ନୂଆଦିଲ୍ଲୀ ୧୨।୩: କିଛି ଦିନ ପୂର୍ବରୁ ଖବର ଆସିଥିଲା ଦୀର୍ଘ ସମୟ ପରେ ବିଏସଏନଏଲର ନା କେବଳ ଲାଭ ହୋଇଛି ବରଂ ଘରୋଇ ଟେଲିକମ ଅପରେଟରଙ୍କୁ ଛାଡି ଗ୍ରାହକ ସରକାରୀ ଟେଲିକମ କମ୍ପାନୀ ସହ ସଂଯୁକ୍ତ ହେଉଛନ୍ତି। ହେଲେ ଏବେ ବିଏସଏନଏଲର ସବସ୍କ୍ରାଇବର ହ୍ରାସ ହେଉଥିବା ଜଣାପଡିଛି। ଏହି ସୂଚନା ଭାରତର ଟେଲିକମ ରେଗୁଲେଟରୀ ଅଥରିଟି (ଟ୍ରାଇ) ଙ୍କ ତାଜା ତଥ୍ୟରୁ ସାମ୍ନାକୁ ଆସିଛି। ଟ୍ରାଇ ଡିସେମ୍ବର ୨୦୨୪ର ସବସ୍କ୍ରାଇବର ଡାଟା ଜାରି କରିଛି।
ଏହି ରିପୋର୍ଟରେ ବିଭିନ୍ନ ଟେଲିକମ କମ୍ପାନୀ କେତେ ନୂଆ ଗ୍ରାହକ ଯୋଡିଛନ୍ତି ଓ କେତେ ହରାଇଛନ୍ତି ଏାହ ଛଡା ୩୧ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଏହି କମ୍ପାନୀମାନଙ୍କ ମୋଟ ସବସ୍କ୍ରାଇବର କେତେ ଥିଲେ ତାହା ସ୍ପଷ୍ଟ ସୂଚୀତ କରାଯାଇଛି। ଏହି ରିପୋର୍ଟ ଅନୁସାରେ ବିଏସଏନଏଲ ୩ଲକ୍ଷ ସବସ୍କ୍ରାଇବର ହରାଇଛି। ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲ ଟାରିଫ ବଢାଇବା ପରେ ଏହାର ଲୋକପ୍ରିୟତା ହ୍ରାସ ହୋଇଛି। କମ୍ପାନୀ ଡିସେମ୍ବରରେ ୦.୩୨୨ ନିୟୁତ ସବସ୍କ୍ରାଇବର ହରାଇଛି।
ଏହି ସଂଖ୍ୟା ନଭେମ୍ବର ୨୦୨୪ ତୁଳନାରେ ୨୦ ହଜାର କମ। ନଭେମ୍ବରରେ ୦.୩୪ ନିୟୁତ ସବସ୍କ୍ରାଇବର ହରାଇଥିଲା। ଏବେ ଦେଶରେ ବିଏସଏନଏଲର ମୋଟ ଗ୍ରାହକ ସଂଖ୍ୟା ୧୦ କୋଟିରେ ସୀମିତ ହୋଇଯାଇଛି। ସରକାରୀ କମ୍ପାନୀର ଏବେ ଦେଶରେ ୯ କୋଟି ୧୭ଲକ୍ଷ ୨୯ ହଜାର ୭୩୭ ସବସ୍କ୍ରାଇବର ଅଛନ୍ତି। ନଭେମ୍ବର ୨୦୨୪ ତୁଳନାରେ ବିଏସଏନଏଲର ୩ଲକ୍ଷ ୨୨ହଜାର ୭୨ ଗ୍ରାହକ ଚାଲିଯାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପ୍ରାଇଭେଟ କମ୍ପାନୀଙ୍କ ରିଚାର୍ଜ ମହଙ୍ଗା ହେବାରୁ ଲୋକେ ସରକାରୀ ଅପରେଟରଙ୍କ ପଟକୁ ଢଳିଥିଲେ। ଲୋକେ ଏବେ ପୁଣି ଘରୋଇ ଅପରେଟରଙ୍କ ଆଡକୁ ମୁହାଁଇଛନ୍ତି।
କେବଳ ବିଏସଏନଏଲ ନୁହେଁ ଘରୋଇ ଟେଲିକମ କମ୍ପାନୀ ଭୋଡା ଆଇଡିଆ ମଧ୍ୟ ଗ୍ରାହକ ହରାଇଛି। ୧୭ ଲକ୍ଷରୁ ଅଧିକ ଗ୍ରାହକ ଭୋଡା ଆଇଡିଆ ଛାଡି ଅନ୍ୟ ସର୍ଭିସ ପ୍ରୋଭାଇଡରଙ୍କ ନିକଟକୁ ଚାଲିଯାଇଛନ୍ତି। ଏଥିରେ ଏୟାରଟେଲ ଓ ଜିଓକୁ ଅଧିକ ଲାଭ ହୋଇଛି। ଜିଓରେ ୩୯ଲକ୍ଷରୁ ଅଧିକ ନୂଆ ସବସ୍କ୍ରାଇବର ସଂଯୁକ୍ତ ହୋଇଥିବା ବେଳେ ଏୟାରଟେଲକୁ ମଧ୍ୟ ୧୦ ଲକ୍ଷ ନୂଆ ଗ୍ରାହକଙ୍କ ଲାଭ ମିଳିଛି। ଟ୍ରାଇଙ୍କ ତଥ୍ୟରୁ ଜଣାପଡିଛି ଯେ ଭାରତରେ ଓୟାରଲେସ୍ ସବସ୍କ୍ରାଇବରଙ୍କ ସଂଖ୍ୟା ନଭେମ୍ବର ୨୦୨୪ରେ ୧୧୪କୋଟିରୁ ଅଧିକ ଥିଲା। ଏହା ଡିସେମ୍ବର ୨୦୨୪ ବେଳକୁ ବଢି ୧୧୫ କୋଟିରୁ ଅଧିକ ହୋଇଯାଇଛି। ଅର୍ଥାତ ଦେଶର ୧୧୫କୋଟି ମୋବାଇଲ ୟୁଜର ଜିଓ, ଏୟାରଟେଲ, ଭୋଡା ଆଇଡିଆ ଓ ବିଏସଏନଏଲ ସେବା ନେଉଛନ୍ତି। ଉପଲବ୍ଧ ତଥ୍ୟରୁ ଜଣା ପଡେ ଯେ ଲୋକେ ଏବେବି ମୋବାଇଲ ନମ୍ବର ପୋର୍ଟେବିଲିଟି ଉପରେ ଭରସା କରୁଛନ୍ତି। ଡିସେମ୍ବର ୨୦୨୪ରେ ୧.୩କୋଟିରୁ ଅଧିକ ସବସ୍କ୍ରାଇବର ଏମଏନପି ରିକ୍ୱେଷ୍ଟ କରିଥିଲେ।
ଟ୍ରାଇଙ୍କ ରିପୋର୍ଟ ଅନୁସାରେ ଦେଶର ସହରାଞ୍ଚଳରେ ମୋବାଇଲ ଫୋନ ୟୁଜରଙ୍କ ସଂଖ୍ୟା ବଢୁଛି ଓ ଗ୍ରାମାଞ୍ଚଳରେ ହ୍ରାସ ହେଉଛି। ଡିସେମ୍ବରରେ ସହରାଞ୍ଚଳର ସବସ୍କ୍ରାଇବର ସଂଖ୍ୟା ୬୫.୯୯କୋଟିରୁ ବଢି ୬୬.୩୪କୋଟି ହୋଇଯାଇଛି। ତେବେ ଏହି ସମୟରେ ଦେଶରେ ଟେଲିଫୋନ ସବସ୍କ୍ରାଇବରଙ୍କ ସଂଖ୍ୟା ବଢିଛି। ଦେଶରେ ଏବେ ଟେଲିଫୋନ ଉପଭୋକ୍ତାଙ୍କ ସଂଖ୍ୟା ୧୧୮.୯୯କୋଟି ହୋଇଯାଇଛି। ନଭେମ୍ବର ୨୦୨୪ରେ ଏହି ସଂଖ୍ୟା ୧୧୮.୭୨ କୋଟି ଥିଲା।