇନି ସେ ପୁଣି ତାଙ୍କ ଅଭ୍ୟାସ ଦୋହରାଇଛନ୍ତି। ୱାଇଲ୍ଡ ଲାଇଫ ଆକ୍ଟରେ ଲିଖିତ ଅନୁମତି ବିନା ଜଙ୍ଗଲୀ ପ୍ରାଣୀଙ୍କୁ ଜାଣିଶୁଣି ଖାଦ୍ୟ ଖୁଆଇବା ଅପରାଧରେ ସର୍ବାଧିକ ୧୦,୦୦୦ ସିଙ୍ଗାପୁର ଡଲାର ଜରିମନା ହୋଇପାରେ। ତେବେ ବିନା ଓକିଲରେ କୋର୍ଟରେ ହାଜର ହୋଇଥିବା ଶାମଲା ତାଙ୍କ ପ୍ରତି କୋର୍ଟଙ୍କୁ ଦୟା କରିବାକୁ ଅନୁରୋଧ କରିଛନ୍ତି ଓ ତାଙ୍କୁ ୧୦୦୦ରୁ ୨୦୦୦ ସିଙ୍ଗାପୁର ଡଲାର ମଧ୍ୟରେ ଜରିମନା କରିବାକୁ ନିବେଦନ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ସିଙ୍ଗାପୁରରେ ପକ୍ଷୀଙ୍କୁ ଦାନା ପକାଇବା ଦ୍ୱାରା ସେମାନଙ୍କ ସଂଖ୍ୟା ଅନିୟନ୍ତ୍ରିତ ହେଉଛି। ଏଣୁ ଦେଶରେ ଆଇନ ପ୍ରଣୟନ କରି ନାଗରିକଙ୍କୁ ଏପରି ବୁଲା ପଶୁପକ୍ଷୀଙ୍କୁ ଦାନା ନ ଦେବାକୁ କଟକଣା ଲଗାଯାଇଛି। ପକ୍ଷୀଙ୍କ ସଂଖ୍ୟା ବଢିବା ଯୋଗୁ ରୋଗ ବ୍ୟାପିବାର ଆଶଙ୍କା ଥିବା ବେଳେ ସାର୍ବଜନିକ ସ୍ୱଚ୍ଛତା ପ୍ରଭାବିତ ହେବା ଓ ସମ୍ପତ୍ତି କ୍ଷତି ହେବାର ଅନେକ ସମ୍ଭାବନା ରହୁଛି। ଏଣୁ ନ୍ୟାସନାଲ ପାର୍କସ ବୋର୍ଡ ଏହା ବିରୋଧରେ ନିୟମିତ କାର୍ଯ୍ୟାନୁଷ୍ଠାନ କରୁଛି।

ଏହା ବି ପଢନ୍ତୁ:-ଜାପାନରେ ଭୟଙ୍କର ତୁଷାରପାତରେ ଗଲାଣି ୩୦ ଜୀବନ, ସେନା ହଟାଉଛନ୍ତି ବରଫ