କୋଲକାତା: କୋଲକାତାର ଐତିହାସିକ ଇଡେନ ଗାର୍ଡେନରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ବୋଲରଙ୍କ ଦବଦବା ଦେଖିବାକୁ ମିଳିଛି। ଯଶପ୍ରୀତ ବୁମରାଙ୍କ ଘାତକ ବୋଲିଂର ମୁକାବିଲା କରି ନ ପାରି ପ୍ରଥମେ ବ୍ୟାଟିଂ କରିଥିବା ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ୧୫୯ ରନରେ ଅଲଆଉଟ୍ ହୋଇଛି। ଦଳର ଜଣେ ହେଲେ ବ୍ୟାଟର ଅର୍ଦ୍ଧଶତକ ହାସଲ କରି ପାରି ନାହାନ୍ତି। ଜବାବରେ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ଗୋଟିଏ ଓ୍ଵିକେଟ୍ ହରାଇ ୩୭ ରନ କରିଛି। କେଏଲ ରାହୁଲ ୧୩ ରନ ଓ ଓ୍ଵାଶିଂଟନ ସୁନ୍ଦର ୬ ରନ କରି କ୍ରିଜରେ ଅଛନ୍ତି। ଭାରତ ୧୨୨ ରନ ପଛରେ ରହିଛି। ପ୍ରଥମ ଦିନର ଖେଳରେ ଚମକିଛନ୍ତି ତାରକା ବୋଲର ଯଶପ୍ରୀତ ବୁମରା। ସେ ମାତ୍ର ୨୭ ରନ ଦେଇ ୫ଟି ଓ୍ଵିକେଟ୍ ନେଇଛନ୍ତି। ତେବେ ପ୍ରଥମ ଦିନରେ ରନ ପାଇଁ ବ୍ୟାଟରଙ୍କୁ ସଂଘର୍ଷ କରିବାକୁ ପଡ଼ିଛି।​​​​​​​

ଟସ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରିଥିଲା। ଦୁଇ ଓପନର ଆଡନ ମାରକ୍ରମ ଓ ରିୟାନ ରିକଲଟନ ଦଳକୁ ଭଲ ଆରମ୍ଭ ଦେଇଥିଲେ। ଓପନିଂରେ ଦୁହେଁ ୫୭ ରନ ଯୋଡ଼ିଥିଲେ। ରିକଲଟନ(୨୩) ଓ ମାରକ୍ରମ(୩୧) ଉଭୟଙ୍କୁ ଆଉଟ୍ କରି ଭାରତକୁ ଡବଲ ସଫଳତା ଦେଇଥିଲେ ଯଶପ୍ରୀତ ବୁମରା। ଅଧିନାୟକ ତେମ୍ବା ବାଭୁମା(୩ ରନ) ପାଭିଲିୟନ ଫେରିଥିଲେ। ମଧ୍ୟକ୍ରମରେ ଓ୍ଵିୟାନ ମୁଲଡର ୨୪ ରନ କରିଥିଲେ ହେଁ ବଡ଼ ଇନିଂସ ଖେଳି ପାରି ନ ଥିଲେ। ଟୋନି ଡି ଜୋର୍ଜି ମଦଯୟ ୨୪ ରନ କରିଥିଲେ ମଧ୍ୟ କ୍ରିଜରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ଷ୍ଟବ୍ସ ୧୫ ରନରେ ଅପରାଜିତ ଥିଲେ ହେଁ ଅନ୍ୟପଟେ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା ଦକ୍ଷିଣ ଆଫ୍ରିକା।

ଏକଦା ୩ ଓ୍ଵିକେଟ୍ ହରାଇ ୧୧୪ ରନ କରିଥିବା ଭ୍ରମଣକାରୀ ଦଳ ୪୫ ରନରେ ଅବଶିଷ୍ଟ ୭ ଓ୍ଵିକେଟ୍ ହରାଇଥିଲା। ବୁମରା ୫ ଓ୍ଵିକେଟ୍ ନେଇ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ସେ ମାତ୍ର ୨୭ ରନ ଦେଇ ଏହି ସଫଳତା ହାସଲ କରିଛନ୍ତି। କୁଲଦୀପ ଯାଦବ ଓ ମହମ୍ମଦ ସିରାଜ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵକେଟ୍ ନେଇଛନ୍ତି।

ଏହା ପରେ ନିଜର ଇନିଂସ ଆରମ୍ଭ କରିଥିବା ଭାରତକୁ ୧୮ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। ଜୟସ୍ଵାଲ ୧୨ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ତୃତୀୟ କ୍ରମରେ ବ୍ୟାଟିଂ କରିବାକୁ ଆସିଛନ୍ତି ଓ୍ଵାଶିଂଟନ ସୁନ୍ଦର। କେଏଲ ରାହୁଲ ଓ ସୁନ୍ଦର ଉଭୟ ଆଉ ଦଳର କୌଣସି କ୍ଷତି ହେବାକୁ ଦେଇ ନାହାନ୍ତି। କିନ୍ତୁ ଦୁଇ ବ୍ୟାଟରଙ୍କୁ ପ୍ରତିଟି ରନ ପାଇଁ ବେଶ ସଂଘର୍ଷ କରିବାକୁ ପଡ଼ିଛି। ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତ  ୧ ଓ୍ଵିକେଟ୍ ହରାଇ ୩୭ ରନ କରିଛି। ରାହୁଲ ୧୩ ଓ ସୁନ୍ଦର ୬ ରନ କରି ଅପରାଜିତ ଅଛନ୍ତି। ଭାରତ ଏବେ ବି ୧୨୨ ରନ ପଛରେ ରହିଛି। ତେବେ ଦିନ ଗଡ଼ିବା ସହ ଇଡେନର ପିଚ୍ ବ୍ୟାଟରଙ୍କ ପାଇଁ ବ୍ୟାଟିଂ କରିବା ମୁସ୍କିଲ ହୋଇଯିବ। ​​​​​​​