ନୂଆଦିଲ୍ଲୀ: ଦେଶରେ ବୟକଟ ତୁର୍କୀଏ ଭାବନା ଜାରି ରହିଛି। ତୁର୍କୀଏର ଫଳ ପନିପରିବା ଠାରୁ ଆରମ୍ଭ କରିବ ଅନ୍ୟ ସମସ୍ତ ସାମଗ୍ରୀକୁ ବୟକଟ କରାଯାଉଛି। ଭାରତର ବିଭିନ୍ନ କମ୍ପାନୀ, ସଂସ୍ଥା ଓ ଶିକ୍ଷାନୁଷ୍ଠାନଗୁଡ଼ିକ ତୁର୍କୀଏ ସହିତ ବାଣିଜ୍ୟିକ ଚୁକ୍ତି ବାତିଲ କରୁଛନ୍ତି।
ଦେଶର ଅନ୍ଲାଇନ ପ୍ଲାଟ୍ଫର୍ମଗୁଡ଼ିକ ମଧ୍ୟ ବୟକଟ ତୁର୍କୀଏକୁ ନିଜର ସମର୍ଥନ ଜଣାଇଛନ୍ତି। ଅନ୍ଲାଇନ ସପିଂ ପ୍ଲାଟଫର୍ମ ମିନ୍ତ୍ରା ଏବଂ ଆଜିଓ ନିଜ ସାଇଟ୍ରୁ ସମସ୍ତ ତୁର୍କୀଏ ବ୍ରାଣ୍ଡ୍ ହଟାଇ ଦେଇଛନ୍ତି।
ଭାରତର ଅପରେସନ ସିନ୍ଦୁର ପରେ ତୁର୍କୀଏ ଏବଂ ଆଜରବାଇଜାନ ସାର୍ବଜନୀନ ଭାବରେ ପାକିସ୍ତାନକୁ ସମର୍ଥନ କରିବା ପରେ ଭାରତୀୟଙ୍କ ମଧ୍ୟରେ ଏହି ଦେଶ ପ୍ରତି ଅଶନ୍ତୋଷ ଦେଖା ଦେଇଥିଲା। ଯାହାର ପରିମାଣ ସ୍ୱରୂପ ବୟକଟ ତୁର୍କୀଏ ଓ ଅଜରବାଇଜାନା ନାରା ଟ୍ରେଣ୍ଡ କରୁଛି।
ଟ୍ରେଣ୍ଡିଓଲ୍ ଏବଂ ଅନ୍ୟାନ୍ୟ ବ୍ରାଣ୍ଡ୍ ବିକ୍ରି ବନ୍ଦ କଲା ମିନ୍ତ୍ରା
ଫ୍ଲିପକାର୍ଟର ମାଲିକାନାରେ ଥିବା ମିନ୍ତ୍ରା ପାଖରେ ଭାରତରେ ଟ୍ରେଣ୍ଡିଓଲ୍(Trendyol) ବିକ୍ରୟ କରିବା ପାଇଁ ସ୍ୱତନ୍ତ୍ର ଅଧିକାର ଥିଲା। ହେଲେ କମ୍ପାନୀ ଏହାର ବିକ୍ରୟ ବନ୍ଦ କରିଦେଇଛି। ଟ୍ରେଣ୍ଡିଓଲ୍ ହେଉଛି ଏକ ତୁର୍କୀଏ ବ୍ରାଣ୍ଡ୍ ଓ ଇ-କମର୍ସ ପ୍ଲାଟ୍ଫର୍ମ। ଏହି ବ୍ରାଣ୍ଡ୍ ବିଶେଷକରି ମହିଳାଙ୍କ ପାଶ୍ଚାତ୍ୟ ପୋଷାକ ବିକ୍ରି ପାଇଁ ବେଶ୍ ଜଣାଶୁଣା। ଚୀନ୍ର ଆଲିବାବା କମ୍ପାନୀ ଏହି ବ୍ରାଣ୍ଡରେ ନିବେଶ କରିଛି।
ଦେଶରେ ବୟକଟ ତୁର୍କୀଏ ଭାବନା ବଢ଼ିବା ପରେ ଗତ ସପ୍ତାହ ଶେଷରେ ମିନ୍ତ୍ରା ଚୁପଚାପ୍ ତାର ସାଇଟରୁ ତୁର୍କୀଏ ଉତ୍ପାଦଗୁଡ଼ିକୁ ହଟାଇବା ଆରମ୍ଭ କରିଥିଲା। ଗୁରୁବାର ସୁଦ୍ଧା ସମସ୍ତ ତୁର୍କୀଏ ସାମଗ୍ରୀକୁ ହଟାଇ ଦିଆଯାଇଥିଲା ବୋଲି ସୂଚନା ମିଳିଛି।
