ଚଳିତ ବର୍ଷର ପ୍ରଥମ ଅଭିଯୋଗ ଶୁଣାଣି, ସମସ୍ୟା ଶୁଣି ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ

NEWS7
bsf-sub-inspector-beaten-by-miscreant-in-jodhpur

ଭୁବନେଶ୍ବର: ୟୁନିଟ୍-୨ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ସୋମବାର ୧୬ ତମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଖାଲି ସମସ୍ୟା ଶୁଣିନାହାଁନ୍ତି ତାହାର ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ସୋମବାର କାର୍ଯ୍ୟକ୍ରମ ପାଇଁ ମୋଟ ୧ ହଜାର ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ପ୍ରଥମେ ମୁଖ୍ୟମନ୍ତ୍ରୀ ଦିବ୍ୟାଙ୍ଗ, ଭିନ୍ନକ୍ଷମ ଅଭିଯୋଗ କାରୀଙ୍କୁ ଭେଟିଥିଲେ । ସେମାନଙ୍କ ଅଭିଯୋଗ ଶୁଣି ତ୍ୱରିତ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଅନ୍ୟପଟେ ଜିଲ୍ଲାପାଳମାନଙ୍କୁ ମଧ୍ୟ ଜିଲ୍ଲାସ୍ତରରେ ପ୍ରତ୍ୟେକ ସୋମବାର ଲୋକଙ୍କ ଅଭିଯୋଗ ଶୁଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ସବୁ ଅଭିଯୋଗକୁ ରାଜ୍ୟ ସରକାରଙ୍କ ଜନଶୁଣାଣି ପୋର୍ଟାଲରେ ପଞ୍ଜୀକୃତ କରିବାକୁ କୁହାଯାଇଛି। ଅଭିଯୋଗ ଶୁଣାଣି ପରେ ଏହାର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇବା ପାଇଁ ନିର୍ଦ୍ଦେଶ ରହିଛି।

ସୂଚନାଥାଉକି, ଜନଶୁଣାଣି ପୋର୍ଟାଲ ଏବଂ ଡାକ ଯୋଗେ ଆସିଥିବା ପ୍ରାୟ ୧ ଲକ୍ଷ ୪୯ ହଜାର ୪୧୮ ଅଭିଯୋଗ ମଧ୍ୟରୁ ୧ ଲକ୍ଷ ୩୦ ହଜାର ୮୪୫ ଅର୍ଥାତ୍ ୮୮ ପ୍ରତିଶତ ଅଭିଯୋଗର ସମାଧାନ କରାଯାଇଛି। ବକେୟା ଅଭିଯୋଗ ଗୁଡ଼ିକ ପ୍ରୋସେସ୍ରେ ଅଛି। ପୂର୍ବ ୧୫ଟି ପାଳିରେ ଆମର ଏହି ଅଭିଯୋଗ ପ୍ରକୋଷ୍ଠ ମାଧ୍ୟମରେ ପ୍ରତ୍ୟକ୍ଷ ଭାବେ ଆସି ଅଭିଯୋଗ ଦେଇଥିବା ୧୩,୩୫୮ ଟି ଅଭିଯୋଗ ମଧ୍ୟରୁ ୧୨,୭୪୮ ଅର୍ଥାତ୍ ୯୫ ପ୍ରତିଶତ ଅଭିଯୋଗର ସମାଧାନ କରାଯାଇଛି।