ନୂଆଦିଲ୍ଲୀ, ୨୧/୦୫ : ବିଶ୍ୱ ସମୁଦାୟରେ ଖୋଲିବ ପାକିସ୍ତାନର ଅସଲ ମୁଖା । ଆତଙ୍କୀ ପ୍ରେମର ଏକ୍ସପୋଜ୍ କରିବ ଭାରତ । ଆତଙ୍କବାଦ ବିରୋଧରେ ଜିରୋ ଟଲେରାନ୍ସ ନୀତିର ବାର୍ତ୍ତା ନେଇ ସହଯୋଗୀ ରାଷ୍ଟ୍ର ଗସ୍ତ କରିବେ ଭାରତର ସର୍ବଦଳୀୟ ଟିମ୍ । ଏନେଇ ୭ଟି ପ୍ରତିନିଧି ଦଳ ଗଠନ କରାଯାଇଛି । ୭ଟି ଟିମର ନେତୃତ୍ୱ ନେବେ ୭ ଜଣ ବରିଷ୍ଠ ସାଂସଦ ।
ଏମାନେ ହେଲେ କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କଂଗ୍ରେସ ସାଂସଦ ଶଶି ଥରୁର, ବିଜେପିର ରବି ଶଙ୍କର ପ୍ରସାଦ । ସେହିପରି ଜେଡିୟୁ ସାଂସଦ ସଞ୍ଜୟ କୁମାର ଝା, ଡିଏମେକେରୁ କାନିମୋଇ, ଏନସିପିର ସୁପ୍ରିୟା ସୁଲେ ଓ ଶିବସେନାର ଶ୍ରୀକାନ୍ତ ସିନ୍ଦେଙ୍କ ନେତୃତ୍ବରେ ଟିମ୍ ଭାରତର ସହଯୋଗୀ ରାଷ୍ଟ୍ର ଓ ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟ ଦେଶକୁ ଗସ୍ତ କରିବେ ।
ଚଳିତ ମାସ ୨୧ ତାରିଖ ପରେ ଏହି ସର୍ବଦଳୀୟ ପ୍ରତିନିଧି ଦଳ ବିଭିନ୍ନ ରାଷ୍ଟ୍ର ଗସ୍ତ କରିବେ । ଏମାନେ 'ଅପରେସନ ସିନ୍ଦୂର' ଓ ସୀମାପାର ଆତଙ୍କବାଦ ନେଇ ବାର୍ତ୍ତା ପହଞ୍ଚାଇବେ । ଏଥିସହ ଆତଙ୍କବାଦ ବିରୋଧରେ ଭାରତର ଜିରୋ ଟଲେରାନ୍ସ ନୀତି ନେଇ ବିଭିନ୍ନ ରାଷ୍ଟ୍ରକୁ ଅବଗତ କରାଇବେ ସର୍ବଦଳୀୟ ପ୍ରତିନିଧି ଦଳ। ଏହି ପ୍ରତିନିଧି ଦଳରେ ବିଭିନ୍ନ ପାର୍ଟିର ସାଂସଦ, ପ୍ରମୁଖ ରାଜନେତା ତଥା ବିଶିଷ୍ଟ କୂଟନୀତିଜ୍ଞ ସଦସ୍ୟ ରହିବେ । ପ୍ରଥମ ଦଳ ଭାବେ ଜେଡିୟୁ କାର୍ଯ୍ୟକାରୀ ଅଧ୍ୟକ୍ଷ ସଞ୍ଜୟ ଝାଙ୍କ ନେତୃତ୍ୱର ଯିବ ଟିମ୍ ।