LIVE TV
LIVE TV

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ ମଧ୍ୟରେ ଶିବକୁମାରଙ୍କୁ ‘ବ୍ରେକଫାଷ୍ଟ’ ନିମନ୍ତ୍ରଣ କଲେ ସିଦ୍ଦାରମୈୟା

NEWS7
bus-overturns-after-hitting-bike-in-sundargarh

ବେଙ୍ଗାଲୁରୁ ୨୮।୧୧: କର୍ଣ୍ଣାଟକରେ ନେତୃତ୍ୱକୁ ନେଇ ଟଣାଓଟରା ମଧ୍ୟରେ ସିଦ୍ଦାରମୈୟା ଶୁକ୍ରବାର କହିଛନ୍ତି ଯେ ସେ ଉପମୁଖ୍ୟମନ୍ତ୍ରୀ ଡି.କେ.ଶିବ କୁମାରଙ୍କୁ ଶନିବାର ସକାଳେ ବ୍ରେକଫାଷ୍ଟ ନିମନ୍ତ୍ରଣ କରିଛନ୍ତି। କର୍ଣ୍ଣାଟକରେ ଦୁଇ ନେତାଙ୍କ ମଧ୍ୟରେ ଏହି ବୈଠକ ଏପରି ସମୟରେ ହେବାକୁ ଯାଉଛି ଯେତେବେଳେ ରାଜ୍ୟରେ ସିଦ୍ଦାରମୈୟାଙ୍କ ନେତୃତ୍ୱରେ ସରକାର ଅଢେଇ ବର୍ଷ ପୂରଣ କରୁଛି। ଏଣୁ ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ ଲାଗି ଅଙ୍କକଷା ଚାଲିଥିବା ବେଳେ ସିଦ୍ଦାରମୈୟାଙ୍କ ଆମନ୍ତ୍ରଣ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସିଦ୍ଦାରମୈୟା କହିଛନ୍ତି ଯେ କଂଗ୍ରେସ ନେତୃତ୍ୱ ତାଙ୍କୁ ଓ ଡି.କେ. ଶିବକୁମାରଙ୍କୁ ଏକାଠି ବସି ଆଲୋଚନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ହାଇକମାଣ୍ଡ ତାଙ୍କୁ ଡାକନ୍ତି ତେବେ ସେ ଦିଲ୍ଲୀ ଯିବେ। ଇତି ମଧ୍ୟରେ ଉପମୁଖ୍ୟମନ୍ତ୍ରୀଙ୍କ ଭାଇ ତଥା ସାଂସଦ ଡି.କେ. ସୁରେଶ ଦିଲ୍ଲୀ ପହଞ୍ଚି ସାରିଲେଣି। ତେବେ ସେଠାରେ ରାଜ୍ୟ ରାଜନୀତି ନେଇ କୌଣସି କଥା କହିବାକୁ ଗଣମାଧ୍ୟମରେ ସିଧା ମନା କରିଦେଇଛନ୍ତି। ରାଜ୍ୟରେ ଯାହା ବି ସ୍ଥିତି ଅଛି ଏ ବାବଦେ ମୁଖ୍ୟମନ୍ତ୍ରୀ କହିବେ ବୋଲି କହିଛନ୍ତି।

ତେବେ ସିଦ୍ଦାରମୈୟା କହିଛନ୍ତି ହାଇକମାଣ୍ଡ ଉପମୁଖ୍ୟମନ୍ତ୍ରୀ ଶିବ କୁମାରଙ୍କୁ ଡକାଇଥିଲେ, ସେ ମୋତେ ମଧ୍ୟ ଡକାଇଥିଲେ। ସେ ଆମ ଦୁଇଜଣଙ୍କୁ ଏକାଠି ମିଶି କଥା ହେବାକୁ କହିଥିଲେ। ଏଥି ପାଇଁ ମୁଁ ଉପମୁଖ୍ୟମନ୍ତ୍ରୀଙ୍କୁ ବ୍ରେକଫାଷ୍ଟ ପାଇଁ ଆମନ୍ତ୍ରଣ କରିଛି। ଏଥି ପାଇଁ ଶିବକୁମାର ପହଞ୍ଚିଲେ ଆମେ ମିଶି ସବୁ ବିଷୟରେ କଥା ହେବୁ। ତେବେ ତାଜା ଅଟକଳରୁ ଉଭୟ ନେତାଙ୍କ ମଧ୍ୟରେ ଶାସନ ଭାଗିଦାରୀ ବୁଝାମଣା କଥା ସାମ୍ନାକୁ ଆସୁଛି, ଯେଉଁଥିରେ ଶିବ କୁମାରଙ୍କୁ ପରବର୍ତ୍ତି ଅଢେଇ ବର୍ଷ ନିମନ୍ତେ ମୁଖ୍ୟମନ୍ତ୍ରୀ କରାଯାଇ ପାରେ।

ଏଥି ପାଇଁ ଶିବ କୁମାର ପାର୍ଟି ହାଇକମାଣ୍ଡଙ୍କ ସହ ବୈଠକ ନିମନ୍ତେ ଦିଲ୍ଲୀ ଯିବାର ସମ୍ଭାବନା ଥିଲା। ତେବେ ତାଙ୍କ ପାଇଁ ଭାଇ ଡି.କେ. ସୁରେଶ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି। ହେଲେ ଦୁଇ ଭାଇ କ୍ଷମତା ଆବଣ୍ଟନ ବୁଝାମଣା ଅଟକଳ ଉପରେ ନିରବତା ଅବଲମ୍ବନ କରୁଛନ୍ତି। ଏଥି ମଧ୍ୟରେ ସିଦ୍ଦାରମୈୟା ଯିଏ ପୂର୍ଣ୍ଣ ପାଞ୍ଚ ବର୍ଷ କାର୍ଯ୍ୟକାଳ ପୂରଣ କରିବାକୁ ପ୍ରସ୍ତାବ ଦେଉଛନ୍ତି ସେ କହିଛନ୍ତି ଯେ ସେ ସେଇଆ କରିବେ ଯାହା ତାଙ୍କୁ ପାର୍ଟି ନେତୃତ୍ୱ କହିବ। ସିଦ୍ଦାରମୈୟା କହିଛନ୍ତି ଯେ ମୁଁ ପାର୍ଟି ହାଇକମାଣ୍ଡଙ୍କ କଥା ମାନିବି। ମୁଁ ଏହା ଆଜି ବି କହୁଛି ଓ କାଲି ବି କହିବି। ତେବେ ସିଦ୍ଦାରମୈୟା କହିଛନ୍ତି ଯେ ଶିବ କୁମାର ମଧ୍ୟ ସାର୍ବଜନିକ ରୂପେ ପାର୍ଟିର ନିର୍ଦ୍ଦେଶ ପାଳନ କରିବାର ସଂକଳ୍ପ କରିଛନ୍ତି।