ମିନ୍ତ୍ରା ସହ ଜଡ଼ିତ ଥିବା ଜଣେ ଅଧିକାରୀ ଏ ନେଇ ଇକୋନୋମିକ୍ସ ଟାଇମ୍ସକୁ କହିଛନ୍ତି ଯେ ମିନ୍ତ୍ରା ଏହାର ବ୍ରାଣ୍ଡ୍ ପାର୍ଟନର୍ସିପ୍ ଉପରେ ସମୀକ୍ଷା କରୁଛି। ଭବିଷ୍ୟତର ସ୍ଥିତି ଉପରେ ଆଧାର କରି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ବର୍ତ୍ତମାନ ପର୍ଯ୍ୟନ୍ତ, ଏହି ତୁର୍କୀଏ ବ୍ରାଣ୍ଡଗୁଡ଼ିକୁ ଫେରାଇ ଅଣାଯିବ କି ନାହିଁ ସେ ବିଷୟରେ କୌଣସି ସୁନିଶ୍ଚିତତା ନାହିଁ ବୋଲି ସେ କହିଛନ୍ତି।
ପଢନ୍ତୁ- ଆମ୍ବ ନେଲାନି ଆମେରିକା, ୫ ଲକ୍ଷ ଡଲାର କ୍ଷତି ସହିବେ ଭାରତୀୟ ରପ୍ତାନୀକାରୀ
ସେହିପରି ରିଲାଏନ୍ସର ମାଲିକାନା ଥିବା ଆଜିଓ ମଧ୍ୟ କୋଟନ୍, ଏଲ୍ସି ୱାଇକିକି ଏବଂ ମାଭି ଭଳି ତୁର୍କୀଏ ଫ୍ୟାଶନ୍ ବ୍ରାଣ୍ଡ୍ର ପୋଷାକ ବିକ୍ରି କରିବା ବନ୍ଦ କରିଦେଇଛି। ଏହି ସମସ୍ତ ପ୍ରଡକ୍ଟ ଏବେ ଆଜିଓ ପ୍ଲାଟଫର୍ମରେ 'ଆଉଟ୍ ଅଫ୍ ଷ୍ଟକ୍' ଦେଖାଉଛି। ଏ ନେଇ ରିଲାଏନ୍ସର ଜଣେ ମୁଖପାତ୍ର କହିଛନ୍ତି ଯେ କମ୍ପାନୀ ଏହାର ଉତ୍ପାଦ ତାଲିକାକୁ "ଦେଶର ମୂଲ୍ୟବୋଧ ଏବଂ ଭାବନା" ସହିତ ତାଳ ଦେବା ଦିଗରେ ସମୀକ୍ଷା କରୁଛି।
କେବଳ ସେତିକି ନୁହେଁ, ରିଲାଏନ୍ସ ମଧ୍ୟ ତୁର୍କୀଏରେ ଥିବା ଏହାର କାର୍ଯ୍ୟାଳୟ ବନ୍ଦ କରିଦେଇଛି ଏବଂ ଆଜିଓରୁ ସମସ୍ତ ତୁର୍କୀଏ ବ୍ରାଣ୍ଡକୁ ହଟାଇବା ନିଶ୍ଚିତ କରିଛି। ଏହି ମାମଲାରେ ଜଡିତ ଜଣେ ଅଧିକାରୀ କହିଛନ୍ତି ଯେ ଏହି ପ୍ରକ୍ରିୟା ସପ୍ତାହର ଆରମ୍ଭରେ ଆରମ୍ଭ ହୋଇଥିଲା ଏବଂ ଶୁକ୍ରବାର ସମ୍ପୂର୍ଣ୍ଣ ସମାପ୍ତ ହୋଇଛି ବୋଲି କମ୍ପାନୀ କହିଛି।
ବାଣିଜ୍ୟ ବୟକଟ୍ ପାଇଁ ନେତୃତ୍ୱ ନେଇଛି ସିଏଆଇଟି
ବାଣିଜ୍ୟ ସଂଗଠନର ନେତୃତ୍ୱ ନେଉଥିବା କନଫେଡେରେସନ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT) ତୁର୍କୀଏ ବାୟକଟର ନେତୃତ୍ୱ ନେଇଛି। ଶୁକ୍ରବାର ଏକ ପ୍ରସ୍ତାବ ପାସ୍ କରି ସମସ୍ତ ଭାରତୀୟ ବ୍ୟବସାୟକୁ ତୁର୍କୀଏ ଏବଂ ଆଜରବାଇଜାନ ସହିତ ବାଣିଜ୍ୟ ବନ୍ଦ କରିବାକୁ ଅନୁରୋଧ କରିଛି। ଏହି ଗ୍ରପ୍ ଉଭୟ ଦେଶ ସହିତ ଆମଦାନୀ, ରପ୍ତାନି ଏବଂ ପର୍ଯ୍ୟଟନ ଉପରେ ପ୍ରତିବନ୍ଧକ ଲଗାଇବାକୁ ମଧ୍ୟ ଆହ୍ୱାନ କରିଛି। ଏମିତିକି ଏହି ଦୁଇ ଦେଶର ସିନେମା ଶୁଟିଂ ନ କରିବାକୁ ମଧ୍ୟ ସିଏଆଇଟି ଆହ୍ୱାନ ଦେଇଛି